Latest Odisha News

ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମକୁ ବେକାର କହି ଟ୍ରୋଲ ହେଲେ ଜୟା ବଚ୍ଚନ। ଏକ କାର୍ଯ୍ୟକ୍ରମରେ ଜୟା ବଚ୍ଚନ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଟଏଲେଟ୍ ଏକ ପ୍ରେମ କଥା’ କୁ ଫ୍ଲପ କହିବା ସହ ଏହାର ମଜାକ ଉଡାଇଥିଲେ।

ଏପରିକି ସମାଲୋଚନା କରି କହିଥିଲେ ଯେ ଏପରି ଶୀର୍ଷକ ଥିବା ଫିଲ୍ମକୁ ସେ କେବେବି ଦେଖିବାକୁ ପସନ୍ଦ କରିବେ ନାହିଁ। ଏହାର  ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ସୋସିଆଲ ମିଡିଆରେ ଜୟା ବଚ୍ଚନଙ୍କୁ ଖୁବ୍ ଟ୍ରୋଲ୍ କରିଛନ୍ତି।

ୟୁଜର୍ସ ମାନେ କମେଣ୍ଟ କରି କହିଛନ୍ତି ଯେ ଫିଲ୍ମର ଶୀର୍ଷକ ଯାହା ହେଲେ ମଧ୍ୟ ଏଥିରେ ସମାଜ ପାଇଁ ବାର୍ତ୍ତା ଥିଲା ଓ ଏହି ଫିଲ୍ମର ଉଦ୍ଦେଶ୍ୟ ଜନସଚେତନତା ଥିଲା। ସେହିପରି ଅନ୍ୟ ଜଣେ ୟୁଜର୍ସ କହିଥିଲେ, ଏହି ଫିଲ୍ମ ଯୋଗୁଁ ଆଜି ପ୍ରତ୍ୟେକ ଗାଁରେ ଶୌଚାଳୟ ନିର୍ମାଣ ହୋଇପାରିଛି।

ତେବେ ଏହି ଫିଲ୍ମଟି ସ୍ୱଚ୍ଛ ଭାରତ ଅଭିଯାନର ଏକ ଅଂଶ ଥିଲା। ଏହି ଫିଲ୍ମଟି ରିଲିଜ ହେବାପରେ ଏହାର ପ୍ରଭାବରେ ଦେଶରେ ପ୍ରାୟ ୬୦ ମିଲିୟନ ଶୌଚାଳୟ ନିର୍ମାଣ ହୋଇଥିଲା। ଏପରିକି ୨୦୧୯ ସୁଦ୍ଧା ଦେଶରେ  ଖୋଲାରେ  ମଳତ୍ୟାଗ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା।

କିଛି ୟୁଜର୍ସ ଅଭିନେତ୍ରୀଙ୍କୁ ତାଙ୍କ ସ୍ୱାମୀଙ୍କ ଫିଲ୍ମ ‘ପିକୁ’ କଥା ମନେ ପକାଇବା ସହ ସେଥିରେ ବିଗ୍ ବି ଙ୍କ ଚରିତ୍ର କଥା ମନେ ପକାଇ ଦେଇଥିଲେ। ଏହି ଫିଲ୍ମରେ ଅଭିନେତାଙ୍କର କୋଷ୍ଠକାଠିନ୍ୟ ସମସ୍ୟା ଥିଲା ଯାହାଫଳରେ ତାଙ୍କର ପେଟ ସଫା ହେଉନଥିଲା। ବାରମ୍ବାର ଶୌଚାଳୟ ଲାଗୁଥିବାରୁ ସେ ତାଙ୍କ କମୋଡ୍ ସାଙ୍ଗରେ ନେଇ ଯାଉଥିଲେ। ଏଥିରେ ଦୀପିକା ପାଦୁକୋନ ବିଗ୍ ବିଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ସେହିପରି କିଛି ୟୁଜର୍ସ ଅଭିଷେକ ବଚ୍ଚନଙ୍କ ଫିଲ୍ମକୁ ମିଳୁଥିବା ରେଟିଂ ବିଷୟରେ ମଧ୍ଯ ମନେପକାଇ ଦେଇଥିଲେ।

ତେବେ ଜୟା ବଚ୍ଚନ ଅକ୍ଷୟଙ୍କ ଫିଲ୍ମକୁ ଫ୍ଲପ୍ କହିଥିଲେ ମଧ୍ୟ ୭୫ କୋଟି ଟଙ୍କା ବଜେଟ୍ ରେ ନିର୍ମିତ ଫିଲ୍ମଟି ସାରା ବିଶ୍ୱରେ ୩୧୧.୫ କୋଟି ଟଙ୍କା ରୋଜଗାର କରିଥିଲା। ଏହା ସେତେବେଳର ସବୁଠାରୁ ବଡ଼ ହିଟ୍ ଫିଲ୍ମ ଥିଲା ଏବଂ ଏହି ଫିଲ୍ମ ଟି ଚୀନରେ ମଧ୍ୟ ସଫଳତା ଅର୍ଜନ କରିଥିଲା।

 

Leave A Reply

Your email address will not be published.