Latest Odisha News

କାହିଁକି ଏକଜାଟ୍ ହେଉନି ଏକଜିଟ୍ ପୋଲ୍?

ନୂଆଦିଲ୍ଲୀ: ହରିୟାଣାରେ କଂଗ୍ରେସ ସୁନାମି। ହାତକୁ ମିଳିବ ହରିୟାଣା ଭୋଟରଙ୍କ ସାଥ୍। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଭଳି ଆକଳନ କରିଥିଲେ ଅଧିକାଂଶ ଏକଜିଟ୍ ପୋଲ ସର୍ଭେ କରିଥିବା ସଂସ୍ଥା । ହେଲେ ବିଜୟ ମୁହଁରୁ ପରାଜୟ ହିଁ ପାଇଛି କଂଗ୍ରେସ। ହରିୟାଣାରେ ବିଜେପି ହ୍ୟାଟ୍ରିକରେ ବ୍ରେକ୍ ଲଗାଇବାରେ ବିଳଫ ହୋଇଛନ୍ତି ରାହୁଲ ସେନା । ହରିୟାଣାରେ କ୍ଷମତାର ବନବାସ ସାରି କଂଗ୍ରେସର ସରକାର ଗଢିବାର ସ୍ବପ୍ନ ଭାଙ୍ଗି ଯାଇଛି। ବୁଥ୍ ବାହୁଡା ମତକୁ ସଂପୂର୍ଣ୍ଣ ଭୁଲ ପ୍ରମାଣିତ କରିଛି ହରିୟାଣା ଜନମତ । ତେବେ ପ୍ରଶ୍ନ ଉଠୁଛି, କାହିଁକି ଏକଜାଟ୍ ହେଲାନି ଏକଜିଟ୍ ପୋଲ୍?

କେମିତି ହାତରୁ ଖସିଗଲା ହରିୟାଣା?

ନିର୍ବାଚନ ସରୁ ସରୁ ବୁଥ୍ ବାହୁଡା ମତରେ କଂଗ୍ରେସକୁ ହରିୟାଣାରେ ବହୁମତ ମିଳିବା ନେଇ ଆକଳନ କରାଗଲା। ମୋଟ୍ ୯୦ଆସନ ବିଶିଷ୍ଟ ହରିୟାଣାରେ କଂଗ୍ରେସକୁ ଦୈନିକ ଭାସ୍କର ୪୪ରୁ ୫୪ ସିଟ୍ ତ ବିଜେପିକୁ ମାତ୍ର ୧୫ରୁ ୨୯ସିଟ୍ ଦେଇଥିଲା। ସି-ଭୋଟର କଂଗ୍ରେସକୁ ୫୦ରୁ ୫୮ ସିଟ୍ ତ ରିପବ୍ଲିକ ଭାରତ-ମାଟ୍ରିଜ୍ ପୋଲ୍ ଦେଇଥିଲା ୫୫ରୁ ୬୨ ସିଟ୍ । ଅଧିକାଂଶ ସର୍ଭେକାରୀ ସଂସ୍ଥା କଂଗ୍ରେସ ମ୍ୟାଜିକ ନମ୍ବର ୪୫ରୁ ଯଥେଷ୍ଟ ଅଧିକ ସିଟ୍ ପାଇବା ନେଇ ଆକଳନ କରିଥିଲେ । ହେଲେ ଫଳାଫଳ ପ୍ରକାଶ ପାଇବା ବେଳକୁ ଗୋଳମାଳ ହୋଇଯାଇଥିଲା ସଂଖ୍ୟା ଗଣିତ । ମାତ୍ର ୩୭ଟି ସିଟରେ ହିଁ ସନ୍ତୁଷ୍ଟ ରହିଲା କଂଗ୍ରେସ । ସେପଟେ ବିଜୟର ହ୍ୟାଟ୍ରିକ୍ ଲଗାଇଲା ବିଜେପି ।

ଏକଜିଟ୍ ପୋଲ୍ ଫେଲ୍

କେବଳ ହରିୟାଣା ନୁହେଁ ପୂର୍ବରୁ ଅନେକ ନିର୍ବାଚନରେ ବି ଫେଲ୍ ମାରିଛି ଏକଜିଟ୍ ପୋଲ୍ । ଗତ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ୪ଶହ ପାର୍ କରିବ ବୋଲି ଆକଳନ କରାଯାଇଥିଲା । ହେଲେ ଫଳାଫଳ ହୋଇଥିଲା ଓଲଟା । ଏନଡିଏକୁ ୨୯୩ ସିଟ୍ ମିଳିଲା । ଏପରିକି ବିଜେପିକୁ ଏକାକୀ ବହୁମତ ବି ମିଳିଲାନି । ୨୦୧୯ରୁ ୬୩ଟି କମ୍ ସିଟ୍ ପାଇଲା ବିଜେପି । ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ମଧ୍ୟ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରି ବିଜେପି କ୍ଷମତାକୁ ଫେରିଥିଲା । ୨୦୧୭ ୟୁପି ନିର୍ବାଚନରେ ମଧ୍ୟ ଏକଜିଟ୍ ପୋଲ ଝୁଲା ବିଧାନସଭା ଆଡକୁ ଇଙ୍ଗିତ କରିଥିଲେ ବି ବିଜେପି ବଡ ବିଜୟ ହାସଲ କରିଥିଲା । ୨୦୧୫ର ବିହାର ଓ ଦିଲ୍ଲୀ ନିର୍ବାଚନ ହେଉ କି ୨୦୦୪ ଓ ୨୦୧୪ର ସାଧାରଣ ନିର୍ବାଚନ ଭୁଲ ପ୍ରମାଣିତ ହୋଇଛି ଏକଜିଟ୍ ପୋଲ ।

କାହିଁକି ଭୁଲ୍ ହେଉଛି ଆକଳନ?

ଏକଜିଟ୍ ପୋଲର ଆକଳନ ଭୁଲ ହେବା ପଛରେ ରହିଛି ଅନେକ କାରଣ। ବୁଥ ବାହୁଡା ମତ କେତେ ଠିକ୍? ତାଉପରେ ଆକଳନ ନିର୍ଭର କରୁଛି। ଅନେକ ସମୟରେ ଭୁଲ୍ ସୂଚନା କିମ୍ବା ଭୟରେ ଭୁଲ କହିବାକୁ ଭୋଟର ବାଧ୍ୟ ହୁଅନ୍ତି। କଡା ମୁକାବିଲା ହେଉଥିବା ସିଟରେ ବି ଆକଳନ କରିବା କଷ୍ଟ । ଭୋଟ୍ ସେୟାର ବ୍ୟବଧାନ ୧ରୁ ୨ପ୍ରତିଶତ ରହିଲେ ହାର ଜିତ୍ ନେଇ ଆକଳନ ଭୁଲ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଟେକ୍ନୋଲୋଜିର ଅଗ୍ରଗତି ସତ୍ତ୍ବେ ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହରେ ମଧ୍ୟ ଭୁଲ ହୋଇପାରେ। ସାମାଜିକ-ଅର୍ଥନୈତିକ, ଜାତି ଓ ଲିଙ୍ଗଗତ ତଥ୍ୟ ଅଭାବ ମଧ୍ୟ ଭୁଲ ଆକଳନ ପଛରେ କାରଣ ହୋଇପାରେ । ଦଳ ଭିତରର ଅନ୍ତକନ୍ଦଳକୁ ନେଇ ଅଙ୍କ କଷିବାରେ ଫେଲ୍ ମାରୁଛନ୍ତି ସର୍ଭେକାରୀ ସଂସ୍ଥା । ଭୋଟ୍ ସେୟାରକୁ ସିଟ୍ ସଂଖ୍ୟାରେ ପରିଣତ କରିବା ବି ଆକଳନକାରୀ ସଂସ୍ଥା ପାଇଁ ବଡ ଚ୍ୟାଲେଞ୍ଜ ହେଉଛି । ସାମ୍ପଲ ଆକାର, କେତେ ପରିମାଣର ତଥ୍ୟ ସଂଗ୍ରହ କରାଯାଉଛି, କିଭଳି ପ୍ରଶ୍ନ କରାଯାଇଛି, କିଭଳି ତଥ୍ୟକୁ ଅନୁଧ୍ୟାନ କରାଯାଉଛି, ତାଉପରେ ଏକଜିଟ୍ ପୋଲର ବିଶ୍ବସନୀୟତା ନିର୍ଭର କରେ । ସମ୍ବିଧାନର ଧାରା ୩୨୪ରେ ଏକଜିଟ୍ ପୋଲ୍ ପାଇଁ ଗାଇଡଲାଇନ୍ ରହିଛି । ଏଥିରେ ଭୋଟରଙ୍କ ଉପରେ ଏକଜିଟ୍ ପୋଲର ପ୍ରଭାବ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

Leave A Reply

Your email address will not be published.