ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବସ୍ତି ବାସିନ୍ଦା । ନିର୍ବାଚନରେ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଦଳ ବସ୍ତି ଭୋଟକୁ ଫୋକସ୍ କରିଛନ୍ତି । ଦିଲ୍ଲୀରେ ପ୍ରାୟ ୭୫୦ଟି ବସ୍ତି ରହିଥିବା ବେଳେ ଏଠାରେ ୩୦ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ୭୦ବିଧାନସଭା ସିଟରେ ମହାମୁକାବିଲା ଚାଲିଥିବା ବେଳେ ବସ୍ତି ବାସିନ୍ଦାଙ୍କ ଭୋଟ୍ ଉପରେ ନଜର ରହିଛି । ପୂର୍ବରୁ ବସ୍ତି ଭୋଟବ୍ୟାଙ୍କ କଂଗ୍ରେସ ପାଖରେ ରହିଥିଲା । ତେବେ ଗତ ୧୦ବର୍ଷ ଧରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ବାରା ଆପ୍ ବସ୍ତି ବାସିନ୍ଦାଙ୍କ ସମର୍ଥନ ପାଇବାରେ ସଫଳ ହୋଇଛି । ଏଥର ବିଜେପି ବି ବସ୍ତି ଭୋଟ୍ ନିଜ ଖାତାକୁ ନେବାକୁ ରଣନୀତି କରିଛି । ତେବେ ପ୍ରଶ୍ନ, ଦିଲ୍ଲୀରେ ନିର୍ବାଚନୀ ହାଓ୍ବା ବଦଳାଇବାରେ ସମର୍ଥ ବସ୍ତି ବାସିନ୍ଦା ଏଥର କାହାକୁ କରିବେ ସମର୍ଥନ?
ବସ୍ତିରେ ଦିଲ୍ଲୀ କ୍ଷମତାର ଚାବି
୨୦୦୮ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ସହ ଥିଲେ ଦିଲ୍ଲୀ ବସ୍ତି ଭୋଟର । ତେବେ ୨୦୧୩ ନିର୍ବାଚନ ବେଳକୁ ଏହି ଭୋଟରେ ଭାଗ ବସାଇଲା ଆପ୍ । ଆଉ ୨୦୧୫ନିର୍ବାଚନ ବେଳକୁ ଆପର ସପୋର୍ଟ ବେସ୍ ସାଜିଥିଲେ ବସ୍ତି ଭୋଟର । ମାଗଣା ବିଜୁଳି, ପାଣି ଭଳି ଆପ ସରକାରର ଲୋକପ୍ରିୟ ଯୋଜନା ପାଇଁ ବସ୍ତି ବାସିନ୍ଦା ଆପ ଆଡକୁ ଢଳିଥିଲେ । ୨୦୧୫ ଓ ୨୦୨୦ ନିର୍ବାଚନରେ ଦିଲ୍ଲୀର ବସ୍ତି ଅଞ୍ଚଳରେ ଆପର ଦବଦବା ରହିଥିଲା । ବସ୍ତିରୁ ହିଁ ଫିଟିଥିଲା ଆପ ପାଇଁ କ୍ଷମତାର ବାଟ । ଆଉ ସେଥିପାଇଁ ଏଥର ବସ୍ତି ଭୋଟ ନିଜ ପାଖକୁ ନେବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି ।
ବସ୍ତି ଭୋଟ୍ ପାଇଁ ବଡ଼ ରଣନୀତି
