Latest Odisha News

BREAKING NEWS

ଅନୁଶାସନ ହୁଗୁଳା…ଚାପରେ ମୋହନ, ମନମୋହନ !

ଭୁବନେଶ୍ବର: ଗତ ନିର୍ବାଚନରେ ଐତିହାସିକ ରାୟ ଦେଲା ଓଡିଶା । ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ କ୍ଷମତାକୁ ଆସିଲା ବିଜେପି । ଦଳ ପାଇଁ ବଡ଼ ସୁଯୋଗ ତ ଥିଲା ତା ସାଙ୍ଗକୁ ଆଗରେ ରହିଥିଲା ବଡ଼ ଚ୍ୟାଲେଞ୍ଜ । ରାଜ୍ୟ ସରକାର ଦାୟିତ୍ବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଲା ବିଜେପି ଶୀର୍ଷ ନେତୃତ୍ବ ତ ରାଜ୍ୟ ବିଜେପି ଦାୟିତ୍ବ ମନମୋହନ ସାମଲଙ୍କ କାନ୍ଧରେ ରହିଲା। ସରକାର ସହ ଦଳର ସମନ୍ବୟ ରକ୍ଷା କରିବା ଥିଲା ମୁଖ୍ୟ ଲକ୍ଷ୍ୟ । ହେଲେ ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂରିଥିବା ବେଳେ କେଉଁଠି ନା କେଉଁଠି ଦଳର ଅନୁଶାସନ ଓ ସରକାରର ନିୟନ୍ତ୍ରଣ ହୁଗୁଳା ହୋଇଥିବା ଅଭିଯୋଗ ହେଉଛି । ରଥଯାତ୍ରା ହେଉ କି ଅଧିକାରୀଙ୍କୁ ମାଡ଼ ମରା ଘଟଣା, ବିରୋଧୀଙ୍କଠାରୁ ଅଧିକ ନିଜ ଦଳର ନେତା ଓ କର୍ମୀଙ୍କ ପାଇଁ ବେଶୀ ବ୍ୟାକଫୁଟକୁ ଆସିଛି ଶାସକ ବିଜେପି ।

ନିୟନ୍ତ୍ରଣ ବାହାରେ କି ବିଜେପି କର୍ମୀ?

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁଭଳି ଭାବେ ବିଏମସିର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରାଗଲା, ସେଥିରୁ ଆଇନଶୃଙ୍ଖଳାକୁ ନେଇ କାଠଗଡାକୁ ଆସିଛନ୍ତି ରାଜ୍ୟ ସରକାର । ଅଭିଯୁକ୍ତମାନେ ବିଜେପି କର୍ପୋରେଟର ଓ କର୍ମୀ । ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ବିଜେପିରୁ ୫ଜଣଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଏହା ଗୋଟିଏ ଘଟଣା ନୁହେଁ । ଗଞ୍ଜାମରେ ରାଜପଥ ଟୋଲଗେଟର ଜଣେ ଅଧିକାରୀଙ୍କୁ ବିଜେପି ଯୁବ ନେତା ଧମକ ଦେଉଥିବାର ଅଡିଓ ଭାଇରାଲ ହୋଇଛି ତ କିଛି ମାସ ତଳେ ଆସିକା ବିଧାୟକ ସରୋଜ ପାଢୀ ବାଲିଘାଟରୁ ଦାଦାବଟି ଆଦାୟ ଅଡିଓ ଭାଇରାଲ ହୋଇଥିଲା । ସେହିପରି ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ବିଜେପି ନେତା ଭବାନୀ ଶଙ୍କର ଦାସ ।

ବିଜେପିରେ ଅନୁଶାସନ ଲାଇନଚ୍ୟୁତ !

ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପିର କର୍ମୀ ଓ ନେତାଙ୍କ ନାଁରେ ଗତ ବର୍ଷକ ମଧ୍ୟରେ ବିଭିନ୍ନ ଅଭିଯୋଗ ଆସିଲାଣି । ବିଜେପି ନେତାଙ୍କ ଦାଦାଗିରିକୁ ନେଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ତେବେ ପ୍ରଶ୍ନ ଉଠୁଛି, ବିଜେପିରେ ଅନୁଶାସନ ଲାଇନଚ୍ୟୁତ ହେଲାଣି କି? ଦିନ ଦ୍ବିପହରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘୋଷା଼ଡି ମାରିବାକୁ କେମିତି ସାହାସ କରୁଛନ୍ତି ବିଜେପି କର୍ମୀ? କେମିତି ଦାଦାବଟି ମାଗି ଧମକ ଦେଉଛନ୍ତି ? ବିଜେପିର ରାଜ୍ୟ ନେତୃତ୍ବଙ୍କ ନିୟନ୍ତ୍ରଣରେ ନାହାନ୍ତି କି କର୍ମୀ? କାରଣ ଏସବୁ ଘଟଣା ଦଳ ଓ ସରକାରକୁ ଅକଳରେ ପକାଉଛି । ବିଶେଷ କରି ବିଏମସି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ସାରା ଦେଶରେ ବିଜେପି ସରକାରକୁ ଲଜ୍ଜିତ କରିଛି ।

