Latest Odisha News

[ଦେଖନ୍ତୁ ଭିଡିଓ] ମୁଁ ଆଉ ଅନୁଭବ ପରିବାର: ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର: ଅଭିନେତା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ବିଗତ ୩ ବର୍ଷ ଧରି ଓଡ଼ିଶାରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅଭିଯୋଗ ଅନୁସାରେ, କୁଆଡ଼େ ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଫାଟ ଆସିଛି । ଏପରିକି ଜାଗ୍ରତିଙ୍କ ପାଇଁ ଅନୁଭବ, ବର୍ଷାଙ୍କ ଠାରୁ ଅଲଗା ହେବାକୁ ଛାଡ଼ପତ୍ର ଆବେଦନ କରିଥିବା ଚର୍ଚ୍ଚା ହୁଏ ।

ଏସବୁ ଚର୍ଚ୍ଚା ଆଲୋଚନା ଭିତରେ ଜାଗ୍ରତି ଶୁକ୍ଳା ଓଡ଼ିଶା ସମ୍ବାଦକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି । ସନ୍ଦୀପଙ୍କ ସହ ଜବାବ ସୁଆଲ କାର୍ଯ୍ୟକ୍ରମର ଅତିଥି ହୋଇ ଜାଗ୍ରତି କହିଛନ୍ତି, ଅନୁଭବଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ । ଏଥିସହ ଅନୁଭବଙ୍କ ସହ ଜାଗ୍ରତିଙ୍କ ସମ୍ପର୍କକୁ ନେଇ ହେଉଥିବା ନାନା ଚର୍ଚ୍ଚାର ଉତ୍ତର ରଖିଛନ୍ତି ସେ । ଜାଗ୍ରତି ଶୁକ୍ଳା କହିଛନ୍ତି,

୨୦୧୯ରେ ଅନୁଭବ ମହାନ୍ତି ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେତେବେଳେ ମୁଁ ଲୋକସଭା ଟିଭିର ଆଙ୍କର ଥିଲି, ଅନୁଭବଙ୍କ ସାକ୍ଷାତକାର ନେଇଥିଲି । କେବଳ ଅନୁଭବ ନୁହଁନ୍ତି ଅନ୍ୟ ସାଂସଦ ଓ ମନ୍ତ୍ରୀଙ୍କ ସାକ୍ଷାତକାର ନେଇଥିଲି । ଏଭଳି ସାକ୍ଷାତକାର ନେବା ଭିତରେ ଅନେକ ସାଂସଦଙ୍କ ସହ ବନ୍ଧୁତା ହୋଇଥିଲା । ଅନୁଭବଙ୍କ ସହ ମଧ୍ୟ ବନ୍ଧୁତା ସୃଷ୍ଟି ହୋଇଥିଲା ।

ଆଉ ଏବେ ବି ଅନୁଭବଙ୍କ ସହ ବନ୍ଧୁତା ପୂର୍ବ ଭଳି ଅତୁଟ ରହିଥିବା କହିଛନ୍ତି ଜାଗ୍ରତି । କେବଳ ଅନୁଭବ ନୁହଁନ୍ତି ତାଙ୍କ ପରିବାର ସହ ଜାଗ୍ରତିଙ୍କ ପରିବାରର ସମ୍ପର୍କ ରହିଛି । ଉଭୟ ପରିବାରର ସଦସ୍ୟ ଅନ୍ୟମାନଙ୍କ ସହ କଥା ହେଉଛନ୍ତି । ଏପରିକି ଏହି ବନ୍ଧୁତା ଏବେ ପରିବାର ବନ୍ଧୁତାରେ ପରିଣତ ହୋଇଥିବା କହିଛନ୍ତି ଜାଗ୍ରତି ।

