Latest Odisha News

୫୫୦ କିମି ରାସ୍ତା ଦୌଡି ଦୌଡି ପୁରୀରେ ପହଞ୍ଚିଲେ ଅନୀଲ; କାଳିଆ ଦର୍ଶନ କରି କୃତକୃତ୍ୟ ହେଲେ

ପୁରୀ: ଡାକୁଥିଲା ଜଗା । ଏଡାଇ ପାରିଲେନି କାଳିଆର ଆମନ୍ତ୍ରଣ । ତେଣୁ  ଝାରସୁଗୁଡାରୁ ଆସିଲେ ପୁରୀ ପୁଣି ଦୌଡ ଦୌଡି  ।  କାଳିଆ ଦର୍ଶନ କରି ଭକ୍ତିରେ ବିଭୋର ହୋଇପଡିଛନ୍ତି ଅନିଲ ଗୁପ୍ତା । ଦୀର୍ଘ ୫୫୦ କିଲୋମିଟର ରାସ୍ତା ଚାଲି ଚାଲି ଆସିବାର କ୍ଳାନ୍ତି ଯେମିତି ତାଙ୍କର ଗୋଟିଏ ମୁହୂର୍ତ୍ତରେ ଦୂର ହୋଇ ଯାଇଥିଲା ।

ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚି  ଭାବ ବିହ୍ୱଳ ହୋଇ ପଡିଥିଲେ । ପତିତପାବନକୁ ଦେଖି ତଳେ ପଡି ଯାଇଥିଲେ । ସେହିଠାରୁ ବଳିଆର ଭୁଜକୁ ଦଣ୍ଡବତ ହୋଇଥିଲେ ।

ଏ ହେଉଛନ୍ତି ଝାରସୁଗୁଡାର ଅନିଲ ଗୁପ୍ତା । ବିଶ୍ୱର ମଙ୍ଗଳ ପାଇଁ ତାଙ୍କର ଏକ ପୁରୀ ଯାତ୍ରା । ବିଶ୍ୱର ମଙ୍ଗଳ ମନାସି ସେ ଝାରସୁଗୁଡାରୁ ଆସିଥିଲେ ପୁରୀ । ଗାଡି ଘୋଡା ନୁହେଁ ଖାଲି ପାଦରେ ଦୌଡି ଦୌଡି ମାତ୍ର ୯ ଦିନରେ ୫୫୦ କିମି ରାସ୍ତା ଅତିକ୍ରିମ କରି ପୁରୀରେ ପହଞ୍ଚିଥିଲେ । ୧୫ ଅକ୍ଟୋବରରେ ସେ ଯାତ୍ରା ଆରମ୍ଭ କରିଥିଲେ ।  ବାଟରେ କେଉଁଠି ଥକି ଗଲେ ବିଶ୍ରାମ ନିଅନ୍ତି । କିନ୍ତୁ ଚାଲନ୍ତି ନାହିଁ । କେବଳ ଦୌଡୁଥାନ୍ତି ।

ପଛପଟେ ଝୁଲୁଥିଲା ଏକ ବ୍ୟାଗ, ହାତରେ ଥିଲା ତ୍ରିରଙ୍ଗା । ଆଉ ପାଟିରୁ ବାହାରୁ ଥିଲା ଜୟ ଜଗନ୍ନାଥ ଡାକ ।  ବାସ୍ ! ରାସ୍ତା ସାରା ଦୌଡୁଥାନ୍ତି ଅନିଲ । ଶେଷରେ ୯ ଦିନ ପରେ ବଡଦାଣ୍ଡରେ ପହଞ୍ଚିଥିଲେ । ପାଦ କି ତୁଣ୍ଡ କେହି ଥକି ନ ଥିଲେ । ଜୟ ଜଗନ୍ନାଥ ଡାକ ଦେଇ ବଡଦାଣ୍ଡରେ ପାଦ ରଖିଥିଲେ ଅନିଲ।

ଝିପିଝିପି ବର୍ଷାରେ ସେମିତି ଦୌଡୁଥାନ୍ତି ।  ଶେଷରେ ଅରୁଣ ସ୍ତମ୍ଭକୁ ଛୁଇଁ ଦେଇ ଲମ୍ବ ହୋଇ ପଡିଯାଇଥିଲେ । ପୁରୀରେ କାଳିଆ ଦର୍ଶନ କରି ସେ ଖାଲି ଖୁସି ନୁହଁନ୍ତି, ତାଙ୍କର ୯ ଦିନର କ୍ଲାନ୍ତି, ଅବସାଦ ସବୁ ଦୂର ହୋଇଯାଇଛି ବୋଲି କହିଛନ୍ତି ଅନିଲ । ଏପରିକି କାଳିଆ ଦର୍ଶନ ପରେ ତାଙ୍କ ପାଦରେ ଟିକିଏ ବି କଷ୍ଟ ନ ଥିବା କହିଛନ୍ତି  ଅନିଲ । ତାଙ୍କର ଏହି କଠିନ ଯାତ୍ରା ନିଜ ପାଇଁ ନୁହେଁ, ଏକ ସ୍ୱସ୍ଥ ଭାରତ ପାଇଁ ସେ କାଳିଆ ପାଖକୁ ଧାଇଁ ଆସିଛନ୍ତି ବୋଲି କହିଛନ୍ତି । ଏହା ପରେ ସେ ରାମମନ୍ଦିର ଯିବାର ଲକ୍ଷ୍ୟ ରଖିଛନ୍ତି ।

Comments are closed.