Latest Odisha News

BREAKING NEWS

ସୋନିପଥ ମସ୍‌ଜିଦ୍‌ରେ ଆକ୍ରମଣ; ୧୯ ଜଣଙ୍କ ନାଁରେ ମାମଲା ରୁଜୁ

ଚଣ୍ଡିଗଡ଼: ରାମନବମୀ ଠାରୁ ଦେଶରେ ସାମ୍ପ୍ରଦାୟିକ ସ୍ଥିତି ବିଗିଡ଼ିଯାଇଛି। ଉତ୍ତର ଠାରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଠାରୁ ଆରମ୍ଭ କରି ପୂର୍ବ  ଭାରତରେ ସବୁଠି ଛୋଟବଡ଼ ହିଂସା ଦେଖିବାକୁ ମିଳୁଛି। କୁହୁଳି ଥିବା ଧୂଆଁ ବେଳେ ବେଳେ ହିଂସା ରୂପ ନେଉଛି। ହରିଆଣା ସୋନିପଥ ସନ୍ଦଲ କଲାଁ ଗାଁରେ ପୁଣି ହିଂସା ଦେଖିବାକୁ ମିଳିଛି। ମସ୍‌ଜିଦ୍‌ରେ ନମାଜପାଠ କଲା ବେଳେ ପାଖାପାଖି ୨୦ ଜଣିଆ ଏକ ଗ୍ରୁପ୍‌ ମସ୍‌ଜିଦ୍‌ରେ ଭଙ୍ଗାରୁଜା କରିବା ସହ ନମାଜପାଠକାରୀଙ୍କ ଉପରେ ବି ଆକ୍ରମଣ କରିଛନ୍ତି। ରବିବାର ଏଭଳି ଘଟଣା ଘଟିଥିବା ବେଳେ ୧୯ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଆକ୍ରମଣକାରୀମାନେ ଗୋଟିଏ ଗାଁର ଥିଲେ। ରବିବାର ପାଖାପାଖି ୧୫-୨୦ ଲୋକ ମାରଣାସ୍ତ୍ର ଧରି ଗାଁରେ ଏକ ଛୋଟ ମସ୍‌ଜିଦ୍‌ରେ ନମାଜପାଠ କରୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରୁ ଆସିଥିବା ଭିଡିଓ ଅନୁସାରେ, ଦୁର୍ବୃତ୍ତମାନେ ହାତରେ ବାଉଁଶ, ବାଡ଼ି ଧରି ରାସ୍ତାରେ ବୁଲୁଥିବାର ଦେଖାଯାଉଛି।

ତେବେ ହଠାତ୍ କାହିଁକି ହିଂସା ହେଲା ତାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ହିଂସାକାଣ୍ଡରେ ୧୯ ଜଣଙ୍କ ନାଁରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି। ଘଟଣାରେ ୯ ଜଣର ଅଧିକ ଲୋକ ଆହତ ହୋଇଛନ୍ତି। ସେମାନେ ହେଲେ ଇସ୍ତିଆକ ଅଲ୍ଲୀ, ଅଲମୀର ସବୀର ଅଲୀ, ଫରୟାଦ, ଅନସର ଅଲୀ, ଜୁଲେଖା, ଅଲୀ ତାବ, ନର୍ଗିସ ଏବଂ ଜରିନା। ଆହତମାନଙ୍କୁ ସୋନିପଥ ସିଭିଲ ହସ୍‌ପିଟାଲ୍‌ରେ ଭର୍ତି କରି ସେମାନଙ୍କର ଚିକିତ୍ସା କରାଯାଉଛି।

ସୂଚନା ଥାଉକି ସୋନିପଥ ହରିଆଣାର ଶିଳ୍ପବହୁଳ ସ୍ଥାନ ହୋଇଥିବା ବେଳେ ଏଭଳି ହିଂସା ଘଟିବା ପରେ ଗାଁରେ ବିପୁଳ ପୁଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.