Latest Odisha News

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍ ପ୍ରଶ୍ନପତ୍ର, ସାହିତ୍ୟ ପରେ ଆଜି ଇଂରାଜୀ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ସୋମବାର ଦିନ ସୋସିଆଲ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି ।

ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଏହି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧୫ ମିନିଟ୍ ପରେ ବଲାଙ୍ଗିର ସହରରେ ଇଂରାଜୀ ବିଷୟର ସେଟ୍-ଏ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଥିଲା ।

ଏହି ପରୀକ୍ଷା ପ୍ରଶ୍ନପତ୍ର ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ସଇଁତଳା ଅଞ୍ଚଳରେ ଭାଇରାଲ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପ୍ରଶ୍ନପତ୍ର ‘ନକଲି’ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

“ଭାଇରାଲ ହୋଇଥିବା ଇଂରାଜୀ ପ୍ରଶ୍ନପତ୍ର ସହ ଅସଲି ପ୍ରଶ୍ନପତ୍ର ମିଳାଇବା ପରେ ଏହା ମେଳ ଖାଉନଥିବା ଜଣାପଡିଛି ଏବଂ କିଛି ବ୍ୟକ୍ତି ବୋର୍ଡକୁ ବଦନାମ୍ କରିବା ପାଇଁ ଏଭଳି କାର୍ଯ୍ୟ କରୁଛନ୍ତି” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ର୍ବୋଡ ଅଧ୍ୟକ୍ଷା ଜାହାନ୍ ଆରା ବେଗମ୍ କହିଛନ୍ତି ।

ଆହୁରି ମଧ୍ୟ ସେ ପରୀକ୍ଷାର୍ଥୀ ମାନଙ୍କୁ କୌଣସି ଚିନ୍ତା ତଥା ମାନସିକ ଚାପ ବିନା ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ।

ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବିଏସଇ ୧୧ ଜଣ ଶିକ୍ଷକ ଓ ସେଣ୍ଟର ଇନ୍-ଚାର୍ଜଙ୍କୁ ନିଲମ୍ବିତ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ୯ ଜଣଙ୍କ ବିରୋଧରେ ମାମଲା ଦାଏର କରାଯାଇଛି । ଆହୁରି ମଧ୍ୟ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗରେ ପ୍ରାୟ ୭ ଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

ଏହାବ୍ୟତିତ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନାରେ ବନ୍ଧୁଗାଁ ହାଇ ସ୍କୁଲର ଶିକ୍ଷକ ଓ ସୁପରିଟେଣ୍ଡେଣ୍ଟ୍ଙ୍କ ବିରୋଧରେ ସୋମବାର ଦିନ ଏକ ମାମଲା ରୁଜୁ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଦ୍ୱାରା ଥାନାରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରଥମ ଦିନ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ ସେମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ।

Comments are closed.