Latest Odisha News

BREAKING NEWS

ଆମେରିକା ନିର୍ବାଚନରେ ଭାରତୀୟ ବନିବେ ଗେମଚେଞ୍ଜର!

ନିମ୍ନ ସଦନରେ ରିପବ୍ଲିକାନ ଦଳ ପୁଣି ସଂଖ୍ୟା ଗରିଷ୍ଠ ହେବା ସୂଚନା

ଓ୍ବାଶିଂଟନ: ଆମେରିକାରେ ଏବେ ଚାଲିଛି ମଧ୍ୟବର୍ତ୍ତିକାଳୀନ ସାଧାରଣ ନିର୍ବାଚନ । ଏହି  ନିର୍ବାଚନରେ ଭାରତୀୟ ଭୋଟରଙ୍କ ଉପରେ ନେତାଙ୍କ ନଜର । ଅନେକ ରାଜ୍ୟରେ ଭାରତୀୟ ଭୋଟର ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ କିପରି ନିଜ ଦଳ ପ୍ରତି ଆକୃଷ୍ଣ କରାଯାଇପାରିବ ସେ ନେଇ ନେତାମାନେ ଜୋର ଦେଉଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର ଅଧା ସମୟରେ ଏହା ହେଉଥିବାରୁ ଏହାକୁ ମିଡ୍ ଟର୍ମ ଇଲେକସନ କୁହାଯାଉଛି ।

ବିଶେଷ କରି  ନ୍ୟୁୟର୍କ, ଇଲିନୋଇସ୍, କାଲିଫର୍ନିଆ, ଟେକ୍ସାସ୍ ଏବଂ ଆମେରିକାର ନ୍ୟୁ ଜର୍ସି, ଜର୍ଜିଆ, ଭର୍ଜିନିଆ, ମିଚିଗାନ୍ ଏବଂ ଆରିଜୋନା ରେ ଭାରତୀୟମାନଙ୍କର ଏଭଳି  ରାଜନୈତିକ ପ୍ରାଧାନ୍ୟ ରହିଛି ଯେ ଏଠାରେ ଦୁଇ ଦଳ ଭାରତୀୟଙ୍କୁ ମନାଇବା ପାଇଁ ବଡ଼ ବଡ଼ ସଭା ଆୟୋଜନ କରୁଛନ୍ତି । କାରଣ ସେମାନେ ଭଲଭାବେ ଜାଣନ୍ତି ଭାରତୀୟମାନେ ହିଁ ଜୟ, ପରାଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ।

ଆମେରିକାର ହାଉସ ଅଫ୍ ରିପ୍ରେଜେଣ୍ଟେଟିଭସ୍ ର ସମସ୍ତ 435 ଟି ସିଟ୍ ଏବଂ ଆମେରିକା ସିନେଟରେ ଥିବା 100 ଟି ଆସନ ମଧ୍ୟରୁ 34 ଆସନ ପାଇଁ ନିର୍ବାଚନ ଚାଲିଛି । ଏହାରି ଭିତରେ 50ଟି ରାଜ୍ୟରୁ 36 ରାଜ୍ୟର ଗଭର୍ଣ୍ଣରଙ୍କ ପାଇଁ ନିର୍ବାଚନ ମଧ୍ୟ ହେଉଛି । କିଛି ରାଜ୍ୟର ବିଧାନସଭା ପାଇଁ ମଧ୍ୟ ମତଦାନ ହେଉଛି । ସାଧାରଣତ ଏହି ନିର୍ବାଚନରେ ଭୋଟରମାନେ ସରକାର ଉପରେ କେତେ ସନ୍ତୁଷ୍ଟ ଅଛନ୍ତି ତାହା ଜଣାପଡିଥାଏ । ଏହି ନିର୍ବାଚନରୁ ମଧ୍ୟ ପରବର୍ତ୍ତି ରାଷ୍ଟ୍ରପତି କେଉଁଦଳର ହେବେ ତାହା ସୂଚନା ମିଳିଥାଏ । କେବଳ ସେତିକି ନୁହେଁ ସଂସଦରେ ଯେଉଁ ଦଳ ଅଧିକ ଆସନ ଗ୍ରହଣ କରିଥାଏ ସେହି ଦଳର ଏଜେଣ୍ଡା ଲାଗୁ ହେବା ସହଜ ହୋଇଥାଏ ।

ଗତ ନିର୍ବାଚନରେ ଯେଉଁଠି ଭାରତୀୟମାନେ ଜୋ ବାଇଡେନଙ୍କ ଦଳକୁ ସମର୍ଥନ କରିଥିଲେ ସେଠାରେ ବହୁମତରେ ଜିତିଥିଲା ଜୋ ବାଇଡେନଙ୍କ ଦଳ । ଫଳରେ ଟ୍ରମ୍ପ ହାରିଥିଲେ । ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ପାଇଁ ଭାରତୀୟମାନେ ଡେମୋକ୍ରାଟିକ ଦଳକୁ ସମର୍ଥନ କରିଥିବା ଦେଖାଯାଇଥିଲା । ତେବେ ଏଥର ରିପ୍ଲବିକାନ ଦଳକୁ ପୁଣି ସମର୍ଥନ ଦେବା ଆରମ୍ଭ କରିଛନ୍ତି ଭାରତୀୟ । ଓପିନୟନ ପୋଲ ଅନୁସାରେ ରିପବ୍ଲିକାନ ଦଳର ନେତା ଅଧିକ ଜିତିବାର ଆଶା ରହିଛି । ଏହାର ଲାଭ ଟ୍ରମ୍ପଙ୍କୁ ମିଳିବ ।

