ନୂଆଦିଲ୍ଲୀ: ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ମଧ୍ୟପ୍ରାଚ୍ୟ ପାଲଟିଲାଣି ଓ୍ବାର ଜୋନ୍ । ତାଇଓ୍ବାନ୍ କବଜା ଲକ୍ଷ୍ୟରେ ଚୀନ୍ । ଋଷ ସହଯୋଗରେ ଦକ୍ଷିଣ କୋରିଆ ବିପକ୍ଷରେ ଯୁଦ୍ଧ ପ୍ରସ୍ତୁତି କଲାଣି ଉତ୍ତର କୋରିଆ । ୟୁକ୍ରେନ୍, ଗାଜା, ଲେବାନନ, ସିରିଆ ସବୁଠି ଯୁଦ୍ଧର ଘନଘଟାରେ ଅସ୍ତବ୍ୟସ୍ତ ହେଲାଣି ଜୀବନ । ବିଶ୍ବର ବିଭିନ୍ନ ସ୍ଥାନରେ ମିସାଇଲ୍ ମୁତୟନ କରୁଛି ଆମେରିକା । ଋଷ ସୀମା ପାଖରେ ନାଟୋ ଦେଶ ପରମାଣୁ ହତିଆର ପ୍ରସ୍ତୁତ ରଖୁଛନ୍ତି । ସେପଟେ ଚୀନ ଲଗାତର ତାଇଓ୍ବାନକୁ ଉସୁକାଇବା ଭଳି ଯୁଦ୍ଧାଭ୍ୟାସ କରୁଛି। ପ୍ରଶ୍ନ ଉଠୁଛି, ହେବାକୁ ଯାଉଛି କି ତୃତୀୟ ବିଶ୍ବଯୁଦ୍ଧ?
ଋଷର ଧମକ ବଢାଇଛି ଟେନସନ୍
ଋଷ ଚାହିଁଲେ ତୃତୀୟ ବିଶ୍ବଯୁଦ୍ଧ କରାଇପାରିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ । ଋଷ ପାଖରେ ଭୟାନକ ହତିଆର ରହିଥିବା ବେଳେ ଚୀନ ଓ ଉତ୍ତର କୋରିଆ ସାଥ୍ ଦେଉଛନ୍ତି । ଉତ୍ତର କୋରିଆ ସେନା କୁର୍ସ୍କରେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢୁଛନ୍ତି । ସେପଟେ ନାଟୋ ଦେଶ ଋଷ ବିରୋଧରେ ପରମାଣୁ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରିଛି ଋଷର ମୁଖ୍ୟ ଗୁଇନ୍ଦା ଏଜେନ୍ସି । ଆକ୍ରମଣ ପୂର୍ବରୁ ନାଟୋ ଦେଶ ପ୍ରଥମେ ସାଇବର ଆଟାକ୍ କରିବେ । ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରି ଋଷର ନେତାଙ୍କୁ ମାରିପାରନ୍ତି । ଏହାପରେ ଯୁଦ୍ଧ କରିପାରନ୍ତି । ଏନେଇ ନାଟୋ ଦେଶ ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥିବା ଋଷର ଗୁଇନ୍ଦା ଏଜେନ୍ସି କହିଛି ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା
ବର୍ଷେରୁ ଅଧିକ ସମୟ ଧରି ଅଶାନ୍ତ ରହିଛି ମଧ୍ୟପ୍ରାଚ୍ୟ । ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ବାଇଡେନ୍ ଲେବାନନ ସହ ଯୁଦ୍ଧ ଶେଷ କରିବାକୁ ଘୋଷଣା କରିସାରିଛନ୍ତି । ଇସ୍ରାଏଲକୁ ସେନା ଅପସାରଣ ପାଇଁ ୬୦ଦିନର ମହଲତ ଦିଆଯାଇଛି । ସେପଟେ ହିଜବୁଲ୍ଲା ମଧ୍ୟ ନିଜ ଲଢାଖୁଙ୍କୁ ହଟାଇବ । ତେବେ ଇସ୍ରାଏଲ୍ ହିଜବୁଲ୍ଲାର ସମସ୍ତ ଟପ୍ କମାଣ୍ଡରଙ୍କୁ ମାରିବା ପରେ ଏଭଳି ଚୁକ୍ତି କରାଯାଇଛି । ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡ ସହ ପରମାଣୁ ଅସ୍ତ୍ର ନେଇ ଆଲୋଚନା କରିବାକୁ କହିଛି ହିଜବୁଲ୍ଲାର ସମର୍ଥକ ଇରାନ୍ । ଏହାକୁ ନେଇ ଚିନ୍ତା ବଢିଛି । ଇରାନ ଭବିଷ୍ୟତରେ ପରମାଣୁ ଅସ୍ତ୍ର ତିଆରି କରିବା ନେଇ ଋଷ ଗୋପନ ସୂଚନା ଓ ଟେକ୍ନୋଲୋଜି ଯୋଗାଉଥିବା ଆମେରିକା ଓ ଇଂଲଣ୍ଡ ସନ୍ଦେହ କରୁଛନ୍ତି । ସହଯୋଗୀ ଓ ଶତ୍ରୁତାର ସମୀକରଣ ମଧ୍ୟପ୍ରାଚ୍ୟକୁ ଅଧିକ ଅଶାନ୍ତ କରୁଛି ।
