Latest Odisha News

BREAKING NEWS

ଆଣ୍ଟି ପେପରଲିକ୍ ଆଇନ ଲାଗୁ, ପ୍ରଶ୍ନପତ୍ର ଲିକ୍ କଲେ ଜେଲ୍

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍ ହେଲେ ୧୦ବର୍ଷ ଜେଲ୍, କୋଟିଏ ଟଙ୍କା ଜରିମାନା। ଦେଶରେ ଅଧାରାତିରେ ଲାଗୁ ହେଲା ଆଣ୍ଟି ପେପରଲିକ୍ ଆଇନ। ନିଟ୍ ୟୁଜି ଓ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗ ମଧ୍ୟରେ ସାର୍ବଜନୀନ ପରୀକ୍ଷା ଆଇନ୍-୨୦୨୪ ଲାଗୁ କରିଛନ୍ତି । ଶୁକ୍ରବାର ରାତିରେ ଆଇନର ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଦ୍ବାରା ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଭଳି ଘଟଣାରେ ଲଗାମ୍ ଲଗାଇବାକୁ ଲକ୍ଷ୍ୟ ରହିଛି ।

ଏସବୁ କଲେ ବନ୍ଧାହେବେ

ଆଇନ ଅନୁସାରେ କୌଣସି ପରୀକ୍ଷାର ପ୍ରଶ୍ନପତ୍ର ବା ଉତ୍ତର କି ଲିକ୍ କରିବା ଅପରାଧ। ଏଥିରେ ଅନ୍ୟ କାହାକୁ ସାହାଯ୍ୟ କରିବା ବି କ୍ରାଇମ୍ । ବିନା ଅନୁମତିରେ ପ୍ରଶ୍ନପତ୍ର ବା ଓଏମଆର ସିଟ୍ ପାଖରେ ରଖିପାରିବେନି । ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା, କମ୍ପ୍ୟୁଟର ନେଟଓ୍ବର୍କ ଓ ଅନ୍ୟ ଉପକରଣ ଟାମ୍ପରିଂ କରିବା ବା ପ୍ରକ୍ସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ବସାଇବା ବି ଆଇନ ଅନୁସାରେ ଅପରାଧ । ନକଲି ଆଡମିଟ୍ କାର୍ଡ ବାହାର କରିବା, ନକଲି ପରୀକ୍ଷାର ଆୟୋଜନ, ପରୀକ୍ଷା ସୂଚୀ ବା ରାଙ୍କକୁ ନେଇ ନକଲି ଦସ୍ତାବିଜ ପ୍ରସ୍ତୁତ କରିବା, ଯୋଗ୍ୟତା ଦସ୍ତାବେଜ ଏପଟ ସେପଟ କରିବା, ପରୀକ୍ଷା ଖାତା ମୂଲ୍ୟାୟନରେ ହସ୍ତକ୍ଷେପ କରିବା, ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ପରୀକ୍ଷା ତାରିଖ ବା ସିଫ୍ଟ ପରିବର୍ତ୍ତନ କରିବା, କୌଣସି ପରୀକ୍ଷା କର୍ତ୍ତୃପକ୍ଷଙ୍କୁ ଧମକାଇବା ବା ତାଙ୍କ କାମରେ ବାଧା ସୃଷ୍ଟି କରିବା, ସୁରକ୍ଷା ମାନଦଣ୍ଡର ଉଲ୍ଲଂଘନ କରିବା କିମ୍ବା ପରୀକ୍ଷା ସହ ସଂପର୍କିତ ଗୋପନୀୟ ସୂଚନା ସମୟ ପୂର୍ବରୁ ସାର୍ବଜନୀନ କଲେ ବି ଦଣ୍ଡ ଭୋଗିବେ ।

