ଅନୁଗୁଳ: ପ୍ରଦୂଷଣ ମାମଲାରେ ଦେଶର ରାଜଧାନୀ ଦିଲ୍ଲୀ ସହ ପ୍ରତିଯୋଗିତା ଚଳାଇଛି ଓଡିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି ।
ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏଠାରେ ଏକ୍ୟୁଆଇ ୩୫୫ ରହିଛି । ଏହା ପରକୁ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟରେ ରହିଛି । ୩୨୨ ଏକ୍ୟୁଆଇ ସହ ବାରିପଦା ତୃତୀୟ ପ୍ରଦୂଷିତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୩ ରହିଛି ।
ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର । ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା ।
କେବଳ ବାୟୁ ନୁହେଁ ଜଳ ପ୍ରଦୂଷଣରେ ବି ଅନୁଗୁଳ ଅନ୍ୟ ସବୁ ସହରକୁ ଟପିଛି । କଳାକାରଖାନାରୁ ନିର୍ଗତ ବିଷାକ୍ତ କେମିକାଲ ଯାଇ ମିଶୁଛି ଜିଲ୍ଲାର ବିଭିନ୍ନ ଜଳ ଉତ୍ସରେ । ଫଳ ସ୍ବରୂପ କେଉଁଠି ପାଣିରେ ମାଛ ମରି ଭାସୁଛନ୍ତି ତ ଆଉ କେଉଁଠି ପୋଖରୀ ପାଣି ଉପରେ ଇଞ୍ଚେ ବହଳର କେମିକାଲ ମିଶା ଧୂଳି ଆସ୍ତରଣ ବସିଛି ।