ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଦଳୀୟ କାର୍ଯ୍ୟକଳାପରେ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହାର କିଛି ଘଣ୍ଟା ପରେ, ଶୁକ୍ରବାର ଦିନ ଆଉ ଜଣେ ବରିଷ୍ଠ ନେତା ନୃସିଂହ ସାହୁ ମଧ୍ୟ କଡ଼ା ଓ ସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି। ନୃସିଂହ ସାହୁ ଦଳର ନିର୍ବାଚନୀ ପରାଜୟ ଓ ଅଭ୍ୟନ୍ତରୀଣ ବିବାଦ ପାଇଁ ପାଣ୍ଡିଆନଙ୍କ ରାଜନୈତିକ ପ୍ରବେଶକୁ ଦାୟୀ କରିଛନ୍ତି।
ସେ କହିଛନ୍ତି, “ପାଣ୍ଡିଆନ ରାଜନୈତିକ କାର୍ଯ୍ୟକଳାପରେ ଯୋଗ ଦେବା ପରଠାରୁ ଦଳ କ୍ଷତିଗ୍ରସ୍ତ ହୋଇଛି। ଜଣେ ପ୍ରଶାସକ ଭାବେ ସେ ଦକ୍ଷ ଥିଲେ, କିନ୍ତୁ ରାଜନୀତିରେ ପାଦ ଥାପିବା ପରେ ବିଜେଡିର ସ୍ଥିତି ଦୁର୍ବଳ ହେବାକୁ ଲାଗିଲା। ସମ୍ପ୍ରତି ନିର୍ବାଚନୀ ପରାଜୟ ପାଣ୍ଡିଆନଙ୍କ କାରଣରୁ ହୋଇଛି।”
ସେ ଆହୁରି କହିଛନ୍ତି ଯେ, ଗତ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇଟି ଆସନରେ ପ୍ରାର୍ଥୀ ଭାବେ ଦେଖାଯାଇଥିଲା। ଏହି ଦ୍ୱନ୍ଦ୍ୱ ଆମକୁ ମହଙ୍ଗା ପଡ଼ିଛି। କାରଣ ବିଜେପି ଏହାକୁ ଅସ୍ତ୍ର କରି ନିଜକୁ ସୁହାଇଲା ଭଳି ପ୍ରଚାର କରି ଲୋକଙ୍କ ଆସ୍ଥାଭାଜନ ହେବାରେ ସଫଳ ହୋଇଛି ।”
ସେହିପରି ଶଙ୍ଖ ଭବନ ବାହାରେ ଅନୁଷ୍ଠିତ ଆଭ୍ୟନ୍ତରୀଣ ବୈଠକ ପ୍ରସଙ୍ଗରେ ନୃସିଂହ ସାହୁ ଦଳୀୟ ନେତାଙ୍କ ପକ୍ଷ ସମର୍ଥନ କରି କହିଛନ୍ତି, “ଚା’ ପିଇବା କିମ୍ବା ଆଲୋଚନା ପାଇଁ ବୈଠକ କରିବାକୁ ଶଙ୍ଖ ଭବନର ଆବଶ୍ୟକତା ନାହିଁ। ଅତନୁ ଓ ସଞ୍ଜୟ ଭଳି ବରିଷ୍ଠ ନେତାମାନେ ମଧ୍ୟ ହୋଟେଲରେ ବୈଠକ କରିଛନ୍ତି। ଆମେ ଯେତେବେଳେ ଏକତ୍ରିତ ହେଉଛୁ, ତାହା ଦଳର ଉନ୍ନତି ପାଇଁ ଆଲୋଚନା କରିବାକୁ, ଷଡ଼ଯନ୍ତ୍ର କରିବାକୁ ନୁହେଁ। କିନ୍ତୁ କେତେକ ଲୋକ ଏହି ବୈଠକଗୁଡ଼ିକୁ ଭୁଲ ଉପସ୍ଥାପନ କରି ନବୀନ ବାବୁଙ୍କୁ ଭ୍ରମରେ ରଖିଛନ୍ତି।”
ୱାକଫ ବିଲ ବିବାଦ ସମୟରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଭୂମିକାକୁ ନେଇ ନୃସିଂହ ସାହୁ ସ୍ପଷ୍ଟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ମୁଁ ନିଜେ ନବୀନ ପଟ୍ଟନାୟକଙ୍କୁ ଭେଟି କହିଥିଲି ଯେ ସସ୍ମିତଙ୍କ କାର୍ଯ୍ୟ ଠିକ୍ ନଥିଲା। ମୁଁ ଦଳର ସଭାପତିଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି, ଓ ସେ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରାଯିବ ବୋଲି ଆଶ୍ୱାସନ ଦେଇଛନ୍ତି।”
ଅନ୍ୟପଟେ ପ୍ରଫୁଲ୍ଲ ମଲ୍ଲିକ ଆଜି କହିଛନ୍ତି, କେହି କାହାକୁ ନାଲିଆଖି ଦେଖାଇ ପାରିବେନି । କେତେବେଳେ କେଉଁଠି ବସିବେ ତାହା ବ୍ୟକ୍ତିଗତ କଥା । ତାଙ୍କର ବୟସ ହେଲାଣି, ସେମାନେ କେହି ଚାକିରି କରୁନାହାନ୍ତି । ତେଣୁ ହୋଟେଲରେ ବସିପାରିବେନି କହିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
Comments are closed.