ଝାରସୁଗୁଡ଼ା: ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ୱାଲଙ୍କୁ ପ୍ରଥମେ ଅପହରଣ ପରେ ହତ୍ୟା ଘଟଣାରେ ଝାରସୁଗୁଡ଼ା ପୁଲିସ ରବିବାର ବୁର୍ଲାରୁ ଜଣଙ୍କୁ ଉଠାଇ ନେଇଛି। ଉକ୍ତ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଝାରସୁଗୁଡ଼ା ପୁଲିସ ଏଯାଏ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କୁ ଅଟକ ରଖିବା ପଛର ପ୍ରକୃତ କାରଣ ପ୍ରକାଶ କରିନାହିଁ।
ଏହି ଘଟଣାରେ ଝାରସୁଗୁଡ଼ାର ଅମିତ କୁମାର ଶର୍ମା ଓ ବ୍ରଜରାଜନଗରର ଦୀନେଶ କୁମାର ଅଗ୍ରଓ୍ୱାଲଙ୍କୁ ଗିରଫ କରାଯାଇଛି। ପୋଲିସ ଏବେ ଏମାନଙ୍କୁ ଜେରା କରୁଛି। ସେହିପରି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଇଛି। ଆଉ ଅପହରଣ ବେଳର ଏକ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିବା ସୂଚନା ରହିଛି।
କିଭଳି ଅଭିଯୁକ୍ତମାନେ ଝାରସୁଗୁଡ଼ାରୁ ସମର୍ଥଙ୍କୁ ଅପହରଣ କରି ବୁର୍ଲା ଆଣିଲେ, ପରେ ପୁଣି ବରଗଡ଼ ଜିଲ୍ଲା ଭେଡ଼େନକୁ ନେଇ ସେଠାରେ ହତ୍ୟା କରି ପୋଡ଼ି ଦେଇଥିଲେ ଏପୂରା ଘଟଣାର ସିନ୍ ରିକ୍ରିଏସନ୍ କରାଇଛି ପୋଲିସ। ଅଭିଯୁକ୍ତଙ୍କୁ ନେଇ ଝାରସୁଗୁଡ଼ା ପୁଲିସ ଏହି ୩ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ତଦନ୍ତ କରିଛି।
ମାର୍ଚ୍ଚ ୨୮ ତାରିଖରେ ବରଗଡ଼ ସରବାହାଲର ଜଣେ ବ୍ୟବସାୟୀଙ୍କ ପୁଅ ସମର୍ଥ ଅଗ୍ରଓ୍ୱାଲଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ଏହାର ପୂର୍ବଦିନ (ମାର୍ଚ୍ଚ ୨୭) ଅମିତ ତାଙ୍କ ସହଯୋଗୀ ଦୀନେଶଙ୍କ ସହ ସମର୍ଥଙ୍କୁ ସ୍କୁଟିରେ କ୍ରିକେଟ୍ ମ୍ୟାଚ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଅପହରଣ କରିନେଇଥିଲେ।
ଅଭିଯୋଗ ଅନୁଯାୟୀ, ଦୁହେଁ ପ୍ରଥମେ ୫୦ ଲକ୍ଷ ଟଙ୍କା ଓ ପରେ ସମର୍ଥଙ୍କ ବାପାଙ୍କୁ ୯୦ ଲକ୍ଷ ଟଙ୍କା ମାଗିଥିଲେ। ଧିରେ ଧିରେ ଏହି ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି। ଏବେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ସେପଟେ ମୃତକଙ୍କ ବନ୍ଧୁ ଓ ଅନେକ ସ୍ଥାନୀୟ ବାସିନ୍ଦା ମନମୋହନ ସ୍କୁଲରୁ ଝାରସୁଗୁଡ଼ା ଥାନା ଯାଏ ରାଲି କରି ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ଦାବି କରିଥିଲେ। ଏହି ଶୋଭାଯାତ୍ରାରେ ସହରର ବହୁ ଯୁବ ଓ ମହିଳା ସଙ୍ଗଠନ, ଛାତ୍ର ଓ ମହିଳାମାନେ ସାମିଲ ହୋଇଥିଲେ। ସେମାନେ ଝାରସୁଗୁଡ଼ା ଥାନାରେ ଆଇଆଇସିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.