Latest Odisha News

ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା

ଭୁବନେଶ୍ୱର: ମଦନ ମୋହନ ଜେନା ସଂପ୍ରତି ଓଡିଶାର ଜଣେ ପ୍ରତିଷ୍ଠିତ ପାଲା ଗାୟକ । ୧୯୬୧ ମସିହା ଫେବ୍ରୁଆରୀ ୯ ତାରିଖରେ କଟକ ଜିଲ୍ଲାର ନିଆଳୀ ନିକଟସ୍ଥ ଦହିଜଙ୍ଗ ଗ୍ରାମରେ ଜନ୍ମ କରନ୍ତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା । ବାପା ଗନ୍ଧର୍ବ ଜେନା ଓ ମାଆ ହାରାମଣି ଜେନାଙ୍କ ତିନି ପୁଅ ଓ ଦୁଇ ଝିଅ ମଧ୍ୟରେ ଜ୍ୟେଷ୍ଠ ସନ୍ତାନ ମଦନ । ଅଫୁରନ୍ତ ସ୍ନେହ ଲାଳିତ ଶୈଶବରେ ସେ ଦାରୁଣ ବିପର୍ଯ୍ୟୟର ଶିକାର ହୁଅନ୍ତି । ଷଷ୍ଠ ଶ୍ରେଣୀରୁ ପାଠପଢାରେ ଡୋରି ବନ୍ଧାହୁଏ । ଦୀର୍ଘ ତିନିବର୍ଷ ଦାରୁଣ ଆର୍ଥିକ ଦୁର୍ଗତୀ, ଦୁଃସହ ଅଭାବ ଅନଟନ ତାଙ୍କର କୈଶୋର ପ୍ରାଣକୁ ନିରସ କରିଦେଇଥିଲେ ମଧ୍ୟ କଳାପ୍ରତି ଅଦମ୍ୟ ଆଗ୍ରହରୁ ସେ ଗ୍ରାମର ସଂକୀର୍ତନ ଦଳର ଗାୟକ ହୋଇପାରିଥିଲେ । ସୁମଧୁର ସ୍ୱର ସଠିକ ତାଳ, ମାନ, ଲୟ ତାଙ୍କୁ ନଦିଆ ଜଗତରେ ପ୍ରଶଂସା ପ୍ରଦାନ କରିଥିଲା ।

ଏକଦା ଗୋପାଳଜିଉ ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀ ପୂଜା ଜାକଯମକରେ ପାଳିତ ହେଉଥାଏ । ଏହି ସମୟରେ ଅଷ୍ଟମ ପ୍ରହରୀ ନାମଯଜ୍ଞରୃ ସୁମଧୁର ସ୍ୱର ଝଙ୍କାର ଆକର୍ଷିତ କଲା ପ୍ରଧାନ ଶିକ୍ଷକଙ୍କୁ । ସେତେବେଳେ ପ୍ରଧାନଶିକ୍ଷକ ଥିଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜକିଶୋର ଦାଶ । ସେ ଦେବଦୂତ ପରି ପୁଣିଥରେ ଅଷ୍ଟମ ଶ୍ରେଣୀରେ ମଦନମୋହନଙ୍କର ନାମ ଲେଖାଇଦେଲେ ।

ଜୀବନ ଚକ୍ରର ପଟ୍ଟ ପରିବର୍ତନ କଲେ ଶିକ୍ଷାଗୁରୁ ଶ୍ରୀଯୁକ୍ତ ଦାଶ । ମାଗଣାରେ ବହିପତ୍ର, କାଗଜ, କଲମ, ପୋଷାକ ଏପରିକି ନିଜ ବସାରେ ରଖି ଖାଇବା ପିଇବାର ବନ୍ଦୋବସ୍ତ ମଧ୍ୟ କରିଦେଇଥିଲେ । ୧୯୭୭ ମସିହାରେ ମଦନ ସଫଳତାର ସହିତ ମାଟ୍ରିକ ପାସ୍ କଲେ । ପଢା ସମୟରେ ବାର୍ଷିକ ଉତ୍ସବମାନଙ୍କରେ ଦାସକାଠିଆ ପରିବେଷଣ କରିବା, ନାଟକରେ ଅଭିନୟ କରିବା, ଗୀତିନାଟ୍ୟରେ ପ୍ରଚ୍ଛଦପଟର ଗାୟକ ହିସାବରେ ଅନେକ ପ୍ରଶଂସା ସାଉଁଟିଥିଲେ ମଦନ ମୋହନ ।

