Latest Odisha News

ମୁଖ୍ୟ ଶାସନ ସଚିବ ନିଯୁକ୍ତି: ଆଉ କେଉଁ ଅଣଓଡିଆ ଏହି ପଦରେ ବସିଥିଲେ?

ଭୁବନେଶ୍ୱର: ଆଇଏଏସ ମନୋଜ ଆହୁଜାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପି ନିର୍ବାଚନ ଜିତିଲା କିନ୍ତୁ ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ ଆସନରେ ବସାଇବା ନେଇ ଚର୍ଚ୍ଚା ହେଉଛି। ନବୀନ ସରକାର ୨୪ ବର୍ଷ ରାଜ୍ୟରେ କ୍ଷମତା ରହିଲେ। କିନ୍ତୁ ଏହି କାର୍ଯ୍ୟକାଳରେ ଓଡ଼ିଆ ହିଁ ମୁଖ୍ୟ ଶାସନ ସଚିବ ଥିଲେ। କିନ୍ତୁ ଏବେ ଏହି ଧାରା ଭାଙ୍ଗିଛି। ଦୀର୍ଘ ୪ ଦଶନ୍ଧି ପରେ ଜଣେ ଅଣ ଓଡ଼ିଆ ରାଜ୍ୟର ମୁଖ୍ୟ ଶାସନ ସଚିବ ହୋଇଛନ୍ତି।

ଅବସର ଗ୍ରହଣ କରିବାକୁ ଯାଉଥିବା ଏବେର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ୧୯୮୯ ବ୍ୟାଚର। ହରିଆଣା ନିବାସୀ କିନ୍ତୁ ଓଡ଼ିଶା କ୍ୟା଼ଡାରର ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର। ତେଣୁ ଏହି ବ୍ୟାଚରେ ଓଡିଶା କ୍ୟାଡାରରୁ ଯେଉଁମାନେ ଅଛନ୍ତି ସେମାନେ ହେଲେ ମନୋଜ ଆହୁଜା, ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା, ଆରତୀ ଆହୁଜା ଓ ଜି ଶ୍ରୀନିବାସ। ଆରତୀ ହେଉଛନ୍ତି ମନୋଜଙ୍କ ପତ୍ନୀ। ସେ ଅବସର ଗ୍ରହଣ କରି ସାରିଛନ୍ତି। ଅନ୍ୟମାନେ ସମ‌ସ୍ତେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି।

ଅଲ୍ ଇଣ୍ଡିଆ ସର୍ଭିସ ରୁଲ କ୍ୟାଡର ଅନୁଯାୟୀ ନିଯୁକ୍ତି ଦେବାକୁ ପଡ଼ିବ। ୧୯୯୦ ବ୍ୟାଚର ଆଇଏଏସ ରହିଥିବା ବେଳେ କେବେ ୧୯୯୧ ବ୍ୟାଚର ଆଇଏଏସକୁ ରାଜ୍ୟର ଶାସନ ସଚିବ କରିବା ଅମଲାତନ୍ତ୍ରରେ କନ୍ଦଳ ତିଆରି କରିପାରେ। ଏପରି ସ୍ଥିତିରେ କୁହାଯାଉଛି ଆଇଏଏସ ନୀତିନ ଚନ୍ଦ୍ରା ଓଡ଼ିଶା ଫେରିବାକୁ ଚାହୁଁନଥିଲେ। ତେଣୁ ଅଭିଜ୍ଞତାକୁ ଆଧାର କରି ମନୋଜଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର।

ଏହାପୂର୍ବରୁ ଯେଉଁ ଅଣ ଓଡ଼ିଆ ଓଡିଶା ସରକାରରେ ମୁଖ୍ୟ ଶାସନ ସଚିବରେ ଥିଲେ ସେମାନେ ହେଲେ, ବି. ଶିବରମଣ(୧୨-୦୬-୫୬ରୁ ୧୦-୦୯-୫୯) ଓ (୦୮-୦୭-୬୧ରୁ ୦୮-୦୫-୬୫) ଦୁଇ ଥର, ଏ.କେ.ମଜୁମଦାର (୧୮-୦୨-୭୭ରୁ ୨୮-୦୨-୭୭), ଜେ.ଏ. ଡେଭ୍ (୦୧-୦୩-୭୭ ରୁ ୨୧-୦୯-୭୭), କେ ରାମମୂର୍ତ୍ତି (୨୯-୦୯-୭୭ ରୁ ୧୩-୦୨-୭୯), ଏସ୍ ଏମ୍ ଏଚ୍ ବର୍ଣ୍ଣି (୧୪-୦୨-୭୯ ରୁ ୨୯-୦୨-୮୦), ବି ଭେଙ୍କଟରମଣ (୨୯-୦୨-୮୦ ରୁ ୨୯-୦୩-୮୦), ଜ୍ଞାନଚାନ୍ଦ (୦୨-୦୪-୮୩ରୁ ୩୧-୧୨-୮୫) ଇତ୍ୟାଦି। ଡିପି ବାଗଚି (୦୧-୧୧-୨୦୦୦ରୁ ୩୧-୧୦-୨୦୦୨) ମୁଖ୍ୟ ଶାସନ ସଚିବ ରହିଥିଲେ । ତାଙ୍କର ମାତୃଭାଷା ବଙ୍ଗାଳୀ ହୋଇଥିଲେ ବି ସେ ଓଡିଶାର ବାସିନ୍ଦା । ରାଜ୍ୟର ପ୍ରଥମ ମୁଖ୍ୟ ଶାସନ ସଚିବ ହେଉଛନ୍ତି ପି.ଟି. ମ୍ୟାନ୍ସଫିଲ୍ଡ ଇ. ଏସ୍. କ୍ୟୁ. (୦୧-୦୪-୩୬)। ଏହାପରଠୁ ବି ଭେଙ୍କଟରମଣଙ୍କ ଯାଏ ସମସ୍ତ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଥିଲେ।

ଯେଉଁ ଚର୍ଚ୍ଚା ହେଉଛି ଏହାକୁ ନେଇ ବିଶେଷଜ୍ଞ କହିଛନ୍ତି, ଓଡ଼ିଆ ଅସ୍ମିତାର କାର୍ଡ ଜଣେ ଓଡ଼ିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଚର୍ଚ୍ଚା ବେଳେ ଉଠିଛି। ନୁହେଁ କି ଜିଲ୍ଲପାଳ, ପୋଲିସ ଡିଜି ଏବଂ ଅନ୍ୟାନ୍ୟ ପଦବୀକୁ ନେଇ। ରାଜ୍ୟରେ ଅନେକ ସ୍ଥାନରେ ଜିଲ୍ଲାପାଳ ଏବଂ ସଚିବ ଅଣ ଓଡ଼ିଆ ରହିଛନ୍ତି। ସେମାନଙ୍କୁ ନେଇ କେବେ ବିବାଦ ହୋଇନି। ପୂର୍ବ ସରକାରରେ ଜଣେ ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ ଭାବେ ଅବସର ଗ୍ରହଣ କରି ବିଜେଡିର ସର୍ବେସର୍ବା ଏବଂ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ଚର୍ଚ୍ଚା ହେବାରୁ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠିଛି।

Leave A Reply

Your email address will not be published.