ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଉଦ୍ୟମ । ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଭକ୍ତ ଚଢ଼ିବାକୁ ଉଦ୍ୟମ ବେଳେ କାବୁ କଲେ ସୁରକ୍ଷାକର୍ମୀ । ଯୁବକ ଜଣଙ୍କ ରାଜ୍ୟ ବାହାର ହୋଇଥିବା ସୂଚନା ମିଳିଛି । ଯୁବକଙ୍କ ଘର ଉତ୍ତରପ୍ରଦେଶ ଆଜଗଡ଼ର ହୋଇଥିବା ବେଳେ ଶ୍ରୀମନ୍ଦିର ଗାରଦରେ ଯୁବକଙ୍କୁ ଅଟକ ରଖାଯାଇଛି ।
ଗତକିଛି ଦିନ ପୂର୍ବେ ଠିକ୍ ସମାନ ଘଟଣା ଦେଖିବାକୁ ମିଳିଥିଲା । ଜଣେ ଯୁବକ ବେହରଣ ଦ୍ଵାର ପଟରୁ ପ୍ରାୟ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ (Jagannath Temple Police) ହାତରେ ଧରାପଡିଲେ । ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି । ଉକ୍ତ ବ୍ୟକ୍ତି ଜଣକ ବିହାରର ବୋଲି ଜଣାପଡ଼ିଛି ।
ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଥିଲା ।
ସେପଟେ, ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର ଚତୁଃପାର୍ଶ୍ବ ବୁଲି ବୁଲି ଅନୁଧ୍ୟାନ କଲେ ମୁଖ୍ୟ ପ୍ରଶାସକ ଓ ଏସ୍ପି । ଅନୁଧ୍ୟାନ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିରର କେଉଁ କେଉଁ ସ୍ଥାନରେ ଚଢ଼ିବା ସୁଯୋଗ ଅଛି ଦେଖିଲୁ । ଏସବୁ ସ୍ଥାନ ପୋଲିସ ସୁରକ୍ଷା ବଳୟକୁ ନିଆଯିବ, ପୋଲିସ ମୁତୟନ ହେବେ । ଆନନ୍ଦ ବଜାରରେ ପୋଲିସର କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ । ସିସିଟିଭି କ୍ୟାମେରାର ଫିଡ୍କୁ ସେମାନେ ନିରୀକ୍ଷଣ କରିପାରିବେ । ମନ୍ଦିରକୁ ନ ଚଢ଼ିବା ପାଇଁ ସଚେତନ କରିବାକୁ ସାଇନ୍ ବୋର୍ଡ ଲଗାଯିବ । କଠୋର ଆଇନ୍ ଆଣିବାକୁ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟ ପ୍ରଶାସକ ।
Comments are closed.