Latest Odisha News

ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦିତ

ପୁରୀ: ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦନ ଲାଭ କରିଛି। ୨୦୨୨-୨୩ ବର୍ଷ ପାଇଁ ୧୩୦୦ କୋଟି ଏବଂ ୨୦୨୩-୨୪ ବର୍ଷ ପାଇଁ ୧୫୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କରୋନା ମହାମାରୀ ଥିବାରୁ ସେହି ଚାରିବର୍ଷର ବଜେଟ ମଧ୍ୟ ଆଜି ଅନୁମୋଦନ ଲାଭ କରିଛି।

ଡିଆରଡିଏ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବାର୍ଷିକ ବୈଠକରେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ନିରଞ୍ଜନ ପୂଜାରୀ ଅଧକ୍ଷତା କରିଥିଲେ। ଜିଲ୍ଲା ଯୋଜନା ବୋର୍ଡର ସମସ୍ତ ସଦସ୍ୟଙ୍କ ସହ ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। କୃଷି ଓ ଜଳସେଚନ ପାଇଁ ୫୧ କୋଟି ୫୯ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ପାଇଁ ୩୨୬ କୋଟି ୭୮ ଲକ୍ଷ, ଜଳନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ୮୮ କୋଟି ୧୧ ଲକ୍ଷ, ବିଦ୍ୟୁତ ପାଇଁ ୯ କୋଟି ୬୮ ଲକ୍ଷ, ରାସ୍ତା ପରିବହନ ପାଇଁ ୨୪୫ କୋଟି, ସାମାଜିକ ସେବା ପାଇଁ ୭୭୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ଏହାସହିତ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା, ଶୀତଳଭଣ୍ଡାରର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ। ସେପଟେ ପୁରୀ ଜିଲ୍ଲାର ୧୧ଟି ବ୍ଲକ, ୨୬୮ଟି ଗ୍ରାମପଞ୍ଚାୟତ ଓ ୧୭୧୫ଟି ଗ୍ରାମର ବିକାଶ ସହ କୋଣାର୍କ, ନିମାପଡା ଓ ପିପିଲି ବିଜ୍ଞାପିତ ଅଞ୍ଚଳର ଉନ୍ନୟନ ପାଇଁ ଏହି ବ୍ୟୟବରାଦ କରାଯାଇଛି।

Comments are closed.