ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆପଲ୍’ ଝଟକା । ଆମେରିକା ବାହାରେ ତିଆରି ହେଉଥିବା ଆଇଫୋନ୍ ସମେତ ସବୁ ସ୍ମାର୍ଟଫୋନ ଉପରେ ଲାଗିବ ୨୫ପ୍ରତିଶତ ଟାରିଫ୍ । ଆପଲ କମ୍ପାନୀକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ଆମେରିକୀୟ କମ୍ପାନୀ ଆପଲକୁ ଆମେରିକାରେ ହିଁ ଉତ୍ପାଦନ କରିବାକୁ କହିଛନ୍ତି । ନହେଲେ କମ୍ପାନୀକୁ ନୂଆ ଟାରିଫର ସାମନା କରିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି । ଏନେଇ ସେ ଆପଲର ସିଇଓ ଟିମ କୁକଙ୍କୁ ଅନେକ ପୂର୍ବରୁ ଜଣାଇବା ସହ ଉତ୍ପାଦନ ଆମେରିକାରେ ହିଁ କରିବାକୁ କହିଥିଲେ । ଭାରତରେ ଆପଲ ଏହାର ଆଇଫୋନ୍ ଉତ୍ପାଦନ ସଂପ୍ରସାରଣ ନେଇ ଯୋଜନା କରୁଛି । ତେବେ ବିନା ଟାରିଫରେ ସେ ଏହାକୁ ଆମେରିକାରେ ବିକି ପାରିବେନି ବୋଲି ଟ୍ରମ୍ପ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଟ୍ରମ୍ପଙ୍କ ଧମକର ପ୍ରଭାବ ଭାରତ ଉପରେ କିଭଳି ପଡିବ?
ଟ୍ରମ୍ପଙ୍କ ଘୋଷଣା…ଭାରତକୁ କ୍ଷତି !
ବିଶ୍ବରେ ଭୂ-ରାଜନୈତିକ ଉତ୍ତେଜନା ସହ ବାଣିଜ୍ୟ ବିପଦ ବଢିଥିବା ବେଳେ ଭାରତକୁ କେନ୍ଦ୍ରରେ ରଖି ଆପଲ୍ ତାର ଉତ୍ପାଦନ ମାନଚିତ୍ରକୁ ରୂପ ଦେଉଛି । ଟ୍ରମ୍ପଙ୍କ ଧମକ ପରେ ବି ଆପଲ୍ ସିଇଓ ଟିମ୍ କୁକ ପଛକୁ ହଟିନାହାନ୍ତି । ଏହାପଛରେ ବଡ଼ କାରଣ ହେଉଛି ଅର୍ଥନୀତି । ଟାରିଫ ହେଉ କି ବିନା ଟାରିଫ୍, ଭାରତ ଓ ଆପଲର ସମୀକରଣ କାମ କରିବ । ଟାରିଫ ଲାଗୁ ହେଲେ ମଧ୍ୟ ଭାରତରେ ଆଇଫୋନ୍ ଉତ୍ପାଦନ କରିବା ଆମେରିକାକୁ ସ୍ଥାନାନ୍ତର କରିବା ଅପେକ୍ଷା ଶସ୍ତା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୋତ୍ସାହନ, ଯୋଗାଣ ଶୃଙ୍ଖଳ ଇକୋସିଷ୍ଟମ ଏବଂ ନୂଆ ସୁବିଧାରେ ବଡ଼ ନିବେଶ ଏହି ଚିତ୍ରକୁ ଆହୁରି ସ୍ପଷ୍ଟ କରିଛି । ଭାରତ କେବଳ ଚୀନର ବିକଳ୍ପ ନୁହେଁ ବରଂ ଆପଲର ବଡ଼ ଉତ୍ପାଦନର ଆଧାର ହେବାକୁ ଯାଉଛି।
‘ଆପଲ’ର ଭାରତ ଗଣିତ
ଆମେରିକାରେ ଆଇଫୋନ୍ ନିର୍ମାଣ କରିବାକୁ କହୁଛନ୍ତି ଟ୍ରମ୍ପ । ତେବେ ଆମେରିକା ସ୍ଥାନାନ୍ତର କଲେ କ୍ଷତି ସହିବ କମ୍ପାନୀ । ଭାରତରେ ଫ୍ୟାକ୍ଟ୍ରି କର୍ମଚାରୀ ପ୍ରତିମାସ ପ୍ରାୟ ୨୩୦ ଡଲାର ନିଅନ୍ତି । ତେବେ କାର୍ଲିଫର୍ଣ୍ଣିଆରେ ସର୍ବନିମ୍ନ ମଜୁରୀ ଓ ଜୀବନଯାପନ ଖର୍ଚ୍ଚ ଯୋଗୁଁ କର୍ମଚାରୀଙ୍କ ପିଛା ଖର୍ଚ୍ଚ ମାସିକ ୨୯ଶହ ଡଲାରରେ ପହଞ୍ଚିବ । ଫଳରେ କର୍ମଚାରୀଙ୍କ ବାବଦକୁ ଖର୍ଚ୍ଚ ୧୩ଗୁଣା ବଢିବ । ଭାରତରେ ଗୋଟିଏ ଆଇଫୋନ୍ ଆସେମ୍ବଲ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହେଉଥିବା ବେଳେ ଆମେରିକାରେ ଏଥିପାଇଁ ୩୯୦ଡଲାର ଖର୍ଚ୍ଚ ହେବ । ଏହାବାଦ ବି କମ୍ପାନୀକୁ ଅନ୍ୟ ଖର୍ଚ୍ଚ ବି କରିବାକୁ ପଡିବ ।
ଟାରିଫ୍ ଲାଗିଲେ ହେବ କି କ୍ଷତି ?
ଡୋନାଲ୍ଡ ଟ୍ରମ୍ପ ଆମେରିକା ବାହାରେ ଆଇଫୋନ୍ ଉତ୍ପାଦନ କଲେ ୨୫ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ଆଇଫୋନ୍ ଆସେମ୍ବଲ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହେଉଥିବା ବେଳେ ଏହା ଉପରେ ଟାରିଫ ଲାଗିଲେ ବି ଏହା ୩୭.୫ଡଲାର ହେବ । ଆମେରିକାରେ ଉତ୍ପାଦନ ପାଇଁ ୩୯୦ଡଲାର ଖର୍ଚ୍ଚ ହେବାକୁ ଥିବା ବେଳେ ଏହା ଖୁବ୍ କମ୍ । କାରଣ ଟ୍ରମ୍ପଙ୍କ ଟାରିଫ୍ ଲାଗିବା ସତ୍ବେ ଭାରତରେ ଉତ୍ପାଦନ ହେଉଥିବା ଆଇଫୋନ୍ ଆମେରିକା ଅପେକ୍ଷା ୧୦ଗୁଣା ଶସ୍ତା ରହିବ । ପ୍ରତି ଆଇଫୋନ୍ ପାଇଁ ଆପଲ ୪୫୦ ଡଲାର ଲାଭ କରୁଛି । ତେବେ କମ୍ପାନୀ ଆମେରିକାକୁ ସ୍ଥାନାନ୍ତର ହେଲେ ଲାଭ ବଦଳରେ କ୍ଷତି ସହିବ । ତେଣୁ ଆପଲ ଭାରତ ଛାଡି ଆମେରିକା ଯିବାକୁ ଚାହିଁବନି ବୋଲି ବିଶେଷଜ୍ଞ କହିଛନ୍ତି ।
ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ନାରା ଲଗାଇ ଦ୍ବିତୀୟ ଥର କ୍ଷମତାକୁ ଆସିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଫାଷ୍ଟ ନୀତିକୁ ସବୁବେଳେ ଜୋର ଦେଉଥିବା ଟ୍ରମ୍ପ ଆମେରିକାକୁ ପୁଣି ବିଶ୍ବର ମାନ୍ୟୁଫାକ୍ଚରିଂ ହବ୍ କରିବାକୁ ଚାହୁଁଛନ୍ତି । ଗତ କିଛି ବର୍ଷ ଧରି ଆମେରିକାର ଉଦାରବାଦୀ ନୀତିର ସୁଯୋଗ ନେଇ ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ଦ୍ରୁତ ବିକାଶ କରିଛି ଚୀନ୍ । ହେଲେ ଏବେ ଚୀନ୍ ହେଉ କି ଭାରତ, କୌଣସି ଦେଶକୁ ସୁଯୋଗ ଦେବାକୁ ଚାହୁଁନାହାନ୍ତି ଟ୍ରମ୍ପ । ସେଥିପାଉଁ ଟାରିଫକୁ ଅସ୍ତ୍ର କରି ଧମକ ଦେଉଛନ୍ତି । ଏହି କ୍ରମରେ ପୂର୍ବରୁ ବିଭିନ୍ନ ଦେଶ ଉପରେ ପାରିସ୍ପରିକ ଆମଦାନୀ ଶୁଳ୍କ ଲଗାଇଥିଲେ ଟ୍ରମ୍ପ । ଏବେ ଆଇଫୋନ୍ ଓ ଅନ୍ୟ ସ୍ମାର୍ଟ ଫୋନ୍ ଉପରେ ଜୁନ୍ ଶେଷ ସୁଦ୍ଧା ଟାରିଫ ଲଗାଇବାକୁ କହିଛନ୍ତି । ବର୍ତ୍ତମାନର ଗଣିତ ହିସାବରେ ଆମେରିକାଠାରୁ ଭାରତ ଆପଲ କମ୍ପାନୀ ପାଇଁ ଅନୁକୂଳ ରହିଛି । ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପଙ୍କ ନୀତି ଭାରତ ପାଇଁ ଚିନ୍ତା ବଢାଇପାରେ ।
Comments are closed.