Latest Odisha News

BREAKING NEWS

ଯାହା ପୋଲିସକୁ ଦେଖା ଗଲାନାହିଁ, ଇଡି ଆଖିରେ ଧରା ପଡ଼ିଗଲା

ଭୁବନେଶ୍ୱର: ଛାଡିଦେଇଥିଲା କମିଶନରେଟ ପୋଲିସ। ଭିଡ଼ି ଆଣିଲା ଇଡି। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଉଠିଲା ପ୍ରଶ୍ନ। ଗୋଟିଏ ମାସରୁ ଅଧିକ ଦିନ ହେବ ଧର୍ମେନ୍ଦ୍ର ସାହୁ ଓ ଅର୍ଚ୍ଚନା ନାଗ ମାମଲାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଥିଲା ନଜର। ପୁଲିସର ନୀରବତା ଦର୍ଶାଉଥିଲା ଯେମିତି ସେମିତି କିଛି ଘଟିନାହିଁ। ଯେଉଁ ପ୍ରକାର ତଦନ୍ତ ଚାଲିଛି ବୋଧହୁଏ ସବୁଠୁ ଭଲ । ହେଲେ ଆର୍ଥିକ ନେଣଦେଣ ଥିବାରୁ ଇଡି ଯେଉଁଭଳି ଭାବେ ଅର୍ଚ୍ଚନା ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବରକୁ ଉଠାଇ ଆଣି ଜେରା କରିବା ପରେ ଗିରଫ କରିଛି ତାହା ଏବେ କମିଶନରେଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଛିଡା କରିଛି।

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଯେଉଁ ନାଟକ ହୋଇଛି ତାର ମୂଳ ଉଦ୍ଦେଶ୍ୟ ଟଙ୍କା ପାଇଁ ବୋଲି ବୁଝାପଡୁଛି। ହେଲେ ପୋଲିସ କିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ କେବଳ ଗିରଫ କରି ବସିପଡିଲା ? ଏହି ମାମଲାରେ ଖଗେଶ୍ବରର ଭୂମିକା ଥିବା ନେଇ ଜଣାପଡିବା ପରେ ବି ପୋଲିସ କେଉଁ ସମ୍ପର୍କ ପାଇଁ ଖଗେଶ୍ବର ପାଖରେ ପହଞ୍ଚିପାରିଲାନି ତାହା ଏବେ ତଦନ୍ତ ସାପେକ୍ଷ। ଆଉ ଇଡିର ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିିଛି। କାରଣ ଅର୍ଚ୍ଚନାର ପ୍ରତିଟି ସଉକ ପୂରଣ ହେବା ପଛରେ ବଡ ବଡିଆଙ୍କ ଆର୍ଥିକ ସହଯୋଗ ରହିଥିବା କୁହାଯାଉଛି। ତେଣୁ ପୋଲିସ ସବୁ ଜାଣି ଚୁପ୍ ରହିବାକୁ ବାଧ୍ୟ ହେଉଛି ବୋଲି କୁହାଯାଉଛି।

ଖଗେଶ୍ବରକୁ ଜେରା କରିବା ବେଳେ ଅନେକ ଗୁମର ଖୋଲିଥିବା ସୂଚନା ରହିଛି। ହନିଟ୍ରାପ କରି ଅର୍ଚ୍ଚନା ଯେଉଁ ପଇସା ଆଣୁଥିଲା ତାହା କୁଆଡେ ଖଗେଶ୍ବରର ପୁରୁଣା ଗାଡି ସୋରୁମରେ ଲାଗୁଥିଲା। ଆଉ ବେଆଇନ ଭାବେ ଆସୁଥିବା ଏହି ଟଙ୍କାକୁ ସୋରୁମରେ ନିବେଶ କରାଇ ଖଗେଶ୍ବର ଧଳା କରାଉଥିଲା।

ସେହିପରି ଜେରା ବେଳେ କେଉଁ କେଉଁ ଆକାଉଣ୍ଟରୁ ଆର୍ଥିକ କାରବାର ହେଉଥିଲା ତାହା କହିଛି ଖଗେଶ୍ବର। ମୋଟ୍ ୧୨ଟି ଆକାଉଣ୍ଟ ବାବଦରେ ଖଗେଶ୍ବର ଏବେ ସୂଚନା ଦେଇଛି। ହେଲେ ୫ଟି ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଥିବା ସୂଚନା ରହିଛି।

ସେହିପରି ଇଡି ଅର୍ଚ୍ଚନାର ମହିନ୍ଦ୍ରା ଥର କାରକୁ ଜବତ କରିଥିବା ବେଳେ ଫୋର୍ଡର ଥିବା ଏକ ଏସୟୁଭି କାର ଗଲା କୁଆଡେ ତାହା ମଧ୍ୟ ଏବେ ପ୍ରଶ୍ନ ଘେରରେ। ଏବେ ୧୦ ଦିନିଆ ରିମାଣ୍ଡରେ ନେଇ ଖଗେଶ୍ବର ପେଟରୁ ଅନେକ କିଛି ଗୁମର ବାହାର କରିବାକୁ ଇଡି ପ୍ରୟାସ କରିବ। ତେଣୁ ଅନେକ ବଡ଼ ବଡ଼ିଆଙ୍କ ଛାତି ଧଡ଼ଧଡ଼ କରିବା ଆରମ୍ଭ କରିଛି।

ବଡ କଥା ହେଲା ମୋବାଇଲ ଚୋରକୁ ଧରି ବେଶ ଖୁସି ପ୍ରକଟ କରୁଥିବା କମିଶନରେଟ ପୋଲିସ ତଦନ୍ତ କରିବା ବେଳେ ଏ ନେଇ କୌଣସି ଟେର ପାଇଲାନି କେମିତି? ନା ସବୁ ଜାଣି ଇଡି ହାତକୁ କେତେବେଳେ ମାମଲା ଯିବ ଅପେକ୍ଷା କରିବସିଥିଲା କମିଶନରେଟ ପୋଲିସ? ଆଉ ଇଡି ବଡ ବଡିଆଙ୍କୁ ଧରିଲେ ନିଜ ଉପରେ ଥିବା ଚାପ ହାଲୁକା ହୋଇଯିବାକୁ ଅପେକ୍ଷା କରିଥିଲା?

Comments are closed.