ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଶୀତ ଭିତରେ ସରଗରମ ହେଲାଣି ରାଜନୀତି । କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ପାଇଁ ଏଥର ସହଜ ହେବନି ଦିଲ୍ଲୀ ଲଢେଇ । ଲୋକସଭା ନିର୍ବାଚନରେ କଂଗ୍ରେସ ସହ ହାତ ମିଳାଇ ମଇଦାନକୁ ଓହ୍ଲାଇଥିଲା । ହେଲେ ନା କଂଗ୍ରେସ ନା ଆପ୍, କେହି ଗୋଟିଏ ବି ସିଟ୍ ଜିତିପାରିଲେନି । ହରିୟାଣାରେ କଂଗ୍ରେସଠୁ ଝଟକା ପରେ ଦିଲ୍ଲୀ ବିଧାନସଭାରେ ଏକଲା ଚଲୋ ନୀତିରେ ଏକା ଲଢୁଛି ଆପ୍। ଦିଲ୍ଲୀରେ ଶାସନ ବିରୋଧୀ ଲହର ରହିଥିବା ବେଳେ ଦୁର୍ନୀତିକୁ ନେଇ ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କ ସମେତ ଆପ ନେତାଙ୍କୁ ଘେରୁଛନ୍ତି ବିରୋଧୀ। ତେଣୁ ପ୍ରାର୍ଥୀ ଚୟନରୁ ନିର୍ବାଚନ ରଣନୀତି, ଭାବିଚିନ୍ତି ନିଷ୍ପତ୍ତି ନେଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।
ହରିୟାଣା, ମହାରାଷ୍ଟ୍ରଠୁ ଅଧିକ ଶାସନ ବିରୋଧୀ ଲହର
ସରକାର ବିରୋଧୀ ହାଓ୍ବା ଥାଇ ବି ହରିୟାଣା ଓ ମହାରାଷ୍ଟ୍ରରେ ପୁଣି ଜିତିଛି ବିଜେପି । ତେବେ ଦିଲ୍ଲୀରେ ଶାସନ ବିରୋଧୀ ଲହର ଅଧିକ ବୋଲି କୁହାଯାଉଛି । ଆଉ ବୋଧେ ଏକଥା ଆମ ଆଦମୀ ପାର୍ଟି ବି ବୁଝିପାରିଛି । ସେଥିପାଇଁ ମୋଟ୍ ୩୨ଟି ସିଟରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅନେକ ବିଧାୟକଙ୍କ ଟିକେଟ୍ କାଟିଛି । ମନୀଷ ସିସୋଦିଆଙ୍କ ସମେତ ୩ଜଣ ବିଧାୟକଙ୍କ ସିଟ୍ ବଦଳାଇଛି ଆପ୍ । ସିସୋଦିଆଙ୍କୁ ଜଙ୍ଗପୁରା ତ ରାକ୍ଷୀ ବିଡଲାନିଙ୍କୁ ମାଦିପୁର ଓ ପ୍ରବୀଣ କୁମାରଙ୍କୁ ଜନକପୁରୀରୁ ପ୍ରାର୍ଥୀ କରିଛି ଦଳ । ପ୍ରାର୍ଥୀ ପରିବର୍ତ୍ତନ କରି ସରକାର ବିରୋଧୀ ହାଓ୍ବା ଚ୍ୟାଲେଞ୍ଜର ମୁକାବିଲା କରିବାକୁ ରଣନୀତି କରୁଛି ଆପ୍ ।
ଦୁର୍ନୀତି ଅଭିଯୋଗ…ବଡ଼ ଚ୍ୟାଲେଞ୍ଜ
କେବଳ ଶାସନ ବିରୋଧୀ ଲହର ନୁହେଁ ଏଥର ନିର୍ବାଚନରେ ଦୁର୍ନୀତି ଅଭିଯୋଗରୁ ବାହାରିବା ବି ଆପ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଦୁର୍ନୀତି ବିରୋଧରେ ଲଢେଇ କରି ରାଜନୀତିକୁ ଆସିଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ହେଲେ ଆପ୍ ସରକାର ଉପରେ ଦିଲ୍ଲୀ ମଦ ନୀତି ମାମଲା, ଜଳ ବୋର୍ଡ, ସ୍କୁଲ ଶ୍ରେଣୀଗୃହ ତଥା ମୁଖ୍ୟମନ୍ତ୍ରୀ ଆବାସ ନବୀକରଣକୁ ନେଇ ଦୁର୍ନୀତି ଅଭିଯୋଗ ଲାଗିଛି । ଅରବିନ୍ଦ କେଜ୍ରିଓ୍ବାଲ, ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ସଞ୍ଜୟ ସିଂ ପ୍ରମୁଖ ଦୁର୍ନୀତି ଅଭିଯୋଗରେ ଜେଲ ବି ଯାଇଛନ୍ତି । ବିରୋଧୀ ବି ଏଥର ଦୁର୍ନୀତିକୁ ପ୍ରମୁଖ ପ୍ରସଙ୍ଗ କରି ଆପକୁ ଘେରିବେ । ଏହାର ସାମନା କରି ଆମ ଆଦମୀ ପାର୍ଟିକୁ ଜନତାଙ୍କ ବିଶ୍ବାସ ଜିତିବାକୁ ପଡିବ ।
କେଉଁ ନାରେଟିଭ୍ ନେଇ ଯିବ ଆପ୍?