୧୯୮୧ ମସିହାରେ ବି.ଏ. ପାସ୍ କଲାପରେ ସ୍ଥାନୀୟ ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ବିଦ୍ୟାପୀଠ, ମହଙ୍ଗପଡାରେ କଳା ଶିକ୍ଷକ ଭାବେ ମଦନ ନିଯୁକ୍ତି ପାଇଲେୃ । ଘଟଣା ଚକ୍ରରେ ଅଚାନକ ଦୈବୀ ସୁଯୋଗ ମିଳିଲା ପାଲା ଗୁରୁ ଶ୍ରୀଯୁକ୍ତ ମଧୁସୂଦନ ପାଢୀଙ୍କର ଶିଷ୍ୟତ୍ୱ ଗ୍ରହଣ କରିବାର । ଏକ ଅମୃତ ବେଳାରେ ଗୁରୁ ମଦନଙ୍କୁୃ ଚାମର ପ୍ରଦାନ ସହ ଆଶୀର୍ବାଦ ପ୍ରଦାନ କଲେ । ଏହାପରଠାରୁ ସେ ପାଲାକୁୃ ଜୀବନର ବ୍ରତ କରି ଗୁରୁଜନ-ପିତା-ମାତା ଓ ମାମୁଁ ଭଗବାନ ଜେନା (ପ୍ରତିଷ୍ଠିତ ପାଲା ବାୟକ)ଙ୍କ ଅପାର କଲ୍ୟାଣରୁ ୃପାଲା ଜଗତରେ ଆଗେଇ ଚାଲିଲେ । ଏହା ମଧ୍ୟରେ ସେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଏମ.ଏ. ଏବଂ ରାଧାନାଥ ଟ୍ରେନିଂ କଲେଜରୁ ବିଏଡ୍ ପାସ୍ କରି ଶିକ୍ଷା କ୍ଷେତ୍ରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେ । ଆଜି ପାଲା ଜଗତରେ ସୁଦୀର୍ଘ ପଥୃ ଅତିକ୍ରମ ପୂର୍ବକ ଓଡିଶାର ପ୍ରଥିତଯଶା ପାଲାକାର ମାନଙ୍କ ମଧ୍ୟରେ ସ୍ଥାନ ସଂରକ୍ଷଣରେ ସକ୍ଷମହୋଇପାରିଛନ୍ତି ମଦନ ମୋହନ ଜେନା ।

କୌଣସି ନିଷ୍ଠାପର ଉଦ୍ୟମ ବିଭୁ ଦରବାରରେ ବିଫଳ ହୁଏନା । ପରିବାରର ଜ୍ୟେଷ୍ଠ ସନ୍ତାନ ହିସାବରେ ଯାବତ୍ ଦୁଃଖ ଦୈନ୍ୟକୁ ସାମ୍ନା କରି, ପାଲା ଓ ଟିଉସନରୁ ଲବ୍ଧ ଅର୍ଥରେ ମଦନ ପରିବାରର ଭାର ବହନ କରିବାକୁ ସକ୍ଷମ ହୋଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଅବୈତନିକ ଭାବେ ଶିକ୍ଷା ପ୍ରଦାନ କରି ମଧ୍ୟ ସେ ଛାତ୍ରଛାତ୍ରୀ ମହଲରେ ସମ୍ମାନର ଅଧିକାରୀ ହୋଇଥିଲେ । ଆଜି ଜଣେ କୃୃତି ଶିକ୍ଷକ ଭାବେ ସାରା ଅଂଚଳରେ ସେ ଗୌରବ ଲାଭ କରିଛନ୍ତି ।

ଆଗଧାଡିର ଗାୟକମାନଙ୍କ ସହ ପ୍ରତିଯୋଗିତା କ୍ଷେତ୍ରରେ ପାଲା କରି ଯେତିକି ପ୍ରଶଂସା ସାଉଁଟିଥିଲେ, ତାଠାୃରୁ ଅଧିକ ସେମାନଙ୍କଠାରୁୃ ଶିକ୍ଷାଗ୍ରହଣର ସୁଯୋଗ ପାଇଥିଲେ । କଠିନ ଅଧ୍ୟବସାୟ ସହିତ ପ୍ରତିପକ୍ଷ ଗାୟକଙ୍କର ସାଣିତ ସମାଲୋଚନା ଓ କଟୁ କଟାକ୍ଷ ବିଭିନ୍ନ ଦିଗରୁ ଶିକ୍ଷା ଗ୍ରହଣ ପାଇଁ ଏକ ପ୍ରକାର ବାଧ୍ୟ କରୁଥିଲା ତାଙ୍କୁ । ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ବାକ୍ ଚାତୁରୀ, ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କର ଭାଗବତ ତତ୍ୱ ମିମାଂସା, ଗାୟକ ଆଚାର୍ଯ୍ୟ ଅମର ଦାସଙ୍କର ମାଳିକା ଆଲୋଚନା, ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତଙ୍କର ଶାଣିତ ସମାଲୋଚନା ଶୈଳୀ, ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶଙ୍କର ବହୁ ଶାସ୍ତ୍ର ପାରଦର୍ଶିତାକୁ ଅକପଟ ହୃୃଦୟରେ ସ୍ୱୀକାର କରନ୍ତି ମଦନ ମୋହନ ଜେନା । ତଥାପି ଏମାନଙ୍କ ସହିତ ଏବଂ ଗାୟକ ସୁଧାକର ଯୁଦ୍ଧିଷ୍ଠିର ପରିଜା, ଗାୟକ କୌସ୍ତୁଭ ରବୀନ୍ଦ୍ର ସାମନ୍ତରାୟ, ଗାୟକ ବାଚସ୍ପତି ବନବିହାରୀ ଗ୍ରହାଚାର୍ଯ୍ୟଙ୍କ ପରି ପ୍ରଥିତଯଶା ଗାୟକଙ୍କୁୃ ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବାଦୀ ଗାୟକ ହିସାବରେ ସମାଲୋଚନାରେ ଶରବ୍ୟ କରି କ୍ଷତାକ୍ତ କରୁଥିଲେ ମଧ୍ୟ ସେମାନଙ୍କର ସ୍ୱକୀୟ ଗୁଣବତାକୁ ସମ୍ମାନର ସହ ଗ୍ରହଣ କରନ୍ତି ମଦନ ମୋହନ ଜେନା, ଯାହା ତାଙ୍କ ବିଶାଳ ହୃଦୟର ପରିଚୟ ଦିଏ ।

