Latest Odisha News

BREAKING NEWS

ବିହାର ରାଜନୀତିରେ କମୁଛି ବାହୁବଳୀଙ୍କ ପ୍ରଭାବ

ନୂଆଦିଲ୍ଲୀ: ଦିନ ଥିଲା ବିହାର ରାଜନୀତିରେ ବାହୁବଳୀଙ୍କ ଦବଦବା ରହିଥିଲା । ଅପରାଧୀଙ୍କ ସହ ରାଜନୀତିର ଯୁଗଳବନ୍ଦୀ କରି ବାହୁବଳୀ ଦମ୍ ଦେଖାଉଥିଲେ । ହେଲେ ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନୀ ଦୃଶ୍ୟପଟ୍ଟରୁ ଏକପ୍ରକାର ଗାଏବ ରହିଛନ୍ତି ବାହୁବଳୀ । ନା ସେମାନଙ୍କ କିଲ୍ଲା ସୁରକ୍ଷିତ ରହିଛି ନା ମଜବୁତ ରହିଛି ସେମାନଙ୍କ ପ୍ରାର୍ଥୀତ୍ବ । ୬୦ଦଶକରେ ବିହାର ରାଜନୀତିରେ ବାହୁବଳର ପ୍ରୟୋଗ ହେବା ପରେ ଧୀରେ ଧୀରେ ରାଜନୀତିରେ ପାଦ ମଜବୁତ କରିଥିଲେ ବାହୁବଳୀ । ତେବେ ୯୦ଦଶକରୁ ୨୦୧୦ ପର୍ଯ୍ୟନ୍ତ ବିହାର ରାଜନୀତିରେ ବାହୁବଳୀଙ୍କ ପ୍ରବଳ ପ୍ରଭାବ ଦେଖିବାକୁ ମିଳିଥିଲା । ତେବେ ସମୟ ସହ ବଦଳିଛି ବାହୁବଳୀଙ୍କ ରାଜନୀତି ।

କେଉଁ ଦଳରୁ ଲଢିବେ ଆନନ୍ଦ ମୋହନଙ୍କ ପୁଅ?

ବାହୁବଳୀ ନେତା ତଥା ପୂର୍ବ ସାଂସଦ ଆନନ୍ଦ ମୋହନଙ୍କ ପତ୍ନୀ ଲବଲୀ ଆନନ୍ଦ ଜେଡିୟୁରୁ ସାଂସଦ ଅଛନ୍ତି । ତେବେ ତାଙ୍କ ପୁଅ ଚେତନ ଆନନ୍ଦ ୨୦୨୦ରେ ଆରଜେଡିରୁ ବିଧାୟକ ହୋଇଥିଲେ । ଜେଡିୟୁରେ ଥିଲେ ମଧ୍ୟ ରାଜନୈତିକ ଛବିକୁ କ୍ଷତି ହେବା ଆଶଙ୍କାରେ ଆନନ୍ଦ ମୋହନଙ୍କ ସହ ଏକାଠି ମଞ୍ଚକୁ ଆସିବାକୁ ପସନ୍ଦ କରନ୍ତିନି ନୀତିଶ । ୮୦ ଓ ୯୦ ଦଶକରେ ଆନନ୍ଦ ମୋହନଙ୍କ ରାଜନୈତିକ ଦବଦବା ଏବେ ଫିକା ପଡିଛି। ଶିବହରର ଆଖପାଖ ଅଞ୍ଚଳ ଓ ତିରହୁକ ଡିଭିଜନରେ ତାଙ୍କର ମଜବୁତ ପକଡ ରହିଥିଲା । ଆନନ୍ଦ ମୋହନଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା, ଏହାକୁ କ୍ଷମା କରାଯିବା ପରେ ସେ ବାହାରେ ଅଛନ୍ତି । ତାଙ୍କ ପତ୍ନୀ ଜେଡିୟୁରୁ ସାଂସଦ ଅଛନ୍ତି, ତେବେ ପୁଅକୁ ଟିକେଟ୍ ନେଇ ଏବେବି ସସପେନ୍ସ ଲାଗିରହିଛି ।

ଅନନ୍ତ ସିଂହଙ୍କ ପତ୍ନୀଙ୍କୁ ମିଳିବ କି ଟିକେଟ୍?

ବିହାରର ମୁଙ୍ଗେର ଜିଲ୍ଲାରେ ଗୋଟେ ସମୟରେ ବାହୁବଳୀ ଅନନ୍ତ ସିଂହଙ୍କ ଦବଦବା ଥିଲା । ସେ ଏପର୍ଯ୍ୟନ୍ତ ୪ଥର ବିଧାୟକ ହୋଇଥିବା ବେଳେ ୨ଥର ଜେଡିୟୁରୁ ଜିତିଥିଲେ । ଜେଡିୟୁଠାରୁ ଅଲଗା ହୋଇ ଅନନ୍ତ ସିଂହ ୨୦୨୦ରେ ଆରଜେଡିରୁ ମୋକାମାରୁ ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କୁ ଦଣ୍ଡାଦେଶ ହେବା ପରେ ପତ୍ନୀ ନିଲମ ଦେବୀଙ୍କୁ ଜିତାଇବାରେ ସଫଳ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଜେଡିୟୁ ଆଡକୁ ଢଳିଥିଲେ ଅନନ୍ତ ସିଂହ । ଲଲନ ସିଂହଙ୍କୁ ଜିତାଇବାରେ ତାଙ୍କର ବଡ଼ ଭୂମିକା ଥିଲା । ଏହାପରଠୁ ନିଲମ ଜେଡିୟୁ ଟିମରେ ନଜର ଆସୁଛନ୍ତି । ତେବେ ନୀତିଶ ତାଙ୍କୁ ଟିକେଟ୍ ଦେବେ କି ନାହିଁ, ତାହା ସ୍ପଷ୍ଟ ହୋଇନି ।

