Latest Odisha News

BREAKING NEWS

କ୍ୟାପିଟାଲ୍ ହାଇସ୍କୁଲର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ରାଜଧାନୀର ପୁରାତନ ସରକାରୀ ବିଦ୍ୟାଳୟ କ୍ୟାପିଟାଲ ହାଇସ୍କୁଲର ୬୮ତମ ବାର୍ଷିକ ପୁରସ୍କାର ବିତରଣ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କଟକ-ଭୁବନେଶ୍ୱର ପୋଲିସ କମିଶନର୍ ସତ୍ୟଜିତ୍ ମହାନ୍ତି ଯୋଗଦାନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉତ୍ତବରେ ବିଦ୍ୟାଳୟ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରି ଶ୍ରୀ ମହାନ୍ତି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

ବିଦ୍ୟାଳୟର ମୁଖପତ୍ର ‘ରାଜଧାନୀ’ର ନୂତନ ସଂଖ୍ୟାକୁ ଉନ୍ମୋଚନ କରି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ବିକଶିତ କରି ଦେଶବିଦେଶର ସେବାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ବିଖ୍ୟାତ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ସାମ୍ପ୍ରତିକ କ୍ଷୟମୁଖୀ ସମାଜରେ ବିଦ୍ୟାର୍ଥୀମାନଙ୍କ ଗୁଣାତ୍ମକ ବିକାଶ ପାଇଁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଆୟକର ବିଭାଗର କମିଶନର୍ ଶିବ ପ୍ରସାଦ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଅନ୍ୟତମ ଅତିଥି ଭୁବନେଶ୍ୱର ମଣ୍ଡଳ ‘ଏସ ବି ଆଇ’ର ସହକାରୀ ମୁଖ୍ୟ ପ୍ରବନ୍ଧକ ପ୍ରଦୀପ କୁମାର ବିଶ୍ୱାଳ ଛାତ୍ରଛାତ୍ରୀଙ୍କ ଭିତରେ ଦେଶର ଅର୍ଥନୀତି ଓ ସମାଜନୀତିର ବିଚାରଧାରା ବିକଶିତ ହେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସିନେ କଳାକାର ପ୍ରୀତିରାଜ ଶତପଥୀ ବିଦ୍ୟାଳୟର ଭୂୟସୀ ପ୍ରଶଂସା କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀ ଛାତ୍ରଛାତୀମାନେ ଶିକ୍ଷା, ସଂସ୍କୃତି ଓ ସଭ୍ୟତାର ପ୍ରଗତିରେ ପାବଚ୍ଛ ହେବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୋନାମିକା ରାୟ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଉତ୍ସବ ଶେଷରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ଯୋଗଦାନ କରିଥିଲେ ।

Leave A Reply

Your email address will not be published.