ଦିଲ୍ଲୀରେ ପ୍ରତି ନିର୍ବାଚନରେ ଜନତାଙ୍କ ପାଖକୁ ଏକ ନାରେଟିଭ୍ ନେଇ ଯାଇଛି ଆପ୍ । ପ୍ରଥମ ନିର୍ବାଚନରେ ଦଳର ନାରେଟିଭ୍ ଥିଲା ଏକ୍ ସବାଲ୍ ଆଣ୍ଟି କରପ୍ସନ୍ । ସେହିପରି ଦ୍ବିତୀୟ ନିର୍ବାଚନରେ ଲଗେ ରହୋ କେଜ୍ରିଓ୍ବାଲର ନାରା ଲଗାଇଥିଲା ଦଳ । ଏଥର ଆପ୍ ପକ୍ଷରୁ ଫିର ଲାଏଙ୍ଗେ କେଜ୍ରିଓ୍ବାଲର ନାରା ଲଗାଯାଉଛି । ହେଲେ କେମିତି ଓ କାହିଁକି ପୁଣି କେଜ୍ରିଓ୍ବାଲଙ୍କୁ ଭୋଟ୍ ଦେବେ ଜନତା, ସେକଥା ଦଳକୁ ବୁଝାଇବାକୁ ପଡିବ । ସୋସିଆଲ୍ ମିଡିଆରେ ବିଜେପିକୁ ଆଟାକ୍ କରିଚାଲିଛି ଦଳ । କେଉଁଠି ବି ଦଳର ପଜିଟିଭ କ୍ୟାମ୍ପେନିଂ ଦେଖିବାକୁ ମିଳୁନି । ମାଗଣା ବିଜୁଳି, ପାଣି ତ ପୁରୁଣା କଥା, ନୂଆ ଘୋଷଣାକୁ ନେଇ ଆପକୁ ଜନତାଙ୍କ ପାଖକୁ ଯିବାକୁ ପଡିବ ।
ବଦଳିବ ଭୋଟିଂ ପାଟର୍ଣ୍ଣ !
ଦିଲ୍ଲୀରେ ଲୋକସଭା ଓ ବିଧାନସଭା ନିର୍ବଚନରେ ଭିନ୍ନ ଭୋଟିଂ ପାଟର୍ଣ୍ଣ ଦେଖିବାକୁ ମିଳେ । ୨୦୧୪ ଓ ୨୦୧୯ରେ ଦିଲ୍ଲୀର ସମସ୍ତ ୭ଟି ଲୋକସଭା ସିଟ୍ ଜିତିଥିଲା ବିଜେପି । ହେଲେ ବର୍ଷେ ପରେ ଅର୍ଥାତ ୨୦୧୫ ଓ ୨୦୨୦ରେ ପ୍ରଚଣ୍ଡ ବହୁମତ ସହ ସରକାର ଗଢିଥିଲା ଆପ୍ । ୨୦୨୪ରେ ବି ସବୁ ଲୋକସଭା ସିଟ୍ ଜିତିଛି ବିଜେପି । ତେବେ ପ୍ରଶ୍ନ ଉଠୁଛି, ଏଥର ବି ପୂର୍ବ ଭଳି ଭୋଟ୍ କରିବେ କି ଜନତା? ବିଧାନସଭାରେ ଆପକୁ ଭୋଟ୍ ଦେଉଥିବା ୩୦ପ୍ରତିଶତ ଭୋଟର ଲୋକସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯାନ୍ତି । ଏହା ମଧ୍ୟରୁ ୧୫ପ୍ରତିଶତ ବିଜେପି ବିରୋଧୀ ଭୋଟ୍ । ଏହା ଆପକୁ ଯିବା ସହଜ । ତେବେ ବିଜେପିକୁ ଯାଇଥିବା ୧୫ପ୍ରତିଶତ ସୁଇଂ ଭୋଟ୍ ଏଥର ବି ନିଜ ଆଡକୁ ଆଣିବା ଆପ ପାଇଁ ଚ୍ୟାଲେଞ୍ଜ ହେବ । ଲଗାତର ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଚାହୁଁଛି ଆମ ଆଦମୀ ପାର୍ଟି । ମୋଟ୍ ୭୦ସିଟ୍ ମଧ୍ୟରୁ ଆପ୍ ୨୦୧୫ରେ ୬୭ଟି ଓ ୨୦୨୦ରେ ୬୩ଟି ସିଟ୍ ଜିତି ସରକାରକୁ ଆସିଥିଲା । ହେଲେ ଦୁର୍ନୀତି ଅଭିଯୋଗ, ଶାସନ ବିରୋଧୀ ଲହର ଭିତରେ ଏଥର ସବୁଠୁ ବଡ଼ ଅଗ୍ନିପରୀକ୍ଷାର ସାମନା କରିବାକୁ ଯାଉଛି ଦଳ ।