ଚିଲିକା: ବାତ୍ୟା ଅକବନ ଆଜି ମଧ୍ୟାହ୍ନ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ କେନ୍ଦ୍ରୀଭୂତ ହୋଇଛି। ଏହା ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଓଡ଼ିଶାର ଗୋପାଳପୁର ଠାରୁ ୬୯୦ କିମି ଓ ପୁରୀ ଠାରୁ ୭୫୦ କିମି ଦକ୍ଷିଣରେ ଅବସ୍ଥିତ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଦୁଇ ଆଭ୍ୟନ୍ତରୀଣ ଜିଲ୍ଲା ସହ ୬ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି ।
ସେପଟେ, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଆସନ୍ତା ୨୧ ତାରିଖ ଯାଏଁ ଚିଲିକାରେ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବନ୍ଦ ରହିବ ।
ଏହି ନିଷ୍ପତ୍ତି ଅନୁଯାୟୀ, ଯାତ୍ରୀବାହୀ ଭସାପୋଲ ସେବା ସହ ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ଡଙ୍ଗା ସେବା ମଧ୍ୟ ବନ୍ଦ ରହିବ । ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପବନର ବେଗ ବୃଦ୍ଧି ଓ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