ଦଳ, ସରକାରରେ ନାହିଁ କି ସମନ୍ବୟ?

ଗତ ବର୍ଷକ ଭିତରେ ବିଜେପି ସରକାରର ସଫଳତା କମ୍ ବିଫଳତାକୁ ନେଇ ଅଧିକ ଚର୍ଚ୍ଚା ହୋଇଛି । ହେଲେ ସବୁଠୁ ଅଧିକ ଚର୍ଚ୍ଚା ହୋଇଛି ରାଜ୍ୟ ବିଜେପି ଭିତରର ଗୋଷ୍ଠୀ କନ୍ଦଳକୁ ନେଇ । ବିଜେପିର ବିଭିନ୍ନ ଗୋଷ୍ଠୀ ଓ ସେମାନଙ୍କ ସମର୍ଥକଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ବିଏମସି ଅଧିକାରୀଙ୍କୁ ମାଡ଼ ମରା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ରାଜ୍ୟରେ ଜଙ୍ଗଲରାଜ ଚାଲିଥିବା ଅଭିଯୋଗ କରିଛନ୍ତି । ହେଲେ ଏହି ଘଟଣାରେ ବି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ଦଳ ଭିତରର କଳିକୁ ପଦାରେ ପକାଇଛି । ରଥଯାତ୍ରା ମହାବିଭ୍ରାଟ ପଛରେ ବି ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସଧାରୀଙ୍କ ଭିଡ଼କୁ କାରଣ କୁହାଯାଇଥିଲା । ସେଠିବି ଦଳ ଭିତରର ପ୍ରଭାବଶାଳୀ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କଥା କହିଥିଲେ ବିରୋଧୀ । ତେଣୁ ରାଜ୍ୟର ବିଜେପି ସରକାର ଓ ଦଳ ମଧ୍ୟରେ ସମନ୍ବୟ ନଥିବା କେଉଁଠି ନା କେଉଁଠି ସ୍ପଷ୍ଟ ହୋଇଛି ।

ଗତବର୍ଷ ରଥଯାତ୍ରା ସମୟରେ ଏଏସଓଙ୍କୁ ତତ୍କାଳୀନ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ହେଲେ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି । ସେତେବେଳର ରାଜ୍ୟପାଳ ଏବେ ବିଜେପି ନେତା । ଏଥର ବିଏମସି ଅଧିକାରୀଙ୍କୁ ଖୋଦ୍ ବିଜେପି ନେତା ଓ କର୍ମୀ ମାଡ଼ ମାରିଛନ୍ତି । ତେଣୁ ପୁଣି ଦଳ ପାଇଁ ହରଡ଼ଘଣାରେ ରାଜ୍ୟ ସରକାର । ରାଜ୍ୟ ବିଜେପି ସଭାପତି ନିର୍ବାଚନ ହୋଇନଥିବା ବେଳେ ଦଳୀୟ କର୍ମୀ ଓ ନେତାଙ୍କ କାର୍ଯ୍ୟକଳାପ ଦାୟିତ୍ବରେ ଥିବା ମନମୋହନ ସାମଲଙ୍କ ଚିନ୍ତା ବଢାଇଛି । ସେପଟେ ବିରୋଧୀ ନୁହେଁ ବରଂ ନିଜ ଦଳର ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁଣ୍ଡବିନ୍ଧା ବଢାଇଛନ୍ତି । ସରକାର ଓ ଦଳ ମଧ୍ୟରେ ସମନ୍ବୟ ଲାଇନଚ୍ୟୁତ ହୋଇଛି ତ ଗୋଷ୍ଠୀ କନ୍ଦଳ ପାଇଁ ଚାପରେ ରହିଛନ୍ତି ମୋହନ ଓ ମନମୋହନ ।

Comments are closed.