Latest Odisha News

BREAKING NEWS

ଅଙ୍କିତାଙ୍କୁ ପେଟ୍ରୋଲ ଢ଼ାଳି ଜଳାଇଥିବା ଶାହରୁଖକୁ କଠୋର ଦଣ୍ଡ ଦାବି

ଡୁମକା: ଅଙ୍କିତା ସିଂ ହତ୍ୟା ମାମଲାକୁ ନେଇ ଝାରଖଣ୍ଡରେ ନିଆଁ ଜଳୁଛି ।  ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିବା ମୁଖ୍ୟ ଅଭିଯୁକ୍ତ ଶାହାରୁଖ ହସୁଥିବା ଚିତ୍ର ଏବଂ ଅଙ୍କିତାଙ୍କ ଶେଷ ବିବୃତ୍ତି ପରେ ଲୋକମାନେ କ୍ରୋଧିତ ହେଉଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଅଙ୍କିତା ତାଙ୍କର ମୃତ୍ୟୁ ପୂର୍ବରୁ କହିଥିଲେ ସେ ଯେପରି କଷ୍ଟ ପାଇ ମୃତ୍ୟୁବରଣ କରିଛନ୍ତି ଶାହରୁଖକୁ ସେପରି ଦଣ୍ଡ ଦେବା ଆବଶ୍ୟକ ।

ଏଭଳି ନୃଶଂସ ଭାବେ ହତ୍ୟା କରିଥିବା ଶାହରୁଖକୁ ଫାଶୀ ଦେବାପାଇଁ ସାଧାରଣରେ ଦାବି ହେଉଛି । ଏହା ସହ ଆଜି ଶାହାରୁଖଙ୍କ ବନ୍ଧୁ ନାଏମ ଅନସାରୀକୁ ପୋଲିସ ଗିରଫ କରିଛି। ଅଙ୍କିତାଙ୍କ ଉପରେ ପେଟ୍ରୋଲ ଢ଼ାଳିବା ପାଇଁ ସେ ପେଟ୍ରୋଲ ଆଣି  ଶାହାରୁଖକୁ ଦେଇଥିବା ଅଭିଯୋଗ ରହିଛି । ଅଙ୍କିତାଙ୍କ ମୃତ୍ୟୁପରେ ଏବେ ଅଭିଯୁକ୍ତ ଦୁଇଜଣ  ଜେଲ ରେ ଅଛନ୍ତି ।

ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଝାରଖଣ୍ଡର ଡୁମକା ସହରରେ ଦୁଇଦିନ ହେଲା 144 ଧାରା ଲାଗୁ କରାଯାଇଛି । ଅଙ୍କିତାଙ୍କୁ ନ୍ୟାୟ ଦେବା ପାଇଁ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅଙ୍କିତାଙ୍କ ପରିବାର ଲୋକେ ପୋଲିସ ଏବଂ ପ୍ରଶାସନକୁ ଦୋଷ ଦେଉଛନ୍ତି । ଏକତରଫା ପ୍ରେମରେ ବିଫଳ ହୋଇ ଶାହରୁଖ ଅଙ୍କିତାଙ୍କ ଶୋଇବା ଘର ଝରକା ପଟେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲା । 4 ଦିନ ପରେ ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଦୋଷୀଙ୍କ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି ।

ଏହା ସହ ପୀଡ଼ିତାଙ୍କ ପରିବାରକୁ 10 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

Comments are closed.