Latest Odisha News

BREAKING NEWS

ଅପରାଜିତା ଷଡ଼ଙ୍ଗୀ ନଭେମ୍ବର ୨୭ରେ ବିଜେପିରେ ଯୋଗ ଦେବେ

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ (ଆଇଏଏସ) ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେବା ନିଶ୍ଚିତ ହୋଇଯାଇଛି । ସେ ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ନଭେମ୍ବର ୨୭ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିବେ ବୋଲି ସୂତ୍ରରୁ ଜଣାପଡ଼ିଛି ।

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେପିରେ ଅପରାଜିତାଙ୍କ ଏହି ଯୋଗଦାନ ଉତ୍ସବରେ ବହୁ ଜାତୀୟସ୍ତରର ବରିଷ୍ଠ ଭାଜପା ନେତୃବୃନ୍ଦଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

ନୂଆଦିଲ୍ଲୀଠାରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିବା ପରେ ସେ ସେହିଦିନ ଭୁବନେଶ୍ୱର ଫେରି ସିଧା ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଯାହା ଅନୁମାନ କରାଯାଉଛି, ଏହି ପୂର୍ବତନ ଭୁବନେଶ୍ୱର ବିଏମସି କମିଶନର ଜଣକ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନ କିମ୍ବା ଭୁବନେଶ୍ୱର (ମଧ୍ୟମ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।

ଅପରାଜିତା ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ବିଏମସିରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ବେଶ୍ ଲୋକପ୍ରିୟତା ଅର୍ଜନ କରିପାରିଥିଲେ ।

ଅବଶ୍ୟ ଏହି ପୂର୍ବତନ ବ୍ୟୁରୋକ୍ରାଟ ଜଣକ ତାଙ୍କର ରାଜନୀତିରେ ସଂଶ୍ଳିଷ୍ଟ ହେବା ନେଇ ସ୍ପଷ୍ଟ ମତ ପୋଷଣ କରିନ’ଥିଲେ ମଧ୍ୟ ନିକଟ ଅତୀତରେ ସେ ଟ୍ୱିଟ୍ଟର ପୋଷ୍ଟ ମାଧ୍ୟମରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି ।

ରାଜ୍ୟ ସରକାର ତାଙ୍କର ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ଆବେଦନକୁ ନଭେମ୍ବର ୧୪ ତାରିଖରେ କେନ୍ଦ୍ରକୁ ସୁପାରିଶ କରିଥିଲେ ଏବଂ ନଭେମ୍ବର ୧୭ ତାରିଖ ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଆବେଦନକୁ ମଞ୍ଜୁର କରାଯାଇଥିଲା । ଅପରାଜିତା ଗତ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ଏହି ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ)ଲାଗି ଦରଖାସ୍ତ ପତ୍ର ଆବେଦନ କରିଥିଲେ ।

ଯଦିଓ ଅପରାଜିତା ବିହାର ରାଜ୍ୟର ମୂଳ ବାସିନ୍ଦା କିନ୍ତୁ ସେ ତାଙ୍କର ବ୍ୟାଚମେଟ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଓଡ଼ିଶାକୁ ହିଁ ତାଙ୍କର କର୍ମସ୍ଥଳୀ ଭାବେ ବାଛିଛନ୍ତି । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ତାହା ପୂର୍ବରୁ ସେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ, ଉଚ୍ଚଶିକ୍ଷା ସଚିବ, କନସୋଲିଡ଼େସନ କମିଶନର ଏବଂ ବସ୍ତ୍ର ଓ ବୟନଶିଳ୍ପ ସଚିବ ଭାବେ କାର୍ଯ୍ୟ କରିଥିଲେ ।

ରାଜନୈତୀକ ପ୍ରେକ୍ଷାପଟ୍ଟରେ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରବେଶକୁ ବିପକ୍ଷ ରାଜନୈତିକ ଦଳମାନଙ୍କ ସମେତ ବିଜେପି ଆଭ୍ୟନ୍ତରୀଣ ମହଲରେ ଏହାକୁ ଗୁରୁତ୍ୱର ସହିତ ଦୃଷ୍ଟିପାତ କରାଯାଉଛି, ଏପରିକି କିଛି ବ୍ୟୁରୋକ୍ରାଟ ମଧ୍ୟ ତାଙ୍କର ରାଜନୀତିରେ ପ୍ରବେଶ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । କାରଣ, ସେ ଖୁବଶିଘ୍ର ରାଜ୍ୟ ବିଜେପି ‘ଥିଙ୍କ୍ ଟ୍ୟାଙ୍କ’ର ଏକ ଅଂଶ ହେବାକୁ ଯାଉଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.