Latest Odisha News

BREAKING NEWS

ଜଳପ୍ରପାତରେ ଭାସିଗଲେ ଆଉ ଜଣେ ଯୁବକ

କେନ୍ଦୁଝର: କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଶୁକ୍ରବାର ଦିନ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି।

ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ ଗ୍ରାମର ବାସିନ୍ଦା ଲିପୁନ ବେହେରା ବୋଲି ଚିହ୍ନଟ କରାଯାଇଛି। ସେ ଦୁଇ ବନ୍ଧୁଙ୍କ ସହିତ ଜଳପ୍ରପାତରେ ଗାଧୋଇବା ପାଇଁ ଯାଇଥିଲା ବେଳେ ରିଲ୍ସ ବନାଉଥିଲେ।

ଗତ କିଛି ଦିନ ଧରି ବର୍ଷା ଲାଗିରହିଥିବାରୁ ପାଣିର ପ୍ରବାହ ତୀବ୍ର ଥିଲା। ଫଳରେ ସେ ଜଳପ୍ରପାତର ଉପର ଭାଗରେ ଗାଧୋଉଥିବା ସମୟରେ ଭାରସାମ୍ୟ ହରାଇ ବସିଥିଲେ ଓ ତଳଭାଗରେ ଥିବା ଏକ ଗଭୀର ପୁଷ୍କରିଣୀରେ ପଡ଼ିଯାଇ ନିଖୋଜ ହୋଇଯାଇଥିଲେ। ଏସବୁ ମଧ୍ୟରେ ତାଙ୍କ ଫୋନ ହଜିଯାଇଥିବା ନେଇ ସାଙ୍ଗ ମାନେ ଜଣାଇଥିଲେ।

ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ଲିପୁନଙ୍କୁ ଖୋଜାଖୋଜି କରି ନପାଇବାରୁ ସ୍ଥାନୀୟ ଲୋକ ପାଲଲହରା ଏବଂ ବଂସପାଳ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଯୋଗାଯୋଗ କରି ସନ୍ଧାନ କରିବା ଆରମ୍ଭ କରିଥିଲେ କିନ୍ତୁ କୌଣସି ଖୋଜ ଖବର ନ ମିଳିବାରୁ ଆଜି ସକାଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନର୍ବାର ସନ୍ଧାନ ଆରମ୍ଭ ହୋଇଥିଲା।

ଅପରପକ୍ଷରେ ଏହି ଜଳପ୍ରପାତ ମାତ୍ର ଦୁଇ ବର୍ଷ ପୂର୍ବେ ଲୋକ ଲୋଚନକୁ ଆସିଥିଲା ଯାହାକି ଜଙ୍ଗଲ ମଧ୍ୟରେ ଅବସ୍ଥିତ ଅଟେ।ଏକ ସପ୍ତାହ ପୂର୍ବରୁ ଏହିପରି ଏକ ଘଟଣା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ମଧ୍ୟ ଘଟିଥିଲା।

 

Comments are closed.