ଭୁବନେଶ୍ବର: ଦୀର୍ଘ ଦିନ ଧରି ବିଜେଡି ନେତାଙ୍କ ମନରେ କୁହୁଳୁଥିବା ଅସନ୍ତୋଷକୁ ତେଜିଛି ଓ୍ବକଫ୍ ନିଆଁ । ଓ୍ବକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ଏବେ ବଡ ଆକାର ନେଲାଣି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନେତାଙ୍କୁ କୌଣସି ବୟାନ ନଦେବାକୁ ପରାମର୍ଶ ଦେଇଥିଲେ । ହେଲେ ବୁଧବାର ଅଲଗା ଅଲଗା ଜାଗାରେ ମେଳି କରିଛନ୍ତି ବିଜେଡି ନେତା । କିଛି ନେତା ଏକ ଘରୋଇ ହୋଟେଲରେ ବସି ଆଲୋଚନା କରିଛନ୍ତି ତ ଆଉ କିଛି ପ୍ରତାପ ଦେବଙ୍କ ବାସଭବନରେ ବୈଠକ କରିଛନ୍ତି । ସେପଟେ ଓଡିଆ ଅସ୍ମିତା ନାଁ ନେଇ ଦଳର କିଛି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ତେବେ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ବଡ଼ ନିଷ୍ପତ୍ତି ନେବାକୁ ଯାଉଥିବା ସୂଚନା ମିଳିଛି। କୁହାଯାଉଛି, କାର୍ଯ୍ୟାନୁଷ୍ଠାନ ନେବେ ନବୀନ ।
ହୋଟେଲରେ ବରିଷ୍ଠ ନେତାଙ୍କ ମିଟିଂ
ବିଜେଡିରେ ଗତ କିଛି ଦିନ ହେଲା ଓ୍ବକଫ୍ ଭୋଟକୁ ନେଇ ଖୋଲାଖୋଲି ଅସନ୍ତୋଷ ଝାଡୁଛନ୍ତି ନେତା। ଜୋରଦାର ବୟାନବାଜି ମଧ୍ୟରେ ବୁଧବାର ମାରାଥନ୍ ବୈଠକ ବସିଥିଲା । ପଟିଆର ଏକ ଘରୋଇ ହୋଟେଲରେ ଦଳର ବରିଷ୍ଠ ନେତା ଏକାଠି ହୋଇଥିଲେ । ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ପ୍ରଭାତ ତ୍ରିପାଠୀ ଓ ଭୂପିନ୍ଦର ସିଂହ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ । ବୈଠକ ପରେ ନବୀନ ପଟ୍ଟନାୟକ ନିର୍ବିବାଦୀୟ ନେତା । ତାଙ୍କ ସହ ରହିଛୁ । କୌଣସି ବାହ୍ୟ ଶକ୍ତି ଦୁର୍ବଳ କରିବାକୁ ବସିଲେ, ତାଙ୍କୁ ବରଦାସ୍ତ କରାଯିବନି ବୋଲି ବରିଷ୍ଠ ବିଜେଡି ନେତା ଶଶିଭୂଷଣ ବେହେରା କହିଛନ୍ତି ।
ପ୍ରତାପ ଦେବଙ୍କ ଘରେ ବୈଠକ
ହୋଟେଲରେ କିଛି ବିଜେଡି ନେତା ଏକାଠି ହୋଇଥିବା ବେଳେ ପ୍ରତାପ ଦେବଙ୍କ ଘରେ ଆଉ କିଛି ନେତା ବୈଠକ କରିଥିଲେ । ଏଥିରେ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମାଙ୍କ ପରି ବରିଷ୍ଠ ନେତା ସାମିଲ ହୋଇଥିଲେ । ନବୀନଙ୍କ ନେତୃତ୍ବକୁ ଆହୁରି ଶକ୍ତିଶାଳୀ କରିବାକୁ ବୈଠକରେ ଆଲୋଚନା ହୋଇଥିବା ନେତା କହିଛନ୍ତି । ସମସ୍ତଙ୍କ ଭରସାର ପ୍ରତୀକ ନବୀନ ପଟ୍ଟନାୟକ, ସେ ସବୁବେଳେ ଠିକ୍ ନିଷ୍ପତି ନେଇଛନ୍ତି ବୋଲି ବିଜେଡି ନେତା କହିଛନ୍ତି। ତେବେ ପ୍ରକୃତରେ କାହିଁକି ବୈଠକ ବସିଥିଲା, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି ।