ତେବେ ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ଫାଟ ସହ ଜାଗ୍ରତିଙ୍କୁ ଯୋଡ଼ା ଯିବା ଏବଂ ସେ ନେଇ ଗଣମାଧ୍ଯମ ଜାଗ୍ରତିଙ୍କ ପକ୍ଷ ନ ନେବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ‘ଅନୁଭବଙ୍କ ବାୟୋଗ୍ରାଫି (ଜୀବନୀ) ଲେଖିବାକୁ ମୋତେ ସୁଯୋଗ ମିଳିଥିଲା । ଆଉ ଅନୁଭବଙ୍କ ଜୀବନୀ ଲେଖିବା ପାଇଁ ମୁଁ ତାଙ୍କ ଘରର ସମସ୍ତ ସଦସ୍ୟଙ୍କୁ ଭେଟିଥିଲି । କିନ୍ତୁ ସେତେବେଳେ ବର୍ଷା ନଥିଲେ । ପରେ ଜାଣିଲି ବର୍ଷା ତାଙ୍କ ସହ ରହୁ ନାହାଁନ୍ତି । ନିୟମିତ ଅନୁଭବଙ୍କ ଘରକୁ ଯିବା ପରେ ତାଙ୍କ ପତ୍ନୀଙ୍କୁ ଦେଖି ନଥିଲି । ପରେ ମୁଁ କହିଥିଲି ବର୍ଷାଙ୍କ ସହ ମୋତେ ଫୋନରେ କଥା କରାଅ । ତା’ପରେ ଜାଣିଲି ବର୍ଷା ଓ ଅନୁଭବ ଫୋନରେ ମଧ୍ୟ କଥା ହେଉ ନାହାଁନ୍ତି ।’

ଜାଗ୍ରତି ଶୁକ୍ଳା କହିଛନ୍ତି ଯେ, ‘ଏହାରି ଭିତରେ ଅନୁଭବ, ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ହେଲା ଅନୁଭବ ମୋ ପାଇଁ ଛାଡ଼ପତ୍ର ଦେଉଛନ୍ତି । କାହିଁକି ନା ମୁଁ ତାଙ୍କ ପରିବାର ସହ ମିଶୁଛି । ଯାହାକୁ ନେଇ ମୁଁ କର୍ମକ୍ଷେତ୍ରରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲି । ଲୋକସଭା ଟିଭି ସହ ସଂସଦରେ ମଧ୍ୟ ମୋତେ ଓ ଅନୁଭବଙ୍କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଯାହାର ପ୍ରତିକୂଳ ପ୍ରଭାବ ମୋ ଜୀବନ ଉପରେ, ମୋ ପରିବାର ଉପରେ ପଡ଼ିଥିଲା । ଓଡ଼ିଆ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥିଲା । ଶେଷରେ ଚର୍ଚ୍ଚାରେ ବିରାମ ଦେବାକୁ ମୁଁ ଲୋକସଭା ଟିଭି ଛାଡ଼ି ଦେଇଥିଲି ।’

ତେବେ ବର୍ଷାଙ୍କୁ ନେଇ ପ୍ରଶ୍ନର ଉତ୍ତର ରଖି ଜାଗ୍ରତି କହିଛନ୍ତି ଯେ, ‘ଅନୁଭବଙ୍କ ପତ୍ନୀ କେବେ ମୋ ନାଁ ନେଇ ନଥିଲେ । ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ମୋତେ କେବେ ଫୋନ୍ କରି ବି ପଚାରି ନଥିଲେ । ମୋତେ ଲାଗୁଛି ମୁଁ ଅନୁଭବଙ୍କ ଜୀବନୀ ଲେଖୁଛି ବୋଲି ବର୍ଷାଙ୍କୁ ଅସୁବିଧା ହେଉଥିଲା । ଯଦି ଦମ୍ପତିଙ୍କ ମଧ୍ୟରେ ସବୁ ସମ୍ପର୍କ ଠିକ୍ ଥିଲା ତ ବର୍ଷା, ଅନୁଭବଙ୍କୁ ଜୀବନୀ ନେଇ ପଚାରି ପାରିଥାନ୍ତେ । ଅନୁଭବ ମୋତେ କହିଥିଲେ, ବର୍ଷା ଚାହୁଁ ନାହାନ୍ତି ତାଙ୍କ ଜୀବନୀ ଲେଖା ଯାଉ ।’

ଏମିତି ଚର୍ଚ୍ଚା ଭିତରେ ନିକଟରେ ଅନୁଭବଙ୍କ ଦ୍ୱିତୀୟ ବିବାହ ନେଇ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହୋଇଥିଲା । ଯାହାକୁ ନେଇ ଜାଗ୍ରତି କହିଛନ୍ତି, ‘ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ରହିଥିବା ବେଳେ ମିଡିଆ ଏଭଳି ଖବର କେବଳ ଟିଆରପି ପାଇଁ ଦେଖାଇଛି । ଏପରିକି ମୋତେ ଅନୁଭବ ବିବାହ କରିଥିବା ଗଣମାଧ୍ୟମ ଦେଖାଇଥିଲା ।’ ସେ ଆହୁରି କହିଛନ୍ତି ଯେ, ‘ଯେତେବେଳେ ଅନୁଭବଙ୍କ ସହ ଏତେ ସବୁ ଘଟୁଥିଲା ଉଭୟଙ୍କ ପରିବାର ନିକଟତର ହୋଇଥିଲୁ । ଏବେ ଅନୁଭବ ଓ ଆମ ପରିବାର ସମ୍ପର୍କ ରହିଛି । ଅନୁଭବ ଛାଡ଼ପତ୍ର ଆବେଦନ କରିଥିବା ବେଳେ ମୁଁ ପ୍ରାର୍ଥନା କରୁଛି । ଖାଲି ମୁଁ କାହିଁକି ଅନେକ ଅନୁଭବଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଖାଲି ମହିଳା ନୁହେଁ ପୁରୁଷଙ୍କୁ ବି କଷ୍ଟ ହୋଇଥାଏ ।’  ଏବେ ସେହି କଷ୍ଟ ଅନୁଭବ ପାଉଥିବା କହିଛନ୍ତି ଜାଗ୍ରତି ଶୁକ୍ଳା ।

