Latest Odisha News

ଓ୍ୱାକଫକୁ ନେଇ ଅନୁରାଗଙ୍କ ବୟାନ, ସିଧା ଉଠି ଶୁଣାଇଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ରାଜ୍ୟସଭାରେ ଜୋରଦାର ପ୍ରତିବାଦ କରିଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁରଙ୍କ ଓ୍ୱାକଫ୍‌ ଜମି ହଡ଼ପ ଅଭିଯୋଗର ସେ କଡ଼ା ଜବାବ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, “ବିଜେପି ସାଂସଦ ଯେଉଁ ଅଭିଯୋଗ ଲଗାଉଛି, ତାହା ସାବ୍ୟସ୍ତ କରନ୍ତୁ। ମୁଁ କାହା ଆଗରେ ମୁଣ୍ଡ ନୁଆଁଇବି ନାହିଁ। ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ, ମୁଁ ଇସ୍ତଫା ଦେବି।” ସେ ଆହୁରି କହିଛନ୍ତି, “ମୋ ପାଖରେ ଓ୍ୱାକଫ୍‌ର ଏକ ଇଞ୍ଚ ଜମି ନାହିଁ।” ଏହା ସହ ସେ ସଂସଦର ଏହି ନେତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଅନୁରାଗ ଠାକୁରଙ୍କ ଲୋକସଭା ବୟାନକୁ “ମିଛ” ବୋଲି କହି ଖଡ଼ଗେ ତାଙ୍କଠାରୁ କ୍ଷମା ମାଗିବାକୁ କହିଛନ୍ତି। ସେ ଚ୍ୟାଲେଞ୍ଜ ଦେଇ କହିଛନ୍ତି, “ମୋ ଉପରେ ଲାଗିଥିବା ଅଭିଯୋଗ ସତ ହେଲେ ମୁଁ ଇସ୍ତଫା ଦେବି। କିନ୍ତୁ ଯଦି ଅନୁରାଗ ଏହା ସାବ୍ୟସ୍ତ କରିପାରିବେ ନାହିଁ, ତାହେଲେ ସେ ଇସ୍ତଫା ଦିଅନ୍ତୁ।” ଖଡ଼ଗେ ଆହୁରି କହିଛନ୍ତି, “ବିଜେପି ମୋତେ ଡରାଇବାକୁ ଚାହୁଁଛି, କିନ୍ତୁ ମୁଁ ନଇଁବି ନାହିଁ। ମୁଁ ଆଜି ପର୍ଯ୍ୟନ୍ତ କାହାର ଏକ ଇଞ୍ଚ ଜମି ନେଇନାହିଁ। ଏହା ମୋ ଭାବନାକୁ ଆଘାତ ଦେଇଛି। ମୁଁ ଏକ ମଜୁରିଆର ପୁଅ।”

ଖଡ଼ଗେ କହିଛନ୍ତି, “ମୋ ଜୀବନ ସବୁବେଳେ ଏକ ଖୋଲା ବହି ଭଳି। ଏହା ସଂଘର୍ଷ ଓ ଲଢ଼େଇରେ ଭରି ରହିଛି । କିନ୍ତୁ ମୁଁ ସବୁବେଳେ ଉଚ୍ଚ ମୂଲ୍ୟବୋଧକୁ ଧରି ରଖିଛି।” ସେ ଅଭିଯୋଗ କରିଛନ୍ତି ଯେ ଅନୁରାଗ ଠାକୁର ବୁଧବାର ଲୋକସଭାରେ ତାଙ୍କ ବିରୋଧରେ ମିଛ ଓ ଆଧାରହୀନ ଅଭିଯୋଗ ଲଗାଇଥିଲେ। ଅନ୍ୟମାନେ ଏହାକୁ ପ୍ରତିବାଦ କରିବାରୁ ଅନୁରାଗଙ୍କୁ ନିଜ କଥା ପ୍ରତ୍ୟାହାର କରିବାକୁ ପଡ଼ିଥିଲା, କିନ୍ତୁ ଖଡ଼ଗେ କହିଛନ୍ତି, “କ୍ଷତି ତ ହୋଇସାରିଛି।”

ବୁଧବାର ଲୋକସଭାରେ ଓ୍ୱାକଫ୍‌ ବିଲ୍‌ ଉପରେ ଚର୍ଚ୍ଚା ବେଳେ ଅନୁରାଗ ଠାକୁର କହିଥିଲେ, “କଂଗ୍ରେସ ଶାସନରେ ଓ୍ୱାକଫ୍‌ ଆଇନ ଥିଲା ‘ଖାତା ନା ବହି, ଯାହା ଓ୍ବାକଫ୍‌ କହେ ତାହା ଠିକ୍’। ଭାରତକୁ ଓ୍ୱାକଫର ଭୟରୁ ମୁକ୍ତି ଦରକାର।” ସେ ମଲ୍ଲିକାର୍ଜୁନ ଖଡଗେଙ୍କ ନାଁ ନେଇ ଅଭିଯୋଗ କରିଥିଲେ, ଏହା ପରେ ସଂସଦରେ ହଙ୍ଗାମା ହୋଇଥିଲା। ଅନୁରାଗ କହିଥିଲେ, “ଓ୍ୱାକଫ୍‌ ବୋର୍ଡ ମୁସଲିମ ସମୁଦାୟର କଲ୍ୟାଣ ପାଇଁ ସମ୍ପତ୍ତି ପରିଚାଳନା କରିବାର ଥିଲା, କିନ୍ତୁ କଂଗ୍ରେସ ଓ ତାର ସହଯୋଗୀମାନେ ଏହାକୁ ରାଜନୈତିକ ସୁରକ୍ଷା ଦେଇ ଭୋଟ୍‌ ବ୍ୟାଙ୍କର ଏଟିଏମ୍‌ କରି ଦେଇଛନ୍ତି।”

କଂଗ୍ରେସକୁ ଟାର୍ଗେଟ କରି ଅନୁରାଗ କହିଥିଲେ, “କର୍ଣ୍ଣାଟକରେ ଓ୍ୱାକଫ୍‌ ଘୋଟାଲାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ହେଙ୍କ ହାତ ରହିଛି।” ସେ ଆହୁରି ଅଭିଯୋଗ କରିଛନ୍ତି, “କଂଗ୍ରେସ ଜାତି ଓ ଧର୍ମ ନାଁରେ ଲୋକଙ୍କୁ ଭାଗ କରେ। କର୍ଣ୍ଣାଟକ ବିଧାନସଭା ରିପୋର୍ଟରେ କଂଗ୍ରେସର ଅନେକ ନେତାଙ୍କ ନାଁ ଆସିଛି, ଯେଉଁମାନେ ଓ୍ୱାକଫ୍‌ ସମ୍ପତ୍ତି ହଡ଼ପ ଓ ଘୋଟାଲା କରିଛନ୍ତି। ସେମାନେ ପାରଦର୍ଶିତା ଓ ଉତ୍ତର ଦାୟିତ୍ୱ ଚାହାଁନ୍ତି ନାହିଁ।”

Comments are closed.