ଦେବାଶିଷ ମାରିଲେ ଅସ୍ମିତା ବାଣ
ଭିକେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରିବା ପରେ ଅନେକ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ କାଠଗଡାକୁ ଟାଣିଥିଲେ । ଏହାପରେ ସୋସିଆଲ୍ ମିଡିଆରେ ଓଡିଆ ଅସ୍ମିତା ନାଁ ନେଇ ବର୍ଷିଛନ୍ତି ଦେବାଶିଷ । ଏବେର କିଛି ନେତା ଓ ନେତ୍ରୀମାନେ ନବୀନବାବୁଙ୍କ ଆଦର୍ଶ, ଧର୍ମନିରପେକ୍ଷତା ଓ ଓଡିଶା ପ୍ରତି ପ୍ରତିବଦ୍ଧତା ନେଇ ଅପରିଚିତ । ସେମାନେ ଆଉ କାହା ଇସାରାରେ ପରିଚାଳିତ ବୋଲି ଦେବାଶିଷ ଲେଖିଛନ୍ତି । ନା ସେମାନେ ଦଳର ନା ଓଡିଶାର ନା ନବୀନ ପଟ୍ଟନାୟକଙ୍କର । ଗତ ନିର୍ବାଚନରେ ବିଜେଡି ଓଡିଆ ଅସ୍ମିତା ପାଇଁ ହାରିଥିଲା । ଅସ୍ମିତା ରକ୍ଷା କରିବା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ ଲେଖିଛନ୍ତି ।
ବରିଷ୍ଠଙ୍କ ମେଳି ଭିତରେ ବିଜେଡିର ଯୁବନେତା ମଧ୍ୟ ଓ୍ବକଫ୍ ଭୋଟ ନେଇ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଦଳର ସାଂସଦମାନେ ଓ୍ବକଫ ବିଲ୍ ମତଦାନକୁ ନେଇ ବିଭାଜିତ ହେବା ସାରା ରାଜ୍ୟର ବିଜୁପ୍ରେମୀଙ୍କୁ ଆଘାତ ଦେଇଛି । ଦଳର ନୀତି ଆଦର୍ଶରୁ କେଉଁମାନେ ଓ କେଉଁ କାରଣରୁ ବିଚ୍ୟୁତ ହେଲେ, ସେନେଇ ସମୀକ୍ଷା କରିବାକୁ ସେମାନେ ଦାବି କରିଛନ୍ତି । ଘଟଣା ପାଇଁ ଦାୟୀ କିଏ, ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ବିଜେଡି ନେତା ଅଂଶୁମାନ ମହାନ୍ତି। ୨୦୨୪ ନିର୍ବାଚନ ପରେ ପାଣ୍ଡିଆନଙ୍କୁ ଗ୍ରହଣ କରିବା ମୁଡରେ ନାହାନ୍ତି ବିଜେଡି ନେତା । ପୂର୍ବରୁ ପୁଞ୍ଜିଭୂତ ଅସନ୍ତୋଷ ଓ୍ବକଫ୍ ଭୋଟ ସହ ବଡ ରୂପ ନେଇଛି । ଏଭଳି ସ୍ଥିତିରେ ନବୀନ ନିରବ ରହିଥିବା ବେଳେ ଦଳ ଭିତରେ ବିଶୃଙ୍ଖଳା ବଢିବାରେ ଲାଗିଛି । ତେବେ ଚର୍ଚ୍ଚା ହେଉଛି, ନିରବତା ଭାଙ୍ଗି ବଡ଼ ନିଷ୍ପତି ନେବେ ନବୀନ । ଓ୍ବକଫ୍ ଭୋଟକୁ ନେଇ ସେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ବୋଲି କୁହାଯାଉଛି ।
Comments are closed.