ତେବେ ଅନୁଭବଙ୍କ ସହ ଜାଗ୍ରତିଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ଅନେକ ଦିନ ଧରି ତାଙ୍କ ପରିବାର ଲୋକ ତାଙ୍କ ସହ କଥା ହୋଇ ନଥିଲେ ବୋଲି ଜାଗ୍ରତି କହିଛନ୍ତି । ପରେ ଦୁଇ ପରିବାର ମିଶିବା ସହ ସମ୍ପର୍କ ଆଗକୁ ବଢ଼ିଛି । ‘ଅନୁଭବଙ୍କ ଜୀବନୀ ଲେଖିବା ବେଳେ ଜାଣିବାକୁ ପାଇଲି ସେ ବର୍ଷାଙ୍କୁ ବହୁତ ଭଲ ପାଉଥିଲେ । ଅନେକ ବର୍ଷ ଧରି ଭଲ ପାଇବା ପରେ ବିବାହ କରିଥିଲେ । ଅନୁଭବ ଜଣେ ପାଗଳ ପ୍ରେମୀ ଥିଲେ । ଏବେ ଅନୁଭବ ଖରାପ ସମୟ ଦେଇ ଗତି କରୁଛନ୍ତି, ସଂଘର୍ଷ କରୁଛନ୍ତି । ତେବେ କାହା ସହ ସମ୍ପର୍କ ରଖିବେ, କାହାକୁ ବାହା ହେବେ ? ବିବାହର ବର୍ଷେ ପରେ କୋର୍ଟ ଯିବେ ନା ୬ ବର୍ଷ ପରେ ଯିବେ ତାହା ତାଙ୍କର ନିଜ ନିଷ୍ପତ୍ତି । ଯଦି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେଇଥାନ୍ତେ ଏତେ କଷ୍ଟ ସହିବାକୁ ପଡ଼ି ନଥାନ୍ତା ଅନୁଭବଙ୍କୁ ।’

ଜାଗ୍ରତି କହିଛନ୍ତି, ‘ମୋ ନାଁ ପୂର୍ବରୁ ଅନୁଭବଙ୍କ ସହ ଅନ୍ୟ କେତେଜଣ ଯୁବତୀଙ୍କ ନାଁ ଚର୍ଚ୍ଚା ହୋଇଥିଲା । କିନ୍ତୁ ୨୦୨୦ରେ ମୋ ନାଁକୁ ନେଇ ଯେମିତି ଚର୍ଚ୍ଚା ହେଲା ତାହା ଆଶ୍ଚର୍ଯ୍ୟଜନକ । ତେବେ ମୋ ନାଁ ପୂର୍ବରୁ ଅନୁଭବଙ୍କ ସହ ଅନ୍ୟ ଯୁବତୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ଯଦି ତାଙ୍କର ଦାମ୍ପତ୍ୟ ସମ୍ପର୍କ ଠିକ୍ ଥିଲା, ତା ହେଲେ ସେତେବେଳେ ତାଙ୍କ ପତ୍ନୀ କାହିଁକି ବିରୋଧ କରୁ ନଥିଲେ ? ମୁଁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି ମୋ ପ୍ରତି ଘୃଣା କମ କରିବା ସହ ଭଲ ପାଇବା ଅଧିକ ଦିଅନ୍ତୁ ।’

ତେବେ ଅନୁଭବଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଭିତରେ ଆର୍ଥିକ କ୍ଷତି ହୋଇଥିବା କହିଛନ୍ତି ଜାଗ୍ରତି ଶୁକ୍ଳା । ଆଉ ଅନୁଭବଙ୍କ ସହ ଜାଗ୍ରତିଙ୍କ ନାଁକୁ ନେଇ ଚର୍ଚ୍ଚା ଭିତରେ ଜାଗ୍ରତିଙ୍କ ପୁରୁଷବନ୍ଧୁ ତାଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଯାହାର କାରଣ ଥିଲା ଜାଗ୍ରତି ଓ ଅନୁଭବଙ୍କୁ ନେଇ ଚର୍ଚ୍ଚାର ଖବର । ଭବିଷ୍ୟତରେ ଛୁଆ ହେଲେ ବି ସେମାନେ ଇଣ୍ଟରନେଟରେ ଏହି ଚର୍ଚ୍ଚା ଦେଖିବେ । ଯେଉଁଥିପାଇଁ ଆଗାମୀ ଭବିଷ୍ୟତକୁ ନଜରରେ ରଖି ଜାଗ୍ରତି ପୁରୁଷବନ୍ଧୁ ଅଲଗା ହୋଇ ଯାଇଥିଲେ ବୋଲି ସେ କହିଛନ୍ତି ।

ଓଡ଼ିଶାବାସୀଙ୍କ ଠାରୁ ମୋତେ ମିଳିଥିବା ଗାଳି, ଓଡ଼ିଶା ପ୍ରତି ମୋ ଭଲ ପାଇବାକୁ ବଢ଼ାଇ ଦେଇଛି । ସାମ୍ବାଦିକା ହିସାବରେ ମୋର କ୍ଷତି ହୋଇଥିବା ବେଳେ ଲେଖିକା ଭାବେ ସମ୍ମାନ ବଢ଼ିଛି ।

ଏବେ ଅନୁଭବ ମହାନ୍ତି ଅଭିନୟ କରୁଥିବା ରାବଣ ଫିଲ୍ମର ସ୍କ୍ରିପ୍ଟ ରାଇଟର ହେଉଛନ୍ତି ଜାଗ୍ରତି ଶୁକ୍ଳା । ତେବେ ଓଡ଼ିଶାରେ ଆଗକୁ ଜାଗ୍ରତି ରହିବେ କି ? ଏ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ମୁଁ ଓଡ଼ିଶାକୁ ଜାଣିବାକୁ ଚାହୁଁଛି । ମୁଁ ଯେଉଁଠି ଜନ୍ମ ନେଇଛି ସେ ସ୍ଥାନ କୃଷ୍ଣଙ୍କର ଜନ୍ମ ସ୍ଥାନ, ଓଡ଼ିଶା ଜଗନ୍ନାଥଙ୍କ ଭୂମି । ତେବେ ମୋତେ ଯଦି ଓଡ଼ିଶାକୁ ନେଇ ସୁଯୋଗ ମିଳେ ତ ଓଡ଼ିଶାରେ ରହିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜାଗ୍ରତି ଶୁକ୍ଳା । ତେବେ ଅନୁଭବଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ପରେ ଏବେ ତାଙ୍କର କୌଣସି କାମ ଇଣ୍ଟରନେଟରେ କାହାକୁ ନଜର ଆସୁ ନଥିବା କହିଛନ୍ତି ଜାଗ୍ରତି ।

ଅନୁଭବଙ୍କ ଜୀବନୀ ଲେଖା ସରିଥିବା ବେଳେ ଏବେ ଫିଲ୍ମ କାହାଣୀ ଲେଖିବା ପରେ ଜାଗ୍ରତି ଧ୍ୟାନ ଦେଉଥିବା କହିଛନ୍ତି । ତେବେ ଆଗକୁ ଅନୁଭବଙ୍କ ସହ କଣ ରହିବ ସମ୍ପର୍କ ? ଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଉଭୟଙ୍କ ପରିବାର, ଉଭୟଙ୍କ ସାଙ୍ଗ ସମସ୍ତଙ୍କୁ ଜାଣନ୍ତି, ଦରକାର ବେଳେ ସାହାଯ୍ୟ କରନ୍ତି । ତେବେ ଉଭୟଙ୍କ ସମ୍ପର୍କ ଆଗକୁ କଣ ହେବ ? ତାହା ଉପରେ ସେ କହିଛନ୍ତି, “ଓଡ଼ିଶା ମୋତେ ଭଲ ପାଏ, ମୁଁ ଓଡ଼ିଶାକୁ ଭଲ ପାଏ । ମହାପ୍ରଭୁ ଜଗନ୍ନାଥ ଯାହା ଚାହିଁବେ ସେୟା ହେବ ।”

Leave A Reply

Your email address will not be published.