Latest Odisha News

BREAKING NEWS

e-Aadhaar app launch: ଗୋଟିଏ କ୍ଲିକ୍‌ରେ ଅପଡେଟ୍ ହୋଇଯିବ ନାଁ, ଜାଣିନିଅନ୍ତୁ ନିୟମ

ଭୁବନେଶ୍ୱର: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ନିଜର ଡିଜିଟାଲ ପରିବର୍ତ୍ତନ ପ୍ରୟାସକୁ ଆହୁରି ଜୋରଦାର କରୁଛି। ଏଥିପାଇଁ UIDAI ଏକ ନୂଆ ମୋବାଇଲ ଆପ୍‌ ‘ଇ-ଆଧାର’ ବିକଶିତ କରୁଛି। ଏହି ଆପ୍‌ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇନାହିଁ ଏବଂ ଏହା ବିକାଶର ପ୍ରକ୍ରିୟାରେ ରହିଛି। ଏହି ଆପ୍‌ ଜରିଆରେ ଉପଭୋକ୍ତାମାନେ ନିଜ ସ୍ମାର୍ଟଫୋନରୁ ନାମ, ଠିକଣା, ଜନ୍ମତାରିଖ ଓ ମୋବାଇଲ ନମ୍ବର ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ସହଜରେ ଅପଡେଟ କରିପାରିବେ। ଶୀଘ୍ର ଏହି ନୂଆ ଆଧାର ଆପ୍‌ ଆଣ୍ଡ୍ରଏଡ ଓ ଆଇଓଏସ ଡିଭାଇସ ପାଇଁ ପ୍ଲେ ଷ୍ଟୋରରେ ଡାଉନଲୋଡ ପାଇଁ ଉପଲବ୍ଧ ହେବ।

UIDAIର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ କୁମାରଙ୍କ କହିବା ଅନୁଯାୟୀ, ୧ ଲକ୍ଷ ଆଧାର ଅଥେଣ୍ଟିକେସନ ଡିଭାଇସ ମଧ୍ୟରୁ ପ୍ରାୟ ୨,୦୦୦ ଡିଭାଇସକୁ ଆଗାମୀ ସିଷ୍ଟମକୁ ନେବା ପାଇଁ ଅପଗ୍ରେଡ କରାଯାଇସାରିଛି। ନୂଆ ଆଧାର ଆପ୍‌ ଉପଭୋକ୍ତାଙ୍କୁ ଖୁଚୁରା ଦୋକାନ, ହୋଟେଲ ରିସେପସନ ଓ ଯାତ୍ରା ସମୟରେ ନିଜର ପରିଚୟ ସହଜରେ ଯାଞ୍ଚ କରିବାର ସୁବିଧା ଦେବ। ଅର୍ଥାତ୍, ଏବେ ହୋଟେଲ ଚେକ-ଇନ, ଯାତ୍ରା କିମ୍ବା କିଣାକିଣି ପାଇଁ ଆଧାର କାର୍ଡ କିମ୍ବା ତାହାର ଫଟୋକପି ଜମା କରିବାର ଆବଶ୍ୟକତା ନାହିଁ।

ଗତ ୮ ଏପ୍ରିଲ ୨୦୨୫ରେ କେନ୍ଦ୍ର ମନ୍ତ୍ରୀ UIDAI ସହଯୋଗରେ ବିକଶିତ ଏହି ନୂଆ ଆଧାର ମୋବାଇଲ ଆପ୍‌ର ବିଟା ସଂସ୍କରଣ ଲଞ୍ଚ କରିଥିଲେ। ଏହି ଅପଡେଟେଡ ଆପ୍‌ରେ ଅନେକ ନୂଆ ସୁବିଧା ଓ ଦୃଢ଼ ସୁରକ୍ଷା ବ୍ୟବସ୍ଥା ଅନ୍ତର୍ଭୁକ୍ତ ହୋଇଛି। ଏହା ଉପଭୋକ୍ତାଙ୍କୁ ଡିଜିଟାଲ ରୂପେ ଆଧାର ସୂଚନାକୁ ପ୍ରମାଣୀକରଣ ଓ ସେୟାର କରିବାର ସୁବିଧା ଦେଉଛି, ସାଙ୍ଗକୁ ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ମଧ୍ୟ କରୁଛି। ଏହି ଅପଗ୍ରେଡ ସହ, ଆଧାର ଯାଞ୍ଚ ଏକ UPI ଲେଣଦେଣ ପରି ସହଜ ଓ ଦ୍ରୁତ ହେବ।

 

Comments are closed.