ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । ଏହାକୁ ନେଇ ଏବେ ମେଡିକାଲ ଯାଂଚ ଟିମ୍ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ପରିବାର ଲୋକେ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ରିପୋର୍ଟ ଅନୁଯାୟୀ, ପୀଡ଼ିତାଙ୍କ ଗଳାରେ ଏକ ଆଘାତର ଚିହ୍ନ ରହିଛି ଏବଂ ହାଡ଼ ମଧ୍ୟ ଭାଙ୍ଗିଯାଇଛି। ସଫଦରଗଞ୍ଜ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଭିସେରା ରିପୋର୍ଟ ଆସିବା ପରେ ହିଁ ପୀଡ଼ିତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଗଳାରେ ଚିହ୍ନ ଥିବା ନେଇ ସ୍ପଷ୍ଟ କରାଯାଇଛି। ପୀଡ଼ିତାଙ୍କୁ ଏକାଧିକ ଥର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି। ତେବେ ଗଣଦୁଷ୍କର୍ମ କରାଯାଇଥିବା କଥା କେଉଁଠି ମଧ୍ୟ ଉଲ୍ଲେଖ କରାଯାଇ ନାହିଁ ।
ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ଘଟଣାଟି ସେପ୍ଟେମ୍ବର ୧୪ ସକାଳ ପ୍ରାୟ ୯ଟା ସମୟର । ତେବେ ଅପରାହ୍ନ ୪ଟା ସମୟରେ ପୀଡ଼ିତାଙ୍କୁ ଆଲିଗଡ଼ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ୨୮ ତାରିଖ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଚିକିତ୍ସା ଚାଲିଥିବା ବେଳେ ହିଁ ୨୯ ତାରିଖ ସକାଳ ୬.୫୫ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି।
ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ଗମ୍ଭୀର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେପଟେ ୟୁପି ସରକାର ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏସଆଇଟି ଟିମ୍ ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।