ଦିଲ୍ଲୀରେ କ୍ଷମତାର ହ୍ୟାଟ୍ରିକ ମାରିବାକୁ ଲକ୍ଷ୍ୟ ରଖିଥିବା ଆପ୍ ପୂର୍ବଥର ଭଳି ଏଥର ବି ବସ୍ତି ଭୋଟ୍ ନିଜ ପାଖରେ ରଖିବାକୁ ଉଦ୍ୟମ କରୁଛି । ଆପ ନେତା ବସ୍ତି ଅଞ୍ଚଳରେ ପଦଯାତ୍ରା କରିବା ସହ ସଭା କରୁଛନ୍ତି । ଛୋଟ ଛୋଟ ସଭାରେ ଭୋଟରଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଦଳୀୟ ପ୍ରାର୍ଥୀ ଘରକୁ ଘର ଯାଉଥିବା ବେଳେ ଆପର ହେଭିଓ୍ବେଟ୍ ନେତା ମନୀଷ ସିସୋଦିଆ ବିଭିନ୍ନ ବସ୍ତି ବୁଲୁଛନ୍ତି । ସେପଟେ ବସ୍ତିବାସିନ୍ଦାଙ୍କୁ ପକ୍କା ଘର ଦେବାର ପ୍ରତିଶ୍ରୁତି ଦେଇ ବଡ ଗୋଟି ଚଳାଇଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩ତାରିଖରେ ୧୬୭୫ ବସ୍ତିବାସିନ୍ଦାଙ୍କୁ ଫ୍ଲାଟ୍ ଚାବି ଦେଇଥିଲେ । ୨୦୨୪ନିର୍ବାଚନ ପରଠୁ ହିଁ ଦିଲ୍ଲୀର ବସ୍ତିଗୁଡିକୁ ଫୋକସ୍ କରିଛି ବିଜେପି । ଦଳର ବଡ ନେତା ବସ୍ତିରେ ରାତିରେ ରହିବା ସହ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ବି ପୁରୁଣା ଭୋଟ୍ ବ୍ୟାଙ୍କ ଫେରାଇ ଆଣିବାକୁ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛି । ଏପରିକି ରାହୁଲ ଗାନ୍ଧୀଙ୍କ ପ୍ରଥମ ସଭା ବି ସିଲମପୁରର ବସ୍ତି ଅଞ୍ଚଳରେ କରାଯାଇଥିଲା ।
କେତେ ସିଟରେ ବସ୍ତି ଭୋଟରଙ୍କ ପ୍ରଭାବ?
ଦିଲ୍ଲୀର ମୋଟ୍ ୭୦ଟି ସିଟ ମଧ୍ୟରୁ ପ୍ରାୟ ୫୦ଟିରେ ବସ୍ତି ରହିଛି । ଯେବେବି ୩୦ରୁ ୩୫ଟି ସିଟରେ ବସ୍ତି ବାସିନ୍ଦାଙ୍କ ସଂଖ୍ୟା ଅଧିକ ରହିଛି । ୧୦ଟି ଆସନରେ ବସ୍ତି ଭୋଟର ନିର୍ଣ୍ଣାୟକ ସାବ୍ୟସ୍ତ ହେବେ । ମୋଟ ଭୋଟର ୧୦ରୁ ୧୫ପ୍ରତିଶତ ଭୋଟ ବସ୍ତି ବାସିନ୍ଦାଙ୍କର ରହିଥିଲେ ବି ଅନେକ ହେଭିଓ୍ବେଟ୍ ସିଟରେ ସେମାନେ କିଙ୍ଗମେକର ହେବେ । ବସ୍ତି ଭୋଟରଙ୍କ ମତଦାନ ପ୍ରତିଶତ ଅଧିକ ରହୁଥିବା ବେଳେ ସେମାନଙ୍କ ଭୋଟ୍ ଉପରେ ସବୁ ଦଳର ନଜର ରହିଛି । ଦିନେ ପାରମ୍ପରିକ ଭାବେ କଂଗ୍ରେସର ମତଦାତା ରହିଥିବା ବସ୍ତି ଭୋଟରଙ୍କ ସମର୍ଥନ ପାଇଁ ଆପ୍ ଓ ବିଜେପି ମୁହାଁମୁହିଁ ହେଉଛନ୍ତି । ବିଶେଷ କରି ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟରୁ କାମ ଅନ୍ବେଷଣରେ ଦିଲ୍ଲୀ ଆସିଥିବା ଲୋକ ବସ୍ତିରେ ରହୁଛନ୍ତି । ଘର, ଚାକିରି ହେଉ କି ସାମାଜିକ ଜନକଲ୍ୟାଣକାରୀ ଯୋଜନା, ବସ୍ତି ଭୋଟ୍ ପାଇଁ ଉଭୟ ଦଳ ବସ୍ତି ଭୋଟ ହାତେଇବାକୁ ଅଣ୍ଟା ଭିଡିଛନ୍ତି ।
Comments are closed.