ଆମେରିକା ରାଜନୀତିରେ  ଭାରତୀୟମାନେ ବଡ଼ ଭୂମିକା ଗତ କିଛି ଦଶନ୍ଧି ଧରି ଗ୍ରହଣ କରୁଥିବାରୁ ବିଭିନ୍ନ ରାଜ୍ୟରେ ଭାରତୀୟଙ୍କ ସହ ନେତାମାନେ ଘନ ଘନ ବୈଠକ କରୁଥିବାର ନଜର ଆସୁଛି । କାରଣ ଆମେରିକା ସିନେଟରେ ଶାସକ ଦଳ ଗୋଟିଏ ଆସନ ଜିତିଲେ ଜୋ ବାଇଡେନଙ୍କ ଦଳ ବହୁମତ ହାସଲ କରିବ । ସେହିପରି 5ଟି ଆସନ ଜିତିଲେ ଟ୍ରମ୍ପଙ୍କ ବାଜିମାତ ହେବ । ସେହିପରି ଲୋୟର ହାଉସରେ 435 ଆସନ ମଧ୍ୟରୁ ଜୋ ବାଇଡେନଙ୍କୁ 220ଟି ଆସନର ସମର୍ଥନ ରହିଛି । ବାଇଡେନଙ୍କୁ 212ଟି ସଦସ୍ୟଙ୍କର ସମର୍ଥନ ରହିଛି । ତେଣୁ ଯେଉଁ ଦଳର ଆସନ ବୃଦ୍ଧି ପାଇବ ସେହି ଦଳର ଏଜେଣ୍ଡା ସଂସଦରେ ଚାଲିବ ।

ଗତ କିଛି ବର୍ଷ ହେଲା ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶର ରାଜନୀତିରେ ଭାରତୀୟ ଭୋଟରଙ୍କ  ଆଧିପତ୍ୟ ବୃଦ୍ଧି ପାଇଛି। ଏପରିକି ଚଳିତ ବର୍ଷ  ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ​​ମଧ୍ୟ ଡେମୋକ୍ରାଟିକ୍ ଏବଂ ରିପବ୍ଲିକାନ୍ ଦଳର ନେତାମାନଙ୍କ  ଆଖି ଭାରତୀୟଙ୍କ ଉପରେ ରହିଛି।

ଆମେରିକାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆମେରିକୀୟ ରାଜନୀତିରେ ଭାରତୀୟମାନଙ୍କର ପ୍ରାଧାନ୍ୟ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବାରୁ ଆମେରିକାର ମୁଖ୍ୟ ଦୁଇ ଦଳ ଭାରତୀୟ ଭୋଟରଙ୍କ ନିକଟତାର ହେବାକୁ ଲାଗୁଛନ୍ତି । ବିଶେଷତ ଦେଖାଯାଉଛି ଭାରତୀୟ ଭୋଟରମାନେ ନିରପେକ୍ଷ ରହିଥାନ୍ତି । କୈାଣସି ଗୋଟିଏ ଦଳକୁ ଖୋଲାଖୋଲି ସମର୍ଥନ କରନ୍ତି ନାହିଁ । ଏହି ମୁକ୍ତ ଭୋଟରଙ୍କୁ ଦୁଇ ଦଳ ପକ୍ଷରୁ ନେତାମାନେ ଭୋଟ ଦେବା ପାଇଁ ଆହ୍ବାନ ଦେଉଛନ୍ତି ।

ଆମେରିକାର ଅନେକ ରାଜ୍ୟରେ ଭାରତୀୟଙ୍କ ଭୋଟରଙ୍କ ସଂଖ୍ୟା ଯାହା ତାହାକୁ ନେଇ ନେତାଙ୍କ ଭାଗ୍ୟ ଏପଟ ସେପଟ ହୋଇଯାଇପାରେ ।  ନିର୍ବାଚନ ଫଳାଫଳ ହିଁ ହ୍ବାଇଟ ହାଉସର ବାଟକୁ ସ୍ଥିର କରିଥିବାରୁ ଏବେ ଭାରତୀୟଙ୍କୁ ଆମେରିକାରେ ବଡ଼ ସମ୍ମାନ ମିଳୁଛି । ସେପଟେ ଓପିନିୟନ ପୋଲ ଅନୁସାରେ ପୁଣି ଥରେ ଟ୍ରମ୍ପଙ୍କ ସମର୍ଥନରେ ଭୋଟରମାନେ ଭୋଟ ଦେଉଛନ୍ତି । ଏହାର ଅର୍ଥ ପୁଣି ରିପ୍ଲବିକାନ ଦଳର ସଂଖ୍ୟା ଗରିଷ୍ଠ ହୋଇପାରେ । ତେବେ ଫଳାଫଳକୁ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.