Latest Odisha News

BREAKING NEWS

ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟରେ ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଛନ୍ତି । ୫ଟି ମହାନଗର ନିଗମ ତଥା ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲାରେ ଥିବା ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୬୧ ହଜାରରୁ ଅଧିକ ପରିବାରକୁ ପଟ୍ଟା ଦିଆଯାଇଛି । ଅକ୍ଟୋବର ମାସ ସୁଦ୍ଧା ଚିହ୍ନଟ ସମସ୍ତ ଯୋଗ୍ୟ ପରିବାରକୁ ପଟ୍ଟା ବଣ୍ଟନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳର ୮୭୫ ବସ୍ତିର ୬୫ ହଜାର ପରିବାରକୁ ଜମି ପଟ୍ଟା ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ୧୦୧୦ଟି ବିଜୁ ଆଦର୍ଶ କଲୋନୀର ବି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାର ରହିଛନ୍ତି । ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନସିପାଲଟିର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟାବଣ୍ଟନ କରାଯାଉଥିବା ବେଳେ ଗତ ବର୍ଷ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟାବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଏହି କ୍ରମରେ ଗତ ନଭେମ୍ବର ୨୦୨୨ରେ ଡ୍ରୋନ୍‌‌ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ଆଜି ପ୍ରଥମ ପର୍ୟ୍ୟାୟ ପଟ୍ଟାବଣ୍ଟନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାଗା ମିଶନ ଗରିବ ଲୋକଙ୍କୁ ସମ୍ମାନ ଓ ପରିଚୟ ଦେଇଛି । ଜାଗା ମିଶନ କେବଳ ଓଡିଶାର ନୁହେଁ ବରଂ ସାରା ବିଶ୍ଵର ଧ୍ୟାନ ଆକର୍ଶଣ କରିଛି ।

ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏଥିରେ ରାଜ୍ୟର ୫ ଟି ମହାନଗର ନିଗମକୁ ସାମିଲ କରାଯାଇ ନ ଥିଲା। ହେଲେ ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବାର ପ୍ରାବଧାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ହଜାରରୁ ଅଧିକ ପରିବାରକୁ ଭୂମି ଅଧିକାର ମିଳିଛି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ରାଜ୍ୟରେ ୨ ଲକ୍ଷ ୪୦ ହଜାର ପରିବାରକୁ ଭୂମି ଅଧିକାର ମିଳିଲା। ଏହା ସହିତ ୪୦ ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ମଧ୍ୟ ଦିଆ ଯାଇଛି। ବସ୍ତିମୁକ୍ତ ଓଡିଶା ଗଠନ ଉଦ୍ଦେଶ୍ୟ ନେଇ ଏହି ସବୁ ବସ୍ତି ଗୁଡିକୁ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ଦିଆଯାଇ ଏସବକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୮ଟି ପୌରାଞ୍ଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।

 

 

Leave A Reply

Your email address will not be published.