ଭୁବନେଶ୍ବର : ରାଜଧାନୀରେ ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ମୋଟ ୫୬ ଜଣ ଡେଙ୍ଗୁ ରୋଗୀ । ଫଳରେ ଭୁବନେଶ୍ବରରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୮୩୭ରେ ପହଞ୍ଚିଛି । ଡେଙ୍ଗୁରୁ ବର୍ତ୍ତମାନ ସୁଦ୍ଧା ୧୪୫୬ ଜଣ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି ୩୮୧ ।
ଗତ ୨୪ ଘଣ୍ଟାରେ ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୨୮ ହଜାର ୧୫୭ଟି ଘରେ ମୋଟ ୧ ଲ’ ୧୭ ହଜାର ୭୮୯ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ସେହିପରି ୭୦ ହଜାର ୯୪୦ଟି ସମ୍ଭାବ୍ୟ ମଶା ବୃଦ୍ଧି ସ୍ଥାନକୁ ହଟାଯାଇଛି । ଏହାସହ ୭୩ ହଜାର ୧୧୦ଟି ସ୍ଥାନରୁ ମଶାର ଲାର୍ଭାକୁ ଚିହ୍ନଟ କରି ନଷ୍ଟ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି । ଡେଙ୍ଗୁ ମଚକାବିଲା ପାଇଁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ମଶା ଧୂଆଁ ଛଡାଯାଉଛି । କିପରି ଏହାକୁ ରୋକାଯାଇ ପାରିବ ସେନେଇ ନିଜ ଘରର ଚାରିକଡ଼କୁ ସଫା ରଖିବାକୁ ପରାମର୍ଶ ଦିଆଯାଉଛି । ଯେଉଁ ସବୁ ସ୍ଥାନରେ ଡେଙ୍ଗୁ ମଶାଙ୍କ ସଂଖ୍ୟା ବୃଦ୍ଧି ପାଉଛି, ସେସବୁ ସ୍ଥାନରେ ମଶା ବଂଶକୁ ନଷ୍ଟ କରାଯାଉଛି ।
Comments are closed.