ଆଇନ ନମାନିଲେ ଜେଲ୍, ଜରିମାନା

ନୂଆ ନିୟମ ଅନୁସାରେ ଦୋଷୀଙ୍କୁ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ରୁ ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ପରୀକ୍ଷା କେନ୍ଦ୍ରରେ ଅନିୟମିତତା ହେଲେ ପରୀକ୍ଷା ଆୟୋଜନ ପାଇଁ ନିଯୁକ୍ତ ସର୍ଭିସ ପ୍ରୋଭାଇଡରଙ୍କ ଉପରେ କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ସେହିପରି ପରୀକ୍ଷା କର୍ତ୍ତୃପକ୍ଷ ବା ସର୍ଭିସ ପ୍ରଭୋଇଡର ସଂଗଠିତ ଅପରାଧ କରିଥିଲେ ତାଙ୍କୁ ୫ବର୍ଷରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ । ଅନିୟମିତତାରେ ପରୀକ୍ଷାକେନ୍ଦ୍ରର ଭୂମିକା ପ୍ରମାଣିତ ହେଲେ କେନ୍ଦ୍ରକୁ ୪ବର୍ଷ ପର୍ଯ୍ୟନ୍ତ ସସପେଣ୍ଡ କରାଯାଇ ପାରିବ। ଫଳରେ ପରୀକ୍ଷା କେନ୍ଦ୍ରରେ ୪ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପରୀକ୍ଷା ହୋଇପାରିବନି । ଆଇନ ଅଧୀନରେ ରହିଥିବା ସମସ୍ତ ଅପରାଧରେ ଦୋଷୀଙ୍କୁ ଜାମିନ ମିଳିବ ନାହିଁ । ଡିଏସପି ବା ଏସିପି ପାହ୍ୟା ବା ଏହା ଉପର ପାହ୍ୟାର ଅଧିକାରୀ ପରୀକ୍ଷା ଅନିୟମିତତା ନେଇ ଯାଞ୍ଚ କରିପାରିବେ ।

ପରୀକ୍ଷାର୍ଥୀ ହେବେନି ଟାର୍ଗେଟ୍

ଆଣ୍ଟି ପେପରଲିକ୍ ଆଇନ ୨୦୨୪ ଅନୁସାରେ ପରୀକ୍ଷାର୍ଥୀଙ୍କୁ ନିଶାନା କରାଯିବ ନାହିଁ । ସଂଗଠିତ ଅପରାଧୀ, ମାଫିଆ ଓ ଅନିୟମିତତା ଚେନରେ ରହିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଲାଙ୍କ ଭବିଷ୍ୟତ ସହ ଖେଳିଥିବାରୁ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ପରୀକ୍ଷାରେ ଅନିୟମିତତା ମାମଲାରେ ସଂପୃକ୍ତି ନେଇ କୌଣସି ପରୀକ୍ଷାର୍ଥୀଙ୍କ ବିରୋଧରେ ଠୋସ୍ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ୟୁପିଏସସି, ଏସଏସସି, ରେଳବାଇ, ବ୍ୟାଙ୍କିଂ ନିଯୁକ୍ତି ତଥା ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ ଦ୍ବାରା ପରିଚାଳିତ ସମସ୍ତ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ପାଇଁ ଆଇନ ଲାଗୁ ହେବ । ଚଳିତବର୍ଷ ଫେବ୍ରୁଆରୀରେ ଏହି ଆଇନ ପାରିତ ହୋଇଥିଲା । ଆଣ୍ଟି ପେପରଲିକ୍-ବିଲ୍ ଲୋକସଭାରେ ଫେବ୍ରୁଆରୀ ୬ ଓ ରାଜ୍ୟସଭାରେ ଫେବ୍ରୁଆରୀ ୯ତାରିଖରେ ପାରିତ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରୀ ମାସରେ ହିଁ ବିଲକୁ ମଂଜୁରୀ ଦେବା ପରେ ଏହା ଆଇନର ରୂପ ନେଇଥିଲା । ଦେଶରେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ୟୁଜିସି ନେଟ୍ ପରୀକ୍ଷା ରଦ୍ଦ ପ୍ରସଙ୍ଗକୁ ନେଇ ଜୋରଦାର ବିରୋଧ କରାଯାଉଥିବା ବେଳେ ପରୀକ୍ଷା ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆଇନ ଲାଗୁ କରିଛନ୍ତି ।

Leave A Reply

Your email address will not be published.