Latest Odisha News

BREAKING NEWS

ଅଁଳା ନବମୀ; ରାଧା ପାଦ ଦର୍ଶନ କଲେ ଶହଶହ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଅଁଳା ନବମୀ। ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଚଳ ଚଂଚଳ ହୋଇଉଠିଛି ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିର।

ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡ଼ିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ସେପଟେ ପୂର୍ବ ଭଳି ରାଧା ପାଦ ସ୍ପର୍ଶ ଉପରେ କଟକଣା ରହିଥିବା ବେଳେ ମନ୍ଦିର ଭିତରକୁ ମୋବାଇଲ ଉପରେ ଲାଗିଛି କଟକଣା। ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା।

ଏଥିପାଇଁ ମଧ୍ୟରାତ୍ରରୁ ଗୋପାଳଜିଉ ମନ୍ଦିର ସାମନାରେ ଭକ୍ତ ମାନଙ୍କର ଭିଡ ଲାଗିଛି। ରାତ୍ର ୧ ଟାରେ ଦ୍ଵାର ପୂଜା ପରେ ମଙ୍ଗଳା ଆରତୀ, ମର୍ଦନ ଅବକାଶ ପରେ ନଟବର ବେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ, ମଦନ ମୋହନ ଭୋଗ ପରେ ରାତ୍ର ୨ ଟାରୁ ଭକ୍ତ ମାନଙ୍କ ନିମନ୍ତେ ସାହାଣ ମେଳା ଦର୍ଶନ ଚାଲିଛି।

ସେପଟେ ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଆଜିର ଦିନରେ ଶ୍ରୀରାଧାଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳିବା ସହିତ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇଥାନ୍ତି ବୋଲି ବିଶ୍ଵାସ ରହିଥିବା ବେଳେ ଶ୍ରଦ୍ଧାଳୁ ମାନେ ଆଜିର ଦିନରେ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରି ମାନସିକ ରଖି ସଂକଳ୍ପ କରିଥାନ୍ତି।

ଅଁଳା ଗଛ ପାଖରେ ବର୍ଷକରେ ଥରେ ମା ଏଠାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ପୂର୍ବରୁ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ପାଦ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଥିବା ବେଳେ ଏହା ଉପରେ ପ୍ରଶାସନ କଟକଣା ଜାରି କରିଥିବାରୁ ପାଦ ସ୍ପର୍ଶରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ। ସେପଟେ ମନ୍ଦିର ପ୍ରବେଶ ସମୟରେ ଭକ୍ତଙ୍କ ପାଇଁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଥିଲା।

 

 

Leave A Reply

Your email address will not be published.