Latest Odisha News

BREAKING NEWS

ଏଥର ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ୨ଦିନ; ଭୋର ୪.୩୦ରେ ଉଠିବ ମହାଦୀପ

ଆରଡି: ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମ । ଆରଡିର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଚଳିତ ମାସ ୨୬ରେ ଅନୁଷ୍ଠିତ ହେବ। ତେବେ ଚଳିତବର୍ଷ ପୀଠରେ ଜାଗରଯାତ୍ରା ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨ଦିନ ଧରି ପାଳନ କରାଯିବ । ରବିବାର ଅନୁଷ୍ଠିତ ଚୂଡାନ୍ତ ସମନ୍ୱୟ ବୈଠକରେ ଜାଗରଯାତ୍ରା କମିଟିର ଅଧ୍ୟକ୍ଷ ତଥା ଭଦ୍ରକ ଜିଲାପାଳ ଦିଲିପ ରାଉତରାୟ ପ୍ରକାଶ କରିଛନ୍ତି ।

ଚଳିତ ବର୍ଷ ଆଗନ୍ତୁକ ଭକ୍ତମାନେ ବାବାଙ୍କୁ ଦର୍ଶନ ପାଇଁ ଦକ୍ଷିଣଦ୍ୱାରର ନୂତନ ମୁଖଚାଳି ଦ୍ୱାର ଦେଇ ବ୍ୟାରିକେଡ଼ରେ ଆସିବା ପରେ ମନ୍ଦିର ଭିତର ବେଢାକୁ ପ୍ରବେଶ କରିବେ । ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ କରିବାର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଉଛନ୍ତି । ସେହିପରି ରାତ୍ର ୧.୩୦ରୁ ୩.୩୦ଯାଏଁ ଦୀର୍ଘ ୨ଘଣ୍ଟା ଧରି ସୁନାବେଶ ଦର୍ଶନ କରିବେ ଭକ୍ତ । ଏହାପରେ ଭୋର ୪.୩୦ରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ।

ବିଶେଷକରି ଜାଗରଯାତ୍ରାରେ ଲକ୍ଷାଧିକ ଭକ୍ତ ଉଜାଗର ରହି ଦୀପ ଜାଳିବେ । ଏହା ସହ ମହାଦୀପ ଓ ସୁନାବେଶ ଦର୍ଶନ କରିବେ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ସହ ନଦୀରେ ମଟରଚାଳିତ ଡଙ୍ଗାରେ ପାରି ହୋଇ ଆସୁଥିବା ଭକ୍ତମାନେ ଯେପରି ସୁଚାର ରୂପେ ଜଳଯାତ୍ରା କରିବେ ସେଥିପାଇଁ ପୂର୍ବାଞ୍ଚଳ ଡିଆଇଜି ଡ. ସତ୍ୟଜିତ ନାୟକ, ଭଦ୍ରକ ଏସପି ସନ୍ଦିପ ମଡକର ସମ୍ପଦ, ଏଏସିପି ଅଂଶୁମାନ ଦ୍ୱିବେଦୀଙ୍କ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ପୀଠରେ ସ୍ଥିତି ପରଖିଛନ୍ତି । ଏଥିସହ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି।

ଏହି ବୈଠକରେ ମନ୍ଦିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ବିଡିଓ, ତହସିଲିଦାର ଭବତୋଷ ମଲିକ, ଜିଲା ଚିକିତ୍ସାଧିକାରୀ ଧୁଷୁରୀ ଥାନା ଅଧିକାରୀ, ଟ୍ରଷ୍ଟ ବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ, ଜିଲା ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

 

Comments are closed.