ସାରଳା ସାହିତ୍ୟ, ଆଧ୍ୟାତ୍ମିକ ପଂଚସଖା ସାହିତ୍ୟ, ରୀତିଯୁଗର ଭଞ୍ଜ ସାହିତ୍ୟ, ଆଧୁନିକ ଯୁଗ, ସବୁଜ ଯୁଗ, ପ୍ରଗତିବାଦୀ ଯୁଗ ତଥା ଉତର ଆଧୁନିକ ଯୁଗର ଛନ୍ଦ ସାହିତ୍ୟ ସବୁକୁ ପାଲୃାରେ ରସୋତୀର୍ଣ୍ଣ ଶୈଳୀରେ ପ୍ରୟୋଗ କରିବାରେ ବେଶ୍ ଧୁରୀଣ ମଦନ ମୋହନ ଜେନା । ରାମାୟଣ, ମହାଭାରତ, ସଂସ୍କୃତ କାବ୍ୟନାଟକ, ଓଡିଆ କାବ୍ୟ ଧାରାକୁ ପାଲା ମାଧ୍ୟମରେ ଆଲୋଚନା କରି ସବୁ ବର୍ଗ ଓ ବୟସର ଶ୍ରୋତାଙ୍କୁ ସମୁଚିତ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ବୈଜ୍ଞାନିକ ସିଦ୍ଧାନ୍ତ ପ୍ରଦାନ କରୁଥିବାରୁୃ ସେ ପାଲା ଜଗତରେ ଗାୟକ ସିଦ୍ଧାନ୍ତଦର୍ଶୀ ଭାବେ ପରିଚିତ ହେବା ସହ ଏହି ପଦବୀର ସାର୍ଥକତା ପ୍ରତିପାଦନ କରିଛନ୍ତି । ମିମାଂସାଯୁକ୍ତ ଅୃାଲୋଚାଧର୍ମୀ ପାଲା ପରିବେଷଣରେ ବୌଦ୍ଧିକ ସିଦ୍ଧାନ୍ତ ପ୍ରୟୋଗ ସାଧାରଣ ଜନତାଙ୍କଠାରୁ ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖେ ।

ପାଲାର ମୌଳିକତାକୁୃ ଅକ୍ଷୁର୍ଣ୍ଣ ରଖି ସବୁବର୍ଗର ଶ୍ରୋତାଙ୍କୁ ଆକର୍ଷିତ କରିବାର କଳାରେ ପାରଙ୍ଗମ ଶ୍ରୀଯୁକ୍ତ ଜେନା । ରାଜ୍ୟର କୋଣ ଅନୁକୋଣରୁ ଶତାଧିକ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।

ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁୃ ଗାୟକ ସିଦ୍ଧାନ୍ତଦର୍ଶୀ, ଗାୟକ ସୁଧାକର, ଗାୟକ କଳକଣ୍ଠ, ଗାୟକ କୋକିଳ, ଗାୟକ ତତ୍ୱଦର୍ଶୀ, ଆଦି ଅନେକ ଉପାଧି ମିଳିଛି ।

ଏହାସହ ଶ୍ରୀ ନୀଳାଚଳ ନିଖିଳୋକ୍ରଳ ପାଲା ଗାୟକ ପରିଷଦର ସଭାପତି ଭାବରେ ସେ ଅବସ୍ଥାପିତ । ନିଜର ଧୀର, ନମ୍ର ବ୍ୟବହାର, ସମସ୍ୟା ସମାଧାନର ଶୈଳୀ ସାଙ୍ଗକୁ ସାଂଗଠନିକ ଦକ୍ଷତା ପରିଷଦର ପ୍ରଭୁତ ଉନ୍ନତି ସାଧନରେ ସକ୍ଷମ ହୋଇପାରିଛି ।

Leave A Reply

Your email address will not be published.