Latest Odisha News

BREAKING NEWS

ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ଦିନିଆ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ୯ ଜାନୁଆରୀ ୨୦୨୬ ଠାରୁ ଆରମ୍ଭ ହୋଇ ଜାନୁଆରୀ ୧୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଏକାମ୍ର କାନନଠାରେ ଅନୁଷ୍ଠିତ ହେବ। ଏନେଇ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (RPRC) ଘୋଷଣା କରିଛି।

ତେବେ ପ୍ରତିଦିନ ସକାଳ ୮.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ। ଏଠାରେ ମାଗଣା ପ୍ରବେଶ ରହିବା ସହ ପର୍ଯ୍ୟଟକଙ୍କ ସୁଗମ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ମାଗଣା ଯାନବାହାନ ପାର୍କିଂପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଟିଏ ସ୍ଥାନରେ ହିଁ ବିଭିନ୍ନ ପ୍ରକାରର ଫୁଲ ଗଛଗୁଡ଼ିକୁ ଏକାଠି ଦେଖିବାକୁ ମିଳିବ।ଯେଉଁଠାରେ ୬୫ରୁ ଅଧିକ ପ୍ରକାରର ଫୁଲ ଗଛ ସହିତ ଖୋଲା ନର୍ସରୀ ୟୁନିଟ୍, ଖାଦ୍ୟ ଷ୍ଟଲ୍ ଏବଂ ବିଭିନ୍ନ ପ୍ରଦର୍ଶନୀ ବିଭାଗ ସ୍ଥାପନ କରାଯିବ ବୋଲି RPRC ଅଧିକାରୀମାନେ କହିଛନ୍ତି।

ପୂର୍ବ ବର୍ଷର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ଅଧିକରୁ ଅଧିକ ଲୋକ ଏହି ପ୍ରଦର୍ଶନୀକୁ ଆସିବା ନେଇ ଆୟୋଜକମାନେ ଆଶା ରଖିଛନ୍ତି ଓ ସେହି ସ୍ଥାନ କୁ ଅଧିକ ଆକର୍ଷଣ ଏବଂ ଏଥିରେ ଉନ୍ନତ ବ୍ୟବସ୍ଥା ମାନ ପ୍ରଚଳନ କରିବାକୁ ଯୋଜନା କରିଥିବା ନେଇ ଜଣେ ଅଧିକାରୀ କହିଛନ୍ତି।

୨୦୨୬ ପ୍ରଦର୍ଶନୀର ପ୍ରମୁଖ ଆକର୍ଷଣଗୁଡ଼ିକ ମଧ୍ୟରେ ଅନେକ ନୂତନ ଶ୍ରେଣୀର ଫୁଲ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ସେଠାରେ ଆଠଟିରୁ ଅଧିକ ସେଲ୍ଫି ପଏଣ୍ଟ ଡିଜାଇନ୍ କରାଯାଇଥିବା ନେଇ ମଧ୍ୟ କୁହାଯାଇଛି।

ତେବେ ପୂର୍ବ ବର୍ଷଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସଙ୍ଗୀତ ଏବଂ ନୃତ୍ୟ ପ୍ରଦର୍ଶନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ନେଇ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ (PLA) ତରଫରୁ କୁହା ଯାଇଛି। RPRC ଏବଂ PLA ଦ୍ୱାରା ୨୦୦୬ ମସିହାରୁ ଚାଲି ଆସୁଥିବା ଏହି ବାର୍ଷିକ ଫୁଲ ପ୍ରଦର୍ଶନୀ ଓଡ଼ିଶା ରାଜଧାନୀରେ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ପାଲଟିଛି।

 

Leave A Reply

Your email address will not be published.