ମୁମ୍ବାଇ: ଦିନକୁ ଦିନ ଅସହ୍ୟ ହୋଇପଡୁଛି କରୋନା ଯନ୍ତ୍ରଣା । ଅନେକ ଲୋକ ଏଥିରେ ଛଟପଟ ହେଉଥିବା ବେଳେ ଅନେକ ଏହାପାଇଁ ହନ୍ତସନ୍ତ ହେଉଛନ୍ତି ।
କରୋନା ପାଇଁ ବର୍ତ୍ତମାନ ଅନ୍ଲାଇନ୍ କ୍ଲାସ ଚାଲିଛି । ମାତ୍ର, ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ସୁବିଧା ନାହିଁ । ଫଳସ୍ୱରୂପ ଏସବୁ ନଥିବା ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଅନଲାଇନ କ୍ଲାସକୁ ନେଇ ପୁଣି ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ଅନଲାଇନ୍ କ୍ଲାସରେ ଯୋଗଦେବା ପାଇଁ ସ୍ମାର୍ଟଫୋନ୍ ନ ଥିବାରୁ ଜଣେ ୧୫ ବର୍ଷର ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ରର ସାତାରା ଜିଲ୍ଲାର କରାଡ ସହରଠାରୁ ୧୦ କିଲୋମିଟର ଦୂରରେ ଥିବା ଓଣ୍ଡ ଗ୍ରାମରେ ଘଟିଛି ଏହି ଘଟଣା।
ମୃତ ଝିଅର ନାମ ସାକ୍ଷୀ ଆବାସାହେବ ପୋଲ ବୋଲି ଜଣାପଡିଛି । ସେ ପଣ୍ଡିତ ଜିବି ପାନ୍ତ ହାଇସ୍କୁଲର ଛାତ୍ରୀ ଅଟନ୍ତି। କରୋନା ଯୋଗୁଁ ତାଙ୍କର ଅନଲାଇନ କ୍ଲାସ ଚାଲିଥିଲା ।
ମାତ୍ର ତାଙ୍କ ମାଆ ଜଣେ ଦିନ ମଜୁରିଆ ହୋଇଥିବାରୁ ଝିଅକୁ ସ୍ମାର୍ଟଫୋନ କିଣି ଦେବାରେ ଅକ୍ଷମ ଥିଲେ । ସାକ୍ଷୀ ବାରମ୍ବାର ଫୋନ ପାଇଁ ଜିଦ କରୁଥିଲେ ସୁଧା ମାଆ ତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ କହୁଥିଲେ ।
ସେପ୍ଟେମ୍ବର ୨୩ ରେ, ସେ ପୁନର୍ବାର ସମାନ ଦାବି କରିଥିଲେ କିନ୍ତୁ ତାଙ୍କ ମା ଏହି ପ୍ରସଙ୍ଗରେ ଅକ୍ଷମତା ପ୍ରକାଶ କରିଥିଲେ। ସେ ଚାଲିଯିବାର କିଛି ସମୟ ପରେ ସାକ୍ଷୀ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଓ ପଡ଼ୋଶୀ ତାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ।