Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି; ରାଜଧର୍ମ ପାଳନ କରନ୍ତୁ: ସାଂସଦ ଅପରାଜିତା

ଭୁବନେଶ୍ୱର: ପୁଣି ବିଜେଡି ସରକାର ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା । ରାଜ୍ୟ ସରକାର ମହିଳା ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି ବୋଲି ସାସଂଦ ଅଭିଯୋଗ ଆଣିଛନ୍ତି । ଏହି ମହିଳାମାନେ ତାଙ୍କୁ ଟେକା, ପଥର, ଅଣ୍ଡା, କଳାପତାକା ଧରି ସାଂସଦଙ୍କୁ ବିରୋଧ କରିଥିଲେ । ଏହାର ଫଟୋ ନିଜ ଏକ୍ସ(ଟୁଇଟର) ହାଣ୍ଡେଲରେ ପୋଷ୍ଟ କରି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ।

ସରକାର  ମିଶନଶକ୍ତ ମହିଳାଙ୍କ ଦ୍ୱାରା ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଆକ୍ରମଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟି ଯାଇଛନ୍ତି । ଏ ହେଉଛି ମିଶନ ଶକ୍ତି ମହିଳାଙ୍କ ପ୍ରକୃତ ରୂପ ବୋଲି ସେ  ଟୁଇଟରେ ଉଲ୍ଲେଖ କରିବା ସହ  ମୁଖ୍ୟମନ୍ତ୍ରୀଙ୍କୁ ରାଜଧର୍ମ ପାଳନ କରିବାକୁ କହିଛନ୍ତି ।

ଅପରାଜିତା ଷଡଙ୍ଗୀ ଗତକାଲି ନିଜ ନିର୍ବାଚନ ମଣ୍ଡଳୀ ବାଲିପାଟଣା ଯାଇଥିଲେ । ସେଠାରେ ଅଠାନ୍ତରର ଗିରିଙ୍ଗେଶ୍ୱରୀ ପୀଠରେ ବିଜେପିର ବୁଥ ସଶକ୍ତୀକରଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା ।  ଅଠାନ୍ତର ରାସ୍ତାରେ   କିଛି ଲୋକ ସାଂସଦଙ୍କୁ ବିରୋଧ କରି ରାସ୍ତା ଉପରକୁ ଆସିଯାଇଥିଲେ । ଫଳରେ ସାଂସଦଙ୍କ ସମର୍ଥକମାନେ ଏହାର  ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ଦୁଇ ଗୋଷ୍ଠୀ ମଧ୍ୟରେ କଥାକଟାକଟି ହୋଇଥିଲା । ଶେଷରେ ଉତେଜନା ବଢି ମାରପିଟ ଯାଏଁ କଥା ଯାଇଥିଲା । ଗଣ୍ଡଗୋଳ ଯୋଗୁ ରାସ୍ତାରେ ବେଶ କିଛି ସମୟ ଅଟକି ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା  ।

ଅବରୋଧକାରୀଙ୍କ ମଧ୍ୟରେ ମହିଳାମାନେ ଥିଲେ । ସେମାନଙ୍କର ଫଟୋ ସାଂସଦ ନିଜ ଟୁଇଟର ହାଣ୍ଡେଲରେ ଶେୟାର କରିଛନ୍ତି । ଏଥିରେ ମହିଳାମାନେ ପ୍ରାୟ ଗୋଟିଏ ରଙ୍ଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ହାତରେ ଟେକା, ଅଣ୍ଡା ଏବଂ କଳାପତକା ଥିବା ମଧ୍ୟ ଦେଖାଯାଇଛି । ସରକାର ମିଶନ ଶକ୍ତି ନାଁରେ ଏହି ମହିଳାଙ୍କୁ ଲଗାଇ ତାଙ୍କୁ ଆକ୍ରମଣ କରୁଥିବା ସାଂସଦ ଅଭିଯୋଗ କରିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏପରି ଆକ୍ରମଣବେଳେ ପୋଲିସ ସେଠାରେ ଉପସ୍ଥିତ ଥିଲା । ସାଂସଦ ସେୟାର କରିଥିବା ଫଟୋରେ ପୋଲିସ ଉପସ୍ଥିତିରେ ତାଙ୍କ ଉପରେ ଆକ୍ରମଣ ହେଉଥିବା ସେ ଦେଖାଇଛନ୍ତି ।

ଏଠି କହିରଖିବୁ, ୨୦୦୧ ମାର୍ଚ୍ଚ ୫ ତାରିଖରେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଲଞ୍ଚ କରିଥିଲେ ସେତେବେଳେ ଅପରାଜିତା ଷଡଙ୍ଗୀ ଏହାର ପ୍ରଥମ ଏମଡି ଥିଲେ । ପରେ ବ୍ୟରୋକ୍ରାଟରୁ ରାଜନେତା ପାଲଟିଥିବା ଅପରାଜିତା ଏବେ ବିଜେଡି ତଥା ରାଜ୍ୟ ସରକାରଙ୍କର ଜଣେ ସମାଲୋଚକ ପାଲଟି ଯାଇଛନ୍ତି ।

 

 

Leave A Reply

Your email address will not be published.