Latest Odisha News

ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ପ୍ରଶଂସା

ଭୁବନେଶ୍ୱର: ମୋହନ ସରକାର ଆସିବା ପରେ ସାମ୍ବାଦିକଙ୍କ ପାଇଁ ହଟିଲା ପ୍ରତିବନ୍ଧକ। ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନ ତଥା ଓଡ଼ିଶା ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିଛନ୍ତି। ପ୍ରତିବନ୍ଧକ ହଟିବା ପରେ ଖୁସିରେ ଗଦ୍‌ଗଦ୍ ହୋଇ ସାମ୍ବାଦିକ ମହଲ ନୂଆ ସରକାରଙ୍କ ଏ ନିଷ୍ପତ୍ତିକୁ ଭୂରିଭୂରି ପ୍ରଶଂସା କରିଛନ୍ତି।

ଦୀର୍ଘ ୪ ବର୍ଷ ପରେ ଗଣମାଧ୍ୟମ ପ୍ରତିନିଧି ବିନା କୌଣସି ଆକଟ ଓ କଟକଣାରେ ପ୍ରବେଶ କରିଛନ୍ତି ଲୋକସେବା ଭବନକୁ। ରାଜ୍ୟରେ ବିଜେପି ସରକାର ଶପଥର ଦୁଇ ଘଣ୍ଟା ଭିତରେ ସାମ୍ବାଦିକମାନଙ୍କ ପାଇଁ ଖୋଲିଛି ସଚିବାଳୟର ଦ୍ୱାର। ସାମ୍ବାଦିକଙ୍କ ପାଇଁ ବି କରାଯାଇଥିଲା ଖାସ୍ ବ୍ୟବସ୍ଥା। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଲୋକସେବା ଭବନକୁ ଏକ ବସ୍‌ ଯୋଗେ ସାମ୍ୱାଦିକଙ୍କୁ ସମ୍ମାନର ସହିତ ନିଆଗଲା । ସଚିବାଳୟରେ ପ୍ରବେଶ ବେଳେ ସମସ୍ତଙ୍କ ଭିତରେ ପ୍ରବଳ ଖୁସି ଓ ଉତ୍ସାହିତ ଦେଖିବାକୁ ମିଳିଥିଲା।

୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ୱାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ବାରଣ କରାଯାଇଥିଲା। ନୂଆ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନକୁ ପ୍ରବେଶ ପାଇଁ ତତ୍କାଳ ଅନୁମତି ଦେଇଥିଲେ। ଶପଥ ଗ୍ରହଣ ପରେ ଏହାଥିଲା ତାଙ୍କର ପ୍ରଥମ ପଦକ୍ଷେପ। ନୂଆ ବିଜେପି ସରକାରଙ୍କ ଏହି ଉଦ୍ୟମକୁ ସାମ୍ୱାଦିକ ମହଲରେ ପ୍ରଶଂସା କରାଯାଇଛି। କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ । କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।

Comments are closed.