ଜେଦାହ: ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ଚାଲିଛି । ଷ୍ଟାର ଖେଳାଳିଙ୍କ ପରେ ଏବେ ଫ୍ରାଂଚାଇଜର ମାନେ ଯୁବ ଖେଳାଳିମାନଙ୍କୁ ଦଳରେ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଦ୍ୱିତୀୟ ଦିବସରେ ଯୁବ ଖେଳାଳି ଅଂଶୁଲ କମ୍ବୋଜ ଚର୍ଚ୍ଚାର କାରଣ ସାଜିଛନ୍ତି । ହରିୟାଣାର ଏହି ଯୁବ ବୋଲର ରଣଜୀରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଂଶୁଲଙ୍କ ବେସ ପ୍ରାଇସ ୩୦ ଲକ୍ଷ ଥିଲା । ମାତ୍ର ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଚେନ୍ନାଇ ସୁପର କିଙ୍ଗସ ୩.୪୦ କୋଟି ଟଙ୍କାରେ ନେଇଛି ।
୫ଥର ଚାମ୍ପିୟନ ଚେନ୍ନାଇ ଟିମ ପକ୍ଷରୁ ଏଥର ଏହି ଯୁବ ପେସର ଖେଳିବେ । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ନେବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ବାଜି ମାରିଥିଲା ଚେନ୍ନାଇ । ଅଂଶୁଲ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ । ରଣଜୀ ଟ୍ରଫି କ୍ରିକେଟରେ ସେ ତୃତୀୟ ବୋଲର ଭାବେ ୧୦ ୱିକେଟ ହାସଲ କରି ଚର୍ଚ୍ଚାକୁ ଆସିଥିଲେ । କେରଳ ବିପକ୍ଷରେ ସେ ୩୦.୧ ଓଭରରେ ୪୯ ରନରେ ୧୦ ୱିକେଟ ନେଇଥିଲେ ।
ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ରାଇଟ ଟୁ ମ୍ୟାଚର ବ୍ୟବହାର କରି ସ୍ୱପ୍ନିଳ ସିଂଙ୍କୁ ନେବାରେ ସଫଳ ହୋଇଛି । ଆରସିବି ସ୍ୱପ୍ନିଳଙ୍କ ବେସ ପ୍ରାଇସ ୩୦ ଲକ୍ଷରୁ ଡାକିବା ଆରମ୍ଭ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ୫୦ ଲକ୍ଷ ପର୍ଯ୍ୟନ୍ତ ଏହାକୁ ବଢ଼ାଇଥିଲା । ସ୍ୱପ୍ନିଳଙ୍କୁ ହାତଛଡା ନ କରିବା ପାଇଁ ଆରସିବି ଆରଟିଏମର ବ୍ୟବହାର କରିଥିଲା । ୨୦୨୩ ବିଜୟ ହଜାରେ ଟ୍ରଫିରେ ହରିୟାଣାକୁ ଚାମ୍ପିୟନ କରାଇବାରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।