ଅପରାଧୀ

ମନେମନେ କିଛି ଗୋଟିଏ କଥା ଭାବି ଯାଉଥାନ୍ତି ଜଷ୍ଟିସ୍ ସେନାପତି। ଦୀର୍ଘ ୨୫ବର୍ଷର ଚାକିରି କାଳରେ ସେ କେବେ ଏତେ ବିଚଳିତ ହୋଇ ନଥିଲେ। ଆଜି ତାଙ୍କ ମନ ଆଉ ବିବେକ ମଧ୍ୟରେ ଭୀଷଣ ଦ୍ୱନ୍ଦ୍ୱଯୁଦ୍ଧ! ଅନ୍ୟମନସ୍କ ଭାବରେ ନିଜକୁ ନିଜେ ଉତ୍ତର ଦେବାକୁ ଚେଷ୍ଟା କରୁଥାନ୍ତି। “ଦୋଷୀ ଦଣ୍ତ ନପାଉ ସେ ଅଲଗା କଥା, କିନ୍ତୁ ନିର୍ଦ୍ଦୋଷକୁ ଯଦି ଦଣ୍ତ ମିଳେ ତାହେଲେ ଜଣେ ବିଚାରପତି ପାଇଁଁ ଏହାଠାରୁ ବଳି ପରିତାପର ବିଷୟ କିଛି ନାହିଁଁ। ଆଜି ମୋର ବିଚାର ଦ୍ୱାରା ବୋଧହୁଏ ଗୋଟିଏ ଜୀବନଦୀପ ଲିଭିଯିବ। ଆଇନ ଅନୁଯାୟୀ ବୋଧହୁଏ ମୋର ଧର୍ମ ପାଳନ କରିବି। କିନ୍ତୁ ନିଜ ପାଖରେ ନିଜେ ପରାସ୍ତ ହୋଇ ରହିଯିବି!”

କୋର୍ଟରେ ଗୋଟିଏ କେସକୁ ନେଇ ବିଚଳିତ ଜଷ୍ଟିସ ସେନାପତି। ଆସାମୀ ରୂପରେ ଯାହାର ବିଚାର କରି ସେ ଦଣ୍ତଘୋଷଣା କରିବେ, ତାଙ୍କ ମନ କହୁଛି ସେ ନିର୍ଦ୍ଦୋଷ। କିନ୍ତୁ ଆଇନ ହିସାବରେ ସବୁ ଦୋଷ ତା’ରି ଆଡକୁ ହାତ ଠାରୁଛନ୍ତି। ସିଗାରକୁ ବହୁତ ଜୋରରେ ଟାଣିଦେଇ ଜଷ୍ଟିସ୍ ସେନାପତି ପୁଣି ହଜିଗଲେ ନିଜ ଭିତରେ।

୨ଜଣଙ୍କୁ ହତ୍ୟା କରି ନିଜେ ଆତ୍ମସମର୍ପଣ କରିଛି ଅପରାଧୀ। ହତ୍ୟାରେ ବ୍ୟବହାର କରିଥିବା କୁରାଢି ମଧ୍ୟ ପୋଲିସ ହାତରେ ଦେଇଛି। ଓକିଲ ପାଇଁଁ ରୋକଠୋକ ମନା କରି ଦେଇଛି ଲୋକଟା। ଜଷ୍ଟିସ ସେନାପତିଙ୍କ ଆଖି ଆଗରେ ନାଚିଗଲା ଆସାମୀର କରୁଣ କାହାଣୀ…

ଦଶମୁ ଆଉ ଗୁରୁବାରୀକୁ ନେଇ ଏକ ଛୋଟ ପରିବାର କେଉଁ ଏକ ନିପଟ ପଲ୍ଲୀ ଗାଁଁରେ। ଖଟିଖିଆ ଦିନ ମଜୁରିଆ ଲୋକ, ତେଣୁ ବିଲବାଡ଼ିରେ ଖଟି ପରିବାର ଚଳାନ୍ତି ଦୁହେଁ। ଦିନରେ ଦୁଇ ବେଳା ମାଣ୍ତିଆ ପେଜ, ମୁଣ୍ତଉପରେ ଚାଳ ଆଉ ପିନ୍ଧିବାକୁ ଦୁଇଖଣ୍ତ ଲୁଗା ‐ ଏଇ ଥିଲା ତାଙ୍କ ସଂସାର। ସୁଖେଦୁଃଖେ ଦୁଇପ୍ରାଣୀ କୁଟୁମ୍ବ ଚଳିଯାଉଥାନ୍ତି।

ସମୟକ୍ରମେ ଦଶମୁର ଝିଅଟିଏ ହେଲା। ଦୁହେଁ ଭାରି ଖୁସି ହେଲେ, ଝିଅକୁ ଭାରି ଯତ୍ନରେ ପାଳିଲେ। ଆପଣା ପେଟ କାଟି ଦୁହେଁ ଝିଅକୁ ବଡ଼ କଲେ, ପାଠ ପଢ଼େଇଲେ। ଝିଅର ସ୍କୁଲପଢ଼ା ସାରିବା ପରେ କଲେଜରେ ପଢିବା କଥା, ସେଥିପାଇଁ ସହରକୁ ଯିବାକୁ ପଡ଼ିବ। ଗୁରୁବାରୀ ଜମା ମଙ୍ଗୁ ନଥାଏ ଝିଅକୁ ଗାଁରୁ ଦୂରକୁ ପଠେଇବା ପାଇଁ। ହେଲେ ଦଶମୁର ଏକା ଜିଦ, ଝିଅ ପଢିବାକୁ ଚାହୁଁଛି ଯଦି ପଢୁ। ଗାଁ ସାହୁକାରଙ୍କ ପାଖରୁ ଟଙ୍କା ଉଧାର ଆଣି ଝିଅକୁ କଲେଜରେ ପଢ଼େଇଲା ଦଶମୁ। ଝିଅ ମଝିରେ ମଝିରେ ଘରକୁ ଆସି ବାପମାଙ୍କ ସାଙ୍ଗରେ ସମୟ କାଟେ ଆଉ ଛୁଟି ସରିଲେ ଫେରିଯାଏ। ଦଶମୁ ମନେ ମନେ ସ୍ୱପ୍ନ ଦେଖୁଥାଏ ଝିଅ ଦିନେ ପଢ଼ା ସାରି ହାକିମ ହେଲେ ସେ ଆଉ ଗୁରୁବାରୀ ଛାତି ଫୁଲେଇ ଗାଁଦାଣ୍ଡରେ ଚାଲିବେ।

ଦିନେ ବିଲରେ ହଳ କରୁଥିବା ବେଳେ ସାହୁକାରଙ୍କ ଗୁମାସ୍ତାବାବୁ ମୋଟର ସାଇକେଲ ଧରି ଧାଇଁଧାଇଁ ଆସି କହିଲେ “ଦଶମୁ, ଚାଲ ଶୀଘ୍ର ବାହାରି ଯିବା ସହରକୁ। ମୋ ସାଙ୍ଗରେ ଆ।”

ଦଶମୁ ମନକୁ ପାପ ଛୁଉଁଥାଏ। “କଣ ହେଲା ବାବୁ? କିଛି ଅସୁବିଧା ହେଇଛି କି?”

“ତୋ ଝିଅ ଡାକ୍ତରଖାନାରେ ପଡ଼ିଛି। ସାହୁକାରଙ୍କ ପାଖକୁ ଫୋନ ଆସିଥିଲା। ତେଣୁ ମୁଁ ତୋତେ ନେବାକୁ ଆସିଲି।” ମୋ ଝିଅ ମୋ ଝିଅ କହି କାନ୍ଦି ଉଠିଲା ଦଶମୁ।

ଡ଼ାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ସଞ୍ଜ ହେବାକୁ ବସିଲାଣି। ପାଗଳଭଳି ଝିଅ ବିଷୟରେ ସବୁଆଡେ ପଚାରି ବୁଲୁଥାଏ ଦଶମୁ। ଘଡିଏ ଏପଟ ସେପଟ ଖୋଜିବାପରେ କେହିଜଣେ କହିଲା ରଜ୍ଞରକ୍ସଶରଦ୍ଭମଚ୍ଚ ଙ୍ଗବକ୍ସୟରେ ଦେଖିବା ପାଇଁ। ଦଶମୁ ଅଣନିଃଶ୍ୱାସୀ ହେଇ ଧାଇଁଥାଏ, ପଛେ ପଛେ ଗୁମାସ୍ତାବାବୁ।