ଶାହାବୁଦ୍ଦିନ, ସୁରଜଭାନଙ୍କ ଦବଦବା ଫିକା

ଲାଲୁ ଯାଦବଙ୍କ ସମୟରେ ଶାହାବୁଦ୍ଦିନଙ୍କ ପ୍ରବଳ ଦବଦବା ଥିଲା । ତେବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ତାଙ୍କ ଭାଗ୍ୟ ବି ବଦଳିଥିଲା । ଶାହାବୁଦ୍ଦିନଙ୍କୁ ପ୍ରଥମେ ଦଣ୍ଡାଦେଶ ହେଲା, ପରେ ଜେଲରେ ଥିବା ବେଳେ କରୋନା ବେଳେ ତାଙ୍କର ମୃତ୍ୟୁ ହୋଇଗଲା । ଏହାପରେ ଆରଜେଡି ଛାଡି ତାଙ୍କ ପତ୍ନୀ ହିନା ଶହାବ ୨୦୨୪ରେ ସ୍ବାଧୀନ ଭାବେ ଲୋକସଭା ନିର୍ବାଚନ ଲଢିଥିଲେ । ହେଲେ ହାରି ଯାଇଥିଲେ । ସାଧାରଣ ନିର୍ବାଚନ ପରେ ହିନା ଶହାବ ଓ ତାଙ୍କ ପୁଅ ଓସାମା ଶହାବ ଆରଜେଡିରେ ସାମିଲ ହୋଇଛନ୍ତି । ତେବେ ଟିକେଟ୍ ମିଳିବା ଆଶା କମ୍ । ସେହିପରି ରାଜ୍ୟର ଅନ୍ୟତମ ବାହୁବଳୀ ସୁରଜଭାନ ସିଂହଙ୍କ ପ୍ରଭାବ ମଧ୍ୟ କମିଛି । ମୁଙ୍ଗେରରେ ଲଲନ ସିଂହ ଓ ଅନନ୍ତ ସିଂହଙ୍କ ଦବଦବା ବଢିବା ପରେ ତାଙ୍କ ପ୍ରଭାବ କମିଛି । ତାଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ ହୋଇଥିବାରୁ ନିଜେ ନିର୍ବାଚନ ଲଢିପାରିବେନି । ଏବେ ତାଙ୍କ ପରିବାର ଚିରାଗ ପାଶଓ୍ବାନଙ୍କ ଏଲଜେପିରେ ରହିଛନ୍ତି । ସେହିପରି ସୁନିଲ ପାଣ୍ଡେୟ, ବିଜୟ କୁମାର ଶୁକ୍ଳା, ପ୍ରଭୁନାଥ ସିଂହ, ରାଜନ ତିଓ୍ବାରୀ, କିଶୋର ସିଂହ, ପପ୍ପୁ ଯାଦବଙ୍କ ପରି ବାହୁବଳୀ ଓ ତାଙ୍କ ପରିବାର ରାଜନୀତିରେ ଥିଲେ ମଧ୍ୟ ସେମାନଙ୍କ ପ୍ରଭାବ କମିଛି ।

ବିହାର ରାଜନୀତିରେ ଲଗାତର ବାହୁବଳୀଙ୍କ ଦବଦବା କମିବାରେ ଲାଗିଛି । ରାଜନୈତିକ ଦଳ ମଧ୍ୟ ସେମାନଙ୍କୁ ଟିକେଟ୍ ଦେବାକୁ ଆଗ୍ରହୀ ହେଉନାହାନ୍ତି । ପପ୍ପୁ ଯାଦବଙ୍କୁ ଆରଜେଡି ଓ କଂଗ୍ରେସ କେହି ପ୍ରାର୍ଥୀ କରିନଥିଲେ । ବାହୁବଳୀଙ୍କର ନିଜ ଅଞ୍ଚଳରେ ଥିବା ନେଟଓ୍ବର୍କ ମଧ୍ୟ ଏବେ ଭାଙ୍ଗିବାରେ ଲାଗିଛି । ରାଜନୀତିରେ ପରିବର୍ତ୍ତନ ସହ ବାହୁବଳୀଙ୍କ ରାଜନୀତି ମଧ୍ୟ ଫିକା ପଡିଛି । ଫଳରେ ନା ସେମାନଙ୍କ ପ୍ରାର୍ଥୀତ୍ବ ମଜବୁତ ରହିଛି ନା ଟିକେଟ୍ କନଫର୍ମ ହେଉଛି ।

Comments are closed.