ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସହରରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ କାଠରେ ରଥ ନିର୍ମାଣ କରିବାକୁ ତାଳଚେର ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।ଚଳିତ ବର୍ଷ ଷ୍ଟିଲ୍ ରଥ ଦ୍ୱାରା ରଥଯାତ୍ରା କରିବା ସମ୍ଭାବନାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଉଥିବାବେଳେ ରାଜା ରାଜୁଡା ଅମଳରୁ ଲାଗି ରହିଥିବା ପରମ୍ପରାକୁ ଚଳିତ ବର୍ଷ କୁଠାରଘାତ କରାଯାଉଥିବାର ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।
ତାଳଚେରରେ ରଥଯାତ୍ରା ଆରମ୍ଭ ହେବା ଦିନଠାରୁ ବିଗତ ବର୍ଷ ଯାଏଁ କାଠରେ ରଥ ନିର୍ମାଣ ହେଉଥିବାବେଳେ କାହା ନିର୍ଦ୍ଦେଶରେ ପରିଚାଳନା କମିଟି କାଠ ରଥ ବଦଳରେ ଷ୍ଟିଲ୍ ରଥ ନିର୍ମାଣ କରିଛନ୍ତି ବୋଲି ସଙ୍ଗଠନ ପକ୍ଷରୁ ପ୍ରଶ୍ନ କରାଯିବା ସହ ସରକାର ଏହାର ତଦନ୍ତ କରିବା ସହିତ କାଠ ରଥ ତୁରନ୍ତ ନିର୍ମାଣ କରିବାକୁ ତାଳଚେର ଯୁବ ସମାଜସେବୀ ସଙ୍ଗଠନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।
ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, “କୋଭିଡ୍-୧୯ ଯୋଗୁଁ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ପୁରୀ ସମେତ ଢେଙ୍କାନାଳ , ଅନୁଗୋଳ , ପାଳଲହଡ଼ା ଆଦି ସ୍ଥାନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଓ ନୀତି ଯେଭଳି ଭାବରେ କରାଯାଉଅଛି ସେହିଭଳି ତାଳଚେରରେ ମଧ୍ୟ ରଥଯାତ୍ରା ପାଇଁ ସମସ୍ତ ନିୟମକୁ ଲାଗୁ କରାଯାଇ ସାମାଜିକ ଦୂରତ୍ୱକୁ ବଜାୟ ରଖି କାଠ ରଥ ନିର୍ମାଣ କରାଯାଇ ଆଇନ୍ ଅନୁଯାୟୀ ବିନା ଭକ୍ତରେ ରଥଯାତ୍ରା ପାଳନ କରାଯାଉ “।
Comments are closed.