Latest Odisha News

BREAKING NEWS

ବାତ୍ୟା ‘ୟଶ’ ମୁକାବିଲା ପାଇଁ ସଶସ୍ତ୍ର ସେନା ପ୍ରସ୍ତୁତ

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ’ର ମୁକାବିଲା ନିମନ୍ତେ ସଶସ୍ତ୍ର ସେନାର ପ୍ରସ୍ତୁତି ଆରମ୍ଭ ହୋଇଛି।

ଭାରତୀୟ ବାୟୁସେନା ଦ୍ୱାରା ୯୫୦ ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଯବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଞ୍ଚାଯାଇଛି।

୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି। ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର୍ଯ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି।

ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର କମାଣ୍ଡର ଆଠଟି ଜାହାଜ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ଚାରିଟି ବୁଡାଳୀ ଓ ଦଶଟି ବନ୍ୟା ସହାୟତାକାରୀ ଦଳ କୋଲକାତା, ଭୁବନେଶ୍ୱର ଓ ଚିଲିକାରେ ଡେରା ପକାଇଛନ୍ତି।

ଯେକୌଣସି ବିପତ୍ତିର ମୁକାବିଲା ନିମନ୍ତେ ୭ଟି ବନ୍ୟା ରିଲିଫ ଦଳ ଓ ଦୁଇଟି ବୁଡାଳୀ ଦଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି।

ଆବଶ୍ୟକସ୍ଥଳେ ଉଦ୍ଧାର ଓ ଖୋଜ ପାଇଁ ବିଶାଖାପାଟନମ୍ ଓ ପୋର୍ଟବ୍ଲେୟାର ଠାରେ ନୌସେନା ଏୟାରକ୍ରାଫ୍ଟ ଓ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ଅଛନ୍ତି।

ବେସାମରିକ ପ୍ରଶାସନର ବରାଦ କ୍ରମେ ଭାରତୀୟ ସଶସ୍ତ୍ର ସେନାର ଆଠଟି ଉଦ୍ଧାରକାରୀ ଦଳ ଓ ତିନିଟି ଇଞ୍ଜିନିୟର ଟାସ୍କଫୋର୍ସ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି। ସଶସ୍ତ୍ର ସେନା ସମ୍ଭାବ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟଗୁଡିକର ବେସାମରିକ ପ୍ରଶାସନିକ କଳ ସହ ଯୋଗାଯୋଗରେ ଅଛନ୍ତି।

କୋଭିଡ-୧୯ ହସ୍‌ପିଟାଲ ଗୁଡିକୁ ଔଷଧପତ୍ର ଓ ଅମ୍ଳଜାନ ବିନା ବାଧାରେ ପହଂଚାଇବା ପାଇଁ ସଡକ ଓ ରେଳ ଯୋଗାଯୋଗ ନେଇ ମଧ୍ୟ ସଶସ୍ତ୍ର ସେନା ବେଶ୍ ଅବଗତ ଅଛନ୍ତି।

Comments are closed.