Latest Odisha News

ମେଘନାଦ ପାଚେରୀରେ ଫାଟ ପ୍ରସଙ୍ଗ: ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି

ପୁରୀ: ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହେବା ପ୍ରସଙ୍ଗ ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୈତିକ ବୟାନ ବାଜି । ପୂର୍ବ ବିଜେଡି ସରକାରଙ୍କ କାମର ଏହି ଫଳ ବୋଲି କହି ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ଏନେଇ ନିଜ ସୋସିଆଲ ମିଡିଆରେ ନବୀନ ସରକାର ଓ ତାଙ୍କ ସହକାରୀ ଭିକେ ପାଣ୍ଡିଆନଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, କିଛି ଭୁଲ ଅଛି ଯାହାର କ୍ଷମା ନାହିଁ । ପୂର୍ବ ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ବାବୁ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡିଶାବାସୀଙ୍କୁ ଦେବାକୁ ପଡୁଛି । ବିଜେଡି ସରକାର ନିଜର ରାଜନୈତିକ ଫାଇଦା ପାଇଁ ପୁରାତନ ଐତିହ୍ୟକୁ ବିପଦକୁ ଠେଲି ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଅନିଲ ।

ଏଥିସହିତ ମେଘନାଦ ପାଚିରୀରେ ଯେଉଁ ଫାଟ ବାହାରିଛି ଏବଂ ଫାଟ ଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି, ତାହା କାହିଁକି ଘଟିଲା ବୋଲି ପ୍ରଶ୍ନ କରି ପୂର୍ବ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି  । ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ ବଡ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ ବଡ ଗାତ କରାଗଲା ଏହା ମେଘନାଦ ପାଚିରି ଉପରେ ପ୍ରଭାବ ପକାଇଲା । ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ଏବଂ ଆମସାର ଆକ୍ଟ 1958 କୁ ନମାନି ଏଭଳି ବେଆଇନ କାମ କରାଯାଇଥିଲା ବୋଲି ଏ ଘଟଣା ଅଦାଲତକୁ ଗଲା ବୋଲି ଦୋଷାରୋପ କରିଛନ୍ତି ଅନିଲ୍ । ବିନା କୌଣସି ହେରିଟେଜେ ଇମ୍ପାକ୍ଟ ଷ୍ଟଡି ନକରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା? ନ୍ୟାଶନାଲ ମନୁମେଣ୍ଟ ଅଥରିଟିର ନିୟମ 100 ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି ନକରିବା ନିୟମକୁ ନମାନିବାରୁ ଏବେ ,ଭଳି ପରିସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି । ଏହାସହିତ ଏତେ ବିଶାଳ ବିଶାଳ ଗର୍ତ୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା? ଏହା ଏକ ଷଡଯନ୍ତ୍ର ନୁହେଁ ତ? ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲିବା ଉଚିତ ବୋଲି ପ୍ରଶ୍ନ କରିଛନ୍ତି ଅନିଲ୍ ।

ସେପଟେ ଏହାକୁ ନେଇ ବିଜେଡି ବିଧାୟକ ଗଣେଶ୍ବର ବେହେରା କଡା କାଉଣ୍ଟର କରି କହିଛନ୍ତି, ବିଜେଡି ନେତା କୌଣସି ବୈଷୟିକ ବିଶେଷଜ୍ଞ ନୁହନ୍ତି । ଯାହା ପୂର୍ବରୁ କରାଯାଇଥିଲା ତାହା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କରାଯାଇଥିଲା । ଶ୍ରୀମନ୍ଦିରର କୌଣସି କ୍ଷତି ପାଇଁ ତାହା କରାଯାଇନଥିଲା । ଏଭଳି ଯିଏ ଭାବୁଛନ୍ତି, ସେ ଭାବନାକୁ ସଂଶୋଧନ କରିବା ଆବଶ୍ୟକ ।

ଅନ୍ୟପଟେ ଏହାକୁ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପାଚେରୀର ଫାଟ ଅନେକ ଦିନର । ବିଭିନ୍ନ ଏଭିକ୍ସନ ବେଳେ ଏହି ଫାଟ ସୃଷ୍ଟି ହୋଇଛି । ଏନେଇ ଏଏସଆଇକୁ ଚିଠି ହୋଇଥିଲା । ଏଏସଆଇ ତାହାର ଯାଞ୍ଚ କରିଛି । ଖୁବ୍ ଶୀଘ୍ର ମରାମତି କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ଏହାକୁ ନେଇ ବର୍ଷିଛନ୍ତି ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ସେ କହିଛନ୍ତି, ଜାଣିଶୁଣି ଜେସିବି ଲଗେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଏହାକୁ ଭାଙ୍ଗିଦେଲେ । ବିଗତ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି । ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି । ନିୟମିତ ଭଙ୍ଗାଭଙ୍ଗି କାର୍ଯ୍ୟ ଚାଲିଛି । ବର୍ତ୍ତମାନ ସ୍ଥିତି ଯାହା ଏଏସ୍‌ଆଇ ଏହାକୁ ସ୍ବତନ୍ତ୍ର ଭାବେ କାମ କରୁ । ମନ୍ଦିରର କ୍ଷତି ହେଲେ, ଓଡ଼ିଶା ନିନ୍ଦିତ ହେବ । ତେଣୁ ଏହି ଘଟଣାରେ ପ୍ରଧାନମନ୍ତ୍ରୀ  ଏବଂ ରାଷ୍ଟ୍ରପତି ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଜଗୁନି ।

Comments are closed.