Latest Odisha News

J&K Cloudburst: ଜମ୍ମୁ-କାଶ୍ମୀରରେ ପୁଣି ବାଦଲଫଟା ବର୍ଷା; ୩ ମୃତ, ୫ ନିଖୋଜ

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ପ୍ରକୃତିର ତାଣ୍ଡବ। ଅଚାନକ ବାଦଲ ଫଟା ବର୍ଷାରେ ଜମ୍ମୁ ଓ କଶ୍ମୀରର ରାମବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ନିଖୋଜ ଥିବା ସୂଚନା ରହିଛି। ରାମବନ ଜିଲ୍ଲାର ରାଜଗଡ଼ ତହସିଲରେ ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଛି। ସେହିପରି ସିଆସି ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଘର ମଧ୍ୟ ନଷ୍ଟ ହୋଇଯାଇଛି। ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି, ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। ବହୁ ସଂଖ୍ୟକ ସ୍ଥାନୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାନ୍ଦିପୋରାର ଗୁରେଜ ସେକ୍ଟରରେ ମଧ୍ୟ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷତି ହୋଇଛି। ଗୁରେଜରେ କୌଣସି ମୃତାହତର ଖବର ନଥିବା ବେଳେ ଲୋକଙ୍କ ଭିତରେ ଭୟ ଖେଳିଯାଇଛି। ଗତ କିଛି ଦିନ ଧରି ଜମ୍ମୁ ଓ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଥିବାରୁ ଅନେକ ସ୍ଥାନରେ ଭୂସ୍ଖଳନ ଭଳି ପରିସ୍ଥିତି ଦେଖିବାକୁ ମିଳିଛି। ବର୍ଷା ଓ ବନ୍ୟା ପ୍ରଭାବରେ ଅନେକ ରାସ୍ତା ସଂଯୋଗୀକରଣ ବି ବିଚ୍ଛିନ୍ନ ହୋଇଛି। ଜମ୍ମୁ-ଶ୍ରୀନଗରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୪୪ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଥାଉକି ଗତକିଛି ଦିନ ହେବ ଜମ୍ମୁ ଓ କାଶ୍ମୀରରେ ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହେଉଛି। ସମ୍ପ୍ରତିରେ କିସ୍ତୱାଡ ଜିଲ୍ଲାର ଚୌସିତି ଗାଁରେ ମଚୈଲ ମାତା ତୀର୍ଥଯାତ୍ରା ମାର୍ଗରେ ବାଦଲ ଫଟା ବର୍ଷା ହେବା ପରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁର୍ଘଟଣାଟି ୧୫ ଅଗଷ୍ଟରେ ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଦୁଇ ଜଣ CISF ଯବାନ ଏବଂ ଅନେକ ତୀର୍ଥଯାତ୍ରୀ ସାମିଲ ଥିଲେ। ପ୍ରାୟ ୫୦ରୁ ୨୨୦ ଜଣ ନିଖୋଜ ଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

 

Comments are closed.