ସେଠି ପହଞ୍ଚି ଯାହା ଦେଖିଲା ସେଥିରେ ନିଜକୁ ଆଉ ସମ୍ଭାଳି ପାରିଲାନି ଦଶମୁ। ଲଥ୍ କରି ତଳେ ବସିଗଲା। ଝଗ୍ଧକ୍ସରଗ୍ଧମଷରକ୍ସ ଉପରେ ତା ଝିଅ ପଡିଥାଏ, ମଲାକୁଆ ପରି। ଧଳାଲୁଗା ଖଣ୍ଡେ ଢାଙ୍କି ଦିଆ ଯାଇଥାଏ ଉପରେ ଆଉ ସେଥିରେ ଚକଡ଼େ ଚକଡ଼େ ରକ୍ତ। ମାଛି ଭଣ ଭଣ ହେଉଥାନ୍ତି। ଭୋ ଭୋ କରି କାନ୍ଦି ଉଠିଲା ଦଶମୁ। ଦୌଡିଯାଇ କୁଣ୍ଢେଇ ପକେଇଲା ଝିଅକୁ।

ଜଣେ ନର୍ସ ଆସି ପଚାରିଲେ “ତୁମେ କିଏ?”

“ମୁଁ ୟାର ବାପା, ଆଜ୍ଞା! କଣ ହେଇଛି ମୋ ଝିଅର?”

“କିଛି ଲୋକ ତୁମ ଝିଅ ଉପରେ ବଳାତ୍କାର କରିବା ପରେ ତାକୁ ରାସ୍ତାକଡରେ ଫୋପାଡି ଦେଇ ଚାଲି ଯାଇଥିଲେ। ଡ଼ାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ତାର ମୃତ୍ୟୁ ହେଇ ସାରିଥିଲା।”

ଦଶମୁ କାନକୁ ଆଉ କିଛି ଶୁଣା ଯାଉ ନଥାଏ। ମୁହଁରୁ ଭାଷା ବି ବାହାରୁ ନଥାଏ। ପଡ଼ି ଯାଉ ଯାଉ ତାକୁ ଧରିନେଲେ ଗୁମାସ୍ତାବାବୁ।

ସେଦିନ ଝିଅର ଚିତାରେ ମଙ୍ଗଲୁ ଆଉ ଗୁରୁବାରୀ ନିଜର ସବୁ ସ୍ୱପ୍ନ ଆଉ ଆକାଂକ୍ଷାକୁ ବି ମୁଖାଗ୍ନି ଦେଇ ଦେଲେ। କଥାରେ କୁହନ୍ତି ଦୁଃଖ ଥରେ ଆସିଲେ ନିଜ ସାଙ୍ଗସାଥୀଙ୍କୁ ବି ନେଇକି ଆସେ। ଝିଅ ଗଲା ପରେ ଗୁରୁବାରୀ ଶେଯ ଧରିଲା ଯେ ଆଉ ଉଠିଲା ନାହିଁ। ଦୁଇ ମାସ ନଯାଉଣୁ ମଙ୍ଗଲୁ ଆଉ ଗୋଟେ ଜୁଇ ଜାଳିଲା।

ଦଶମୁ ତା’ପରେ କାଠ ହେଇଗଲା। ତାର ଜୀବନର ଏବେ ଏକମାତ୍ର ଲକ୍ଷ୍ୟ ଝିଅ ପାଇଁ କେମିତି ନ୍ୟାୟ ମିଳିବ। ଝିଅର ଏ ଅବସ୍ଥା କରିଥିବା ଲୋକ ଦୁଇଜଣ ଜେଲରେ ଥାଆନ୍ତି। ଦଶମୁ ଥାନାକୁ ଦୌଡୁଥାଏ ଏଇ ଆଶାରେ ଯେ ଦିନେ ସେ ଦୁଇଜଣ ଅପରାଧୀଙ୍କୁ ଆଇନ ଦଣ୍ଡ ଦେବା ଆଉ ତାକୁ ନ୍ୟାୟ ମିଳିବ।

ସେଇ ଦୁଇଜଣ ନୃଶଂସଙ୍କ ଭିତରୁ ଜଣେ ବଡ଼ଲୋକ ଘରର ପୁଅ। ଦିନେ ଜଣେ ବାବୁ ଗାଡ଼ିରୁ ଓହ୍ଲେଇଲେ ଦଶମୁ ଘର ଆଗରେ। ପାଞ୍ଚଲକ୍ଷ ଟଙ୍କା ବଦଳରେ କେଶ ଫେରେଇ ନେବାକୁ କହିଲେ। ଦଶମୁ ରୋକଠୋକ ମନା କରିଦେଲା। ତାର ପୁରା ବିଶ୍ୱାସ ଦେଶର ଆଇନ ଉପରେ। ବାବୁ ଫେରିଗଲେ।

ପ୍ରାୟ ଛ’ମାସ ପରେ ଦୁଇଜଣ ଯାକ ଖଲାସ ହେଲେ, ପ୍ରମାଣ ଅଭାବରୁ। ଭଗବାନଙ୍କ ଉପରେ ତ ଆଗରୁ ଆସ୍ଥା ତୁଟି ଯାଇଥିଲା ଏବେ ଖବର ଶୁଣିବା ପରେ ଦଶମୁର ଆଇନ ଉପରେ ବି ଆଉ ଭରସା ରହିଲା ନାହିଁ। ସ୍ଥିର କଲା ନିଜେ ନ୍ୟାୟ ଦେବ ନିଜ ଝିଅର ଆତ୍ମାକୁ। ଦିନେ ସେ ଦୁଇଜଣ ଦୁର୍ବୃତ୍ତଙ୍କୁ ଏକୁଟିଆ ପାଇ ନିଜ ଟାଙ୍ଗିଆରେ ହାଣି ଗଡ଼ କରି ପକେଇଲା। ରକ୍ତ ଜୁଡୁବୁଡୁ ହୋଇ ଥାନାକୁ ଯାଇ ଥାନାବାବୁଙ୍କ ଟେବୁଲ ଉପରେ ଟାଙ୍ଗିଆଟି ଥୋଇ ଦେଇ ଆତ୍ମସମର୍ପଣ କରିଦେଲା ଦଶମୁ।

କୋର୍ଟରେ ଜଷ୍ଟିସ ସେନାପତି ନିଜ ସ୍ଥାନରେ ବସିବା ପରେ ଦଶମୁକୁ ଅଦାଲତକୁ ଅଣାଗଲା। ପୂର୍ବଭଳି ଆଜି ବି ତା ମୁହଁରେ କୌଣସି ଭାବ ନଥାଏ।

ଜଷ୍ଟିସ ସେନାପତି ପଚାରିଲେ “ସରକାରୀ ଓକିଲ ପାଇଁ ତୁମେ ମନା କରୁଛ। ଶେଷଥର ପାଇଁ ପଚାରୁଛି, ତୁମେ ନିଜ ସପକ୍ଷରେ କିଛି କହିବାକୁ ଚାହୁଁଛ ଦଶମୁ?”

“ନଇଁ ବାବୁ ମୋକେ ଆରି କାଇଟା ମିସା କଇବାର ନାଇନି। ଅସୁର ମନୁଷ ମନକେ ମରବାର ଲଗେ ମୋକେ ମିସା ଅସୁର ହେବା କେ ପଡ଼ଲା। ଟାଙ୍ଗି ଧରି କରି ସେ ଦୁଇଟା ଅସୁରକେ ହାଣଲା ବେଳେ ମୋର ହାତ ଟିକେ ମିଶାରୁ ଥରଲା ନାଇଁ।
ହେଲେ ମୁଇଁ ମଣିଷ ମାରିଲିଚେ ମାହାପୁରୁ! ମୋକେ ଫାଶୀ ଏକା ଦିଆ। ମୁଇଁ ଆରି ମୋର ନିଜର ମୁହଁକେ ଦେଖି ନାଇଁ ପାରି!” ଶେଷଧାଡ଼ିଟି କହୁକହୁ ଭୋଭୋ କରି କାନ୍ଦି ଉଠିଲା ମଙ୍ଗଲୁ।

କୋର୍ଟରୁମ ଭିତରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଖେଳି ଯାଇଥିଲା ଏକ ନୀରବତା।

LEAVE A REPLY

Please enter your comment!
Please enter your name here