Latest Odisha News

BREAKING NEWS

ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ

ଅନୁଗୋଳ: ମାଟି ଖୋଳିଲେ, ବାହାରିଲା ଡ୍ରମ୍। ଆଉ ଡ୍ରମ୍ ଭିତରେ ଥିଲା ପଲିଥିନ୍‌ରେ ପ୍ୟାକ୍ ହୋଇ ରଖାଯାଇଥିବା ଗଞ୍ଜେଇ! ଏମିତି କିଛି ଢଙ୍ଗରେ ଗଞ୍ଜେଇ ଲୁଚାଇ ରଖାଯାଇଥିବା ଖବର ପାଇ ଚଢ଼ାଉ କରିଥିଲା ଅବକାରୀ ବିଭାଗ। ମାଟି ତଳୁ ଗଞ୍ଜେଇ ବାହାର କରିବାର ଏହି ଚିତ୍ର ଏବେ ଚର୍ଚ୍ଚାରେ। ଅନୁଗୋଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ନୂଆଗାଁରୁ ମୋଟ ୯୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଜଣ ଗିରଫ ହୋଇଛନ୍ତି।

ଦେଖନ୍ତୁ ଏହି ଚିତ୍ର। ମାଟି ଖୋଳୁଛନ୍ତି ଅବକାରୀ ବିଭାଗର କର୍ମଚାରୀ। ମାଟି ତଳୁ ବାହାରୁଛି ଡ୍ରମ୍। ଆଉ ଡ୍ରମ୍ ଭିତରୁ ଜବତ ହେଉଛି ପଲିଥିନ୍‌ରେ ବନ୍ଧା ଗଞ୍ଜେଇ ପ୍ୟାକେଟ୍। ଗଞ୍ଜେଇ ଲୁଚାଇ ରଖିବାର ଏଭଳି ଉପାୟ ଦେଖି ଚଢ଼ାଉର ଚିତ୍ର ସାମ୍ନାକୁ ଆସିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ନୂଆଗାଁରେ ଚଢ଼ାଉ କରିଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍। ଚଢ଼ାଉ ବେଳେ ମୋଟ ୯୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ନୂଆଗାଁର ଲିପୁନ ନାଏକ ଓ ଟୁକୁନା ନାଏକଙ୍କୁ ଗିରଫ କରାଯାଇଛି। ଲିପୁନ ନାଏକଙ୍କ ନିକଟରୁ ୮୨ କେଜି ଗଞ୍ଜେଇ ସହ ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଟୁକୁନା ନାଏକଙ୍କ ନିକଟରୁ ୮ କେଜି ଗଞ୍ଜେଇ ଓ ଗୋଟିଏ ୟୁନିକର୍ଣ୍ଣ ବାଇକ୍ ଜବତ ହୋଇଛି। ଅବକାରୀ ବିଭାଗର ସୂଚନା ଅନୁସାରେ, ଲିପୁନ ନାଏକଙ୍କ ନାମରେ ପୂର୍ବରୁ ମଧ୍ୟ ଏନ୍‌ଡିପିଏସ୍‌ ଆଇନରେ ମାମଲା ରହିଛି। ଏହି ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗଞ୍ଜେଇ କେଉଁଠୁ ଆସିଥିଲା, କେଉଁଠିକୁ ଚାଲାଣ ହେବାର ଯୋଜନା ଥିଲା ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି।

 

Leave A Reply

Your email address will not be published.