ଚାରିଆଡେ ଆମେରିକା ସେନା
ବିଶ୍ବର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡବାଏ ମୋଡରେ ପ୍ରସ୍ତୁତ ରହିଛନ୍ତି ଆମେରିକା ସେନା । ଫିଲିପାଇନ୍ସରେ ଆମେରିକା ଏହାର ସୁପରସୋନିକ ପରମାଣୁ ମିସାଇଲ୍ ମୁତୟନ କରିଛି । ଦକ୍ଷିଣ ଚୀନ୍ ସାଗର ହେଉ କି ଜାପାନର ସାସୋବ ବନ୍ଦର, ଲୋହିତ ସାଗର ହେଉ କି ଗାଜା, ବିଭିନ୍ନ ସ୍ଥାନରେ ଆମେରିକା ନିଜ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ରଖିଛି । ଇରାନ, ଉତ୍ତର କୋରିଆ, ଋଷ, ଚୀନ୍ କେହିବି ଯୁଦ୍ଧ ଆରମ୍ଭ କଲେ ଆମେରିକା ସମସ୍ତଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ରହିଛି । ସବୁଠି ପରମାଣୁ ମିସାଇଲ ମୁତୟନ ହୋଇଛି ତ ଫାଇଟର ଜେଟରେ ବିପଜ୍ଜନକ ମିସାଇଲ୍ ଓ ବମ୍ ପ୍ରସ୍ତୁତ ରଖାଯାଇଛି ।
ତାଇଓ୍ବାନ୍ ଉପରେ ଆକ୍ରମଣ ପ୍ଲାନ୍ !
ତାଇଓ୍ବାନ୍ ଉପରେ ଯେକୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ଚୀନ୍ । ଏଥିପାଇଁ ଚୀନ ସାମରିକ ପ୍ରସ୍ତୁତି କରୁଛି । ଚୀନ ପାଖରେ ପର୍ଯ୍ୟାପ୍ତ ପରିମାଣର ଯୁଦ୍ଧ ଜାହାଜ ନାହିଁ । ତେବେ ସେନାକୁ ତାଇଓ୍ବାନ୍ ପର୍ଯ୍ୟନ୍ତ ନେବାକୁ ବୋଟ୍ ଓ ଫେରିର ବ୍ୟବହାର କରିପାରେ ଚୀନ୍ । ଏସବୁର ବ୍ୟବହାର ଚୀନ୍ ସେନା ପାଇଁ ବିପଜ୍ଜନକ ହୋଇପାରେ । ତେବେ ଚୀନ୍ ୧୦ରୁ ୧୫ହଜାର ବୋଟ୍, ଜାହାଜର ବ୍ୟବହାର କରିପାରେ ବୋଲି କୁହାଯାଉଛି । ତାଇଓ୍ବାନ ସୀମା ପାଖରେ ସମରାଭ୍ୟାସ କରୁଛି ଚୀନ୍ । ତେଣୁ ତାଇଓ୍ବାନ୍ ଉପରେ କବଜା କରିବାକୁ ଚୀନ୍ ଶୀଘ୍ର ଉଦ୍ୟମ କରିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଆଶଙ୍କା କରୁଛନ୍ତି ।
ଆମେରିକା ଓ ଦକ୍ଷିଣ କୋରିଆକୁ ଶେଷ କରି ଦେବାକୁ ଧମକ ଦେଇଛି ଉତ୍ତର କୋରିଆ । ଆଉ ସେଥିପାଇଁ ମିସାଇଲ୍ ବଢାଇବାରେ ଲାଗିଛି । ସେପଟେ ଇସ୍ରାଏଲ୍, ହମାସ ଓ ହିଜବୁଲ୍ଲାର ଲଢେଇ ଚାଲିଛି । ଯୁଦ୍ଧକୁ ନେଇ ସାରା ବିଶ୍ବ ଦୁଇ ଫାଳ ହୋଇଥିବା ବେଳେ ଏହା ଆଗକୁ ତୃତୀୟ ବିଶ୍ବଯୁଦ୍ଧର କାରଣ ହୋଇପାରେ ।
Comments are closed.