Latest Odisha News

ଘର ସାମ୍ନାରୁ କୁଆଡେ ଗଲା ପ୍ରିନ୍ସ; ତିନି ଦିନ ହେଲା ପତ୍ତା ମିଳୁନି

ଝାରସୁଗୁଡା: ସମର୍ଥ ବର୍ମା ଅପହରଣ ଓ ହତ୍ୟା ମାମଲାର ଦୁଃଖଦ ସ୍ମୃତି ମନରୁ ହଟିନି । ପୁଣି ସାମ୍ନାକୁ ଆସିଛି ଆଉ ଏକ ନାବାଳକ ନିଖୋଜ ମାମଲା । ପୁଣି ସେଇ ଝାରସୁଗୁଡା ଜିଲ୍ଲାରୁ । ଘର ସାମ୍ନାରୁ ଜଣେ ନାବାଳକ ନିଖୋଜ ହୋଇ ଯାଇଛନ୍ତି । ଗତ ଶୁକ୍ରବାର ଅର୍ଥାତ ୭ ତାରିଖରୁ ସେ ନିଖୋଜ ହେଲେଣି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ନାବାଳକକୁ ଖୋଜୁଥିବା ଝାରସୁଗୁଡା ଏସପି ସ୍ପଷ୍ଟ କରିଛନ୍ତି ।

ନିଖୋଜ ନାବାଳକଙ୍କ ନାଁ ପ୍ରିନ୍ସ । ୯ ବର୍ଷ ବୟସର ପ୍ରିନ୍ସ ୩ୟ ଶ୍ରେଣୀରେ ପଢନ୍ତି । ଘର ତାଙ୍କର ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଅଞ୍ଚଳରେ । ପ୍ରିନ୍ସଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା । ଗତ ୭ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା’ଙ୍କ ପାଖରେ ବାପା ବି ଡାକ୍ତରଖାନାରେ ଥିଲେ ।

ଘରେ ବଡ ଭାଇଙ୍କ ସହ ପ୍ରିନ୍ସ ରହୁଥିଲେ । ସେଦିନ ଅପରାହ୍ନରେ ପ୍ରିନ୍ସ ଘର ସାମ୍ନାରେ ଛିଡା ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ହେଲେ ସେବେଠୁ ସେ ଘରକୁ ଫେରି ନାହାନ୍ତି । ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ୯ ତାରିଖ ପୋଲିସରେ ଅଭିଯୋଗ କରିଛନ୍ତି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ପ୍ରିନ୍ସ ଏହା ପୂର୍ବରୁ ମଧ୍ୟ ୨ ଥର ଏମିତି ନିଖୋଜ ହେଇଯାଇଥିଲେ । ତେବେ ଆପେ ଆପେ ଫେରି ଆସିଥିଲେ । ଏଥର ମଧ୍ୟ ପରିବାର ଲୋକେ ଭାବିଥିଲେ ପ୍ରିନ୍ସ ଫେରି ଆସିବେ । ହେଲେ ସେ ନ ଆସିବାରୁ ଏବେ  ପରିବାର ଲୋକେ ଚିନ୍ତାରେ ଅଛନ୍ତି ।

ଅନ୍ୟପକ୍ଷେ ସମର୍ଥ ବର୍ମା ଅପହରଣ ଓ ହତ୍ୟା ମାମଲା ଜିଲ୍ଲା ପୋଲିସର ଅପାରଗତାକୁ ପଦାରେ ପକାଇଥିବାବେଳେ ପୁଣି ଏକ ନାବାଳକ ନିଖୋଜ ଜିଲ୍ଲା ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏହା ଅପହରଣ ନା ଅନ୍ୟ କିଛି ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ । ପରିବାର ଲୋକଙ୍କ ପାଖକୁ ମଧ୍ୟ ସେମିତି କିଛି ଫୋନ କଲ ଆସିନାହିଁ ।

Comments are closed.