ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ଚର୍ଚ୍ଚାରେ ଷ୍ଟାର ଦମ୍ପତି । ଅଭିନେତ୍ରୀ ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ । ଫେସ୍ବୁକ୍ ପୋଷ୍ଟରେ ବର୍ଷାଙ୍କୁ ଅନୁଭବଙ୍କ ଖୋଲା ଆହ୍ବାନ । ଯେକୌଣସି ଚ୍ୟାନେଲରେ ମୁହାଁମୁହିଁ ଆଲୋଚନା କରିବା ପାଇଁ ଆହ୍ବାନ ଦେଲେ ଅନୁଭବ । ଆଲୋଚନା ହେଲେ ଲୋକଙ୍କ ମନରୁ ଦ୍ବନ୍ଦ୍ବ ଓ ସନ୍ଦେହ ଦୂର ହେବ । ଚଳଚ୍ଚିତ୍ର ମାଧ୍ୟମରେ ମିଛ ଅଭିଯୋଗ ଆଣିବା ଦରକାର ନାହିଁ । ଏହା ପ୍ରଶଂସକଙ୍କ ମନରେ ଉଭୟ ଷ୍ଟାରଙ୍କ ସମ୍ମାନ କ୍ଷୁଣ୍ଣ କରୁଛି । ତେଣୁ ସାମ୍ନାକୁ ଆସ, ଆଲୋଚନା କରିବା ସହ ସବୁଦିନ ପାଇଁ ଅଧ୍ୟାୟ ବନ୍ଦ କରିବା ବୋଲି କହିଛନ୍ତି ଅନୁଭବ । ତେବେ ଆଲୋଚନା ପାଇଁ ଚ୍ୟାନେଲ ବାଛିବା ବିକଳ୍ପ ବର୍ଷାଙ୍କ ଉପରେ ଛାଡ଼ିଛନ୍ତି ଅନୁଭବ ।
ସୂଚନାଯୋଗ୍ୟ, ଓଲିଉଡର ଚର୍ଚ୍ଚିତ ଯୋଡ଼ି ବର୍ଷା ପ୍ରିୟଦର୍ଶନୀ-ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦକୁ ନେଇ ଦୀର୍ଘ ଦିନ ଧରି ଅନେକ ଚର୍ଚ୍ଚା ହେଉଥିଲା । ଶେଷରେ ଆଇନ ସମ୍ମତ ପରସ୍ପରଠାରୁ ଅଲଗା ହୋଇଥିଲେ ଏହି ଷ୍ଟାର ଦମ୍ପତି । କିନ୍ତୁ ଅଲଗା ହେବା ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମି ନଥିଲା । ଶେଷ ଥର ୨୦୨୪ ନିର୍ବାଚନ ମଇଦାନରେ ଦୁହେଁଙ୍କୁ ଦେଖିବାକୁ ମିଳିଥିଲା । ବିବାହ ବିଚ୍ଛେଦ ହେବା ପୂର୍ବରୁ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଦୁହିଁଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଥିଲା । ତେବେ ଏହାରି ଭିତରେ ବର୍ଷା ନିଜର ଫିଲ୍ମ ‘ୱାଇଫ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ବର୍ଷାଙ୍କ ବୈବାହିକ ଜୀବନ କାହାଣୀ ସହ ଜଡିତ ବୋଲି କୁହାଯାଉଛି । କିନ୍ତୁ ଏହାକୁ ଅସ୍ଵିକାର କରିଥିଲେ ବର୍ଷା ।
ସେପଟେ ଏହାକୁ ସହଜରେ ହଜମ କରିପାରୁନାହାନ୍ତି ଅନୁଭବ । ତେଣୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ଫେସବୁକ ପୋଷ୍ଟରେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଆଉ ଏହାରି ଭିତରେ ଅନୁଭବଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି । ଫିଲ୍ମର ସତ୍ୟତା ଉପରେ ପ୍ରଶ୍ନ ଉଠାଇ ସାମ୍ନା ସାମ୍ନି ଯେକୌଣସି ଚ୍ୟାନେଲରେ ଆଲୋଚନା କରିବାକୁ ଅନୁଭବ ଆହ୍ୱାନ କରିଛନ୍ତି । ତେବେ ଆଲୋଚନା ପାଇଁ ଚ୍ୟାନେଲ ବାଛିବା ବିକଳ୍ପ ବର୍ଷାଙ୍କ ଉପରେ ଛାଡ଼ିଛନ୍ତି ଅନୁଭବ । ଏଥିସହ ପୋଷ୍ଟରେ ଅନୁଭବ ଆଗକୁ ଲେଖିଛନ୍ତି କୋର୍ଟରେ ଛାଡପତ୍ର ବିବାଦରେ ତାଙ୍କର ବିଜୟ ହୋଇସାରିଛି । ତେଣୁ ପୁଣି ଦାମ୍ପତ୍ୟ କଳହକୁ ନେଇ ବିବାଦ ନକରିବାକୁ ପରାମର୍ଶ ଦେଇଛନ୍ତି ଅନୁଭବ ମହାନ୍ତି । ତେବେ ଏହି ପୋଷ୍ଟକୁ ନେଇ ବର୍ଷାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।