ଢାକା: ବାଂଲାଦେଶରେ ଗତ ୨୪ ଘଣ୍ଟାରେ ୨ ଜଣ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏକାକୁ ମିଶାଇ ୧୮ ଦିନରେ ୬ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ଗତକାଲି ରାଣା ପ୍ରତାପ ବୈରାଗୀ (୪୫)ଙ୍କୁ ହତ୍ୟା କରାଯାଇଥିବେଳେ, ଏବେ ମଣି ଚକ୍ରବର୍ତ୍ତୀ ନାମଙ୍କ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମଣିଙ୍କର ତେଜରାତି ଦୋକାନ ଥିଲା ।
ସୋମବାର ରାତି ପ୍ରାୟ ୮ଟାରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ସବୁଦିନ ପରେ ମଣି ତାଙ୍କ ତେଜରାତି ଦୋକାନରେ ବସିଥିଲେ । ସେହି ସମୟରେ କିଛି ଅଜ୍ଞାତ ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଲେ ଅଧା ବଟାରେ ଆଖି ବୁଜିଥିଲେ ମଣି । ତେବେ ମଣି ଜଣେ ଶାନ୍ତ ସ୍ବଭାବର ମଣିଷ ଥିଲେ । ତାଙ୍କର କେହି ଶତୃ ନଥିବା ସ୍ଥାନୀୟ ଦୋକାନୀ ମାନେ କହିଛନ୍ତି ।
ଏହାକୁ ନେଇ ବାଂଲାଦେଶୀ ହିନ୍ଦୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କେତେ ବେଳେ କିଏ ଏହିପରି ବର୍ବରତାର ଶିକାର ହେବ ସେନେଇ ସମସ୍ତଙ୍କ ମନରେ କୋକୁଆ ଭୟ ଦେଖିବାକୁ ମିଳିଛି ।
ତେବେ ପ୍ରଥମେ ୧୮ ଡିସେମ୍ବରରେ ଦୀପୁ ଚନ୍ଦ୍ର ଦାସଙ୍କୁ ମୁସଲିମ ଭିଡ ପିଟି ପିଟି ମାରିବା ପରେ ତାଙ୍କ ମୃତଦେହକୁ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ଏହା ପରେ ଡିସେମ୍ବର ୨୫ରେ ଏକ ଭିଡ଼ ହିଂସାରେ ଅମୃତ ମଣ୍ଡଳଙ୍କୁ ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ, ଡିସେମ୍ବର ୨୯ରେ, ମେହରାବାରି ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଥିବା ସମୟରେ ବଜେନ୍ଦ୍ର ବିଶ୍ୱାସ (୪୨)ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ଆକ୍ରମଣ ହୋଇଥିଲା । ଜୀବନ ମୃତ୍ୟୁ ସହ ଲଢେଇ ପରେ ଗତ ଶନିବାର ସେ ଆଖି ବୁଜିଥିଲେ । ଏହାପରେ ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲେ । ୨୪ ଘଣ୍ଟା ଭିତରେ ଆଉ ଜଣେ ଯୁବକ ମଣି ଚକ୍ରବର୍ତ୍ତୀଙ୍କୁ ହତ୍ୟା କରାଯାଇଛି ।