Latest Odisha News

BREAKING NEWS

ଅର୍ଚ୍ଚନା ନାଗ ମାମଲା: ପୋଲିସ ଚୁପ୍, ଇଡି ଆରମ୍ଭ କଲା କି ଗୁମର ଖୋଲିବା?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବାକୁ ମାସେ ପୂରିଛି। ହେଲେ ଏହି ମାମଲାରେ ଆର୍ଥିକ ନେଣଦେଣ ପାଖରୁ ଆରମ୍ଭ କରି ହନିଟ୍ରାପର ଦିଗ ସାମ୍ନାକୁ ଆସିଥିଲେ ମଧ୍ୟ ପୋଲିସ ଏଯାବତ ଅର୍ଚ୍ଚନା ପରେ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦଙ୍କୁ ହିଁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ ଅନେକ ଶାସକ ଦଳ ଓ ବିରୋଧୀ ବିଜେପି ଦଳର ନେତା ହନିଟ୍ରାପ ମାମଲାରେ ଥିବା ନେଇ ଦାବି ହେଉଛି। ପୋଲିସ ଏ ଦିଗରେ ତଦନ୍ତ କରି କେତେବାଟ ଆଗକୁ ଯାଇଛି ତାହା ସେ ହିଁ ଜାଣିଛି। ସେପଟେ ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରିବା ଆରମ୍ଭ କରିଛି। ଯାହାକୁ ନେଇ ଛାନିଆ ବଡ ବଡିଆ ନେତା।

ପୋଲିସ ବିଭିନ୍ନ ମାମଲାରେ ସକ୍ରିୟତା ଦେଖାଇ ବିଭିନ୍ନ କଥା କହୁଥିବା ବେଳେ ଏହି ମାମଲାରେ ଗୋଟିଏ ବଡ ନିରବତା ରହିବା ଶାସକ ଦଳର ନେତାଙ୍କ ଚାପ କିମ୍ବା ବଡ ବଡିଆଙ୍କ ଚାପ ରହିଥିବା କୁହାଯାଉଛି। କିନ୍ତୁ  ପୋଲିସର ତଦନ୍ତ ବେଳେ ଅନେକ ବିଜେପି ନେତାଙ୍କ ସଂପୃକ୍ତି କଥା ସାମ୍ନାକୁ ଆସିଛି। ଏହାକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟ କହିଥିଲେ ସରକାରଙ୍କ ଚାପରେ ରହିଛି ପୋଲିସ। ତେଣୁ ଅନେକ ଶାସକ ଦଳର ନେତାଙ୍କୁ ତଦନ୍ତ କରିପାରୁନି ପୋଲିସ। ଏହି ମାମଲାରେ ବିଜେପି ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ଜଣେ ବିଚାରପତିଙ୍କ ନେତୃତ୍ୱରେ ଏସଆଇଟି ତଦନ୍ତ ଦାବି କରିଛି।

 ଏହାରି ଭିତରେ ଇଡି ଏହି ମାମଲା ନିଜ ହାତକୁ ନେଇଛି। ପ୍ରାଥମିକ ଭାବେ ଇଡି ଅର୍ଚ୍ଚନା ଏବଂ ଧନଞ୍ଜୟ ଚାନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ କରିଛି। ଯେଉଁଥିରେ ସେମିତି କିଛି ଆର୍ଥିକ କାରବାରର ଟେର ପାଇନି ଇଡି। ହେଲେ ଯେଉଁମାନେ ପଇସା ପଠାଇଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି ପଚରାଉଚରା କରିବ ବୋଲି ସୂଚନା ରହିଛି। ଏବେ କେବଳ ଅର୍ଚ୍ଚନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ଏବଂ ଧନଞ୍ଜୟଙ୍କ ସ୍ୱାମୀଙ୍କୁ ଇଡି ସମନ ପଠାଇଛି। ହାଜର ନହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି।

ଅନ୍ୟପଟେ କାର, ଘର ପାଖରୁ ଆରମ୍ଭ କରି ଅନେକ ଜିନିଷ କିଣିବା ବେଳେ ଅର୍ଚ୍ଚନା ନଗଦ ଟଙ୍କା କାରବାର କରିଥବାରୁ ଏହାର ଖୋଳତାଡ କରିବାକୁ ପ୍ରୟାସ କରିଛି ଇଡି। ଅର୍ଚ୍ଚନା ଦାମୀ ଜିନିଷ କିଣା ଥିବା ଦୋକାନ ବା ସୋରମୁକୁ ଯାଇ ଇଡିର ଏକି ଟମ୍ ପଚରାଉଚରା କରିବ ବୋଲି ସୂଚନା ରହିଛି। ଯଦି ସଂପୃକ୍ତ ସୋରୁମ କିମ୍ବା ଦୋକାନୀ ନିୟମ ବାହାରକୁ ଯାଇ ନଗଦ ଟଙ୍କା କାରବାର କରିଥିବେ ତାହେଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ।

କିନ୍ତୁ ଇଡି ଏବେ କେନ୍ଦ୍ରର ଶାସକ ଦଳର ରାଜନୈତିକ ଅସ୍ତ୍ର ହୋଇ କାମ କରିବନି ତ? କାରଣ ଧାମନଗର ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୋକ୍ଷରେ ଅର୍ଚ୍ଚନା ନାଗ ପ୍ରସଙ୍ଗରେ କହିଥିଲେ। ସେ କହିଥିଲେ ଅନେକ ଶାସକ ଦଳର ନେତା ଦୁର୍ନୀତିରେ ଫସିଛନ୍ତି ଆଉ କିଛି ନାଗଫାଶରେ ପସିଛନ୍ତି। ପୋଲିସ ଯେହେତୁ ଶାସକ ଦଳର ନେତାଙ୍କ ବାବଦରେ ମୁହଁ ଖୋଲିବାକୁ ସାହାସ କରିପାରୁନି ଏପରି ସ୍ଥିତିରେ ଇଡି ଯଦି ଶାସକ ଦଳର ନେତାଙ୍କ ମୁଖା ଖୋଲିବାରେ ସକ୍ଷମ ହେବେ ତାହେଲେ ରାଜ୍ୟ ରାଜନୀତିରେ ଗୋଟିଏ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ଯାହା ଶାସକ ଦଳକୁ ବ୍ୟାକଫୁଟକୁ ଠେଲିଦେବ।

Leave A Reply

